୩୨ ବର୍ଷ ପରେ ଅରୁଣାଚଳପ୍ରଦେଶରୁ ଆଶିଂକ ଭାବେ ହଟିଲା ଆଫସ୍ପା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦୀର୍ଘ ୩୨ ବର୍ଷ ପରେ ଅରୁଣାଚଳପ୍ରଦେଶର ୩ ଜିଲାରୁ ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ଆଶିଂକ ଭାବେ ହଟାଇ ଦିଆଯାଇଛି। ତେବେ ଏହି ଆଇନ ମ୍ୟାମାଁ ଅଞ୍ଚଳରେ ଲାଗୁ ରହିବ। ବିଭାଗୀୟ ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ୧୯୮୭ ଫେବୃଆରୀ ୨୦ରେ ଅରୁଣାଚଳପ୍ରଦେଶରେ ଆଫସ୍ପା ଲାଗୁ ହୋଇଥିଲା। ଏହି ଆଇନ ଆସାମ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଣିପୁରରେ ଏହା ପୂର୍ବରୁ ଲାଗୁ ହୋଇଥିଲା। ଅରୁଣାଚଳପ୍ରଦେଶ ପରେ ମେଘାଳୟ, ମିଜୋରମ, ନାଗାଲାଣ୍ଡ ଅସ୍ତିତ୍ୱକୁ ଆସିଥିଲେ ଓ ଏହି ରାଜ୍ୟଗୁଡ଼ିକରେ ବି ଏହି ଆଇନ ଲାଗୁ ହୋଇଥିଲା। ପରେ ବିଚାରପତି ପି.ଜୀବନ ରେଡ୍ଡୀ କମିଟି କେତେକ ରାଜ୍ୟରୁ ଆଫସ୍ପା ହଟାଇବାକୁ ସୁପାରିଶ କରିଥିଲେ। ଏହି କ୍ରମରେ ଅରୁଣାଚଳର ୯ ଜିଲା ମଧ୍ୟରୁ ୩ଟି ଜିଲାରୁ ଏହି ଆଇନକୁ ଆଶିଂକ ଭାବେ ହଟାଇ ଦିଆଯାଇଛି।
ଆଫସ୍ପା ଆଇନ ଅନୁସାରେ ସୁରକ୍ଷାବଳ କୌଣସି ବି ଲୋକକୁ ଗିରଫ କରିପାରିବେ ଓ କୌଣସି ବି ଘର ଓ କାର୍ଯ୍ୟାଳୟ ପରିସରରେ ତଲାସୀ କରିପାରିବେ। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ ଅଶାନ୍ତ ଅଞ୍ଚଳ ଘୋଷିତ ଅରୁଣାଚଳ ପ୍ରଦେଶର ୪ ଥାନା ଅଞ୍ଚଳରୁ ରବିବାରଠାରୁ ଆଫସ୍ପା ହଟାଇ ଦିଆଯାଇଛି। ଏହା ମଧ୍ୟରେ ପଶ୍ଚିମ କାମେଙ୍ଗ ଜିଲାରେ ବୋଲେମୁ, ଭାଲୁକପୋଙ୍ଗ ଥାନା, ପୂର୍ବ କାମେଙ୍ଗ ଜିଲାର ସେଇଜୋସା ଥାନା ଏବଂ ପାପୁମପାରୋ ଜିଲାର ବାଲିଜାନ ଥାନା ଅନ୍ତର୍ଭୁକ୍ତ। ତେବେ ତିରାପ, ଚୋଙ୍ଗଲାଙ୍ଗ, ଲୋଙ୍ଗାଡିଙ୍ଗ, ନାମସାଇ ଜିଲାରେ ଏହି ଆଇନ ବଳବତ୍ତର ରହିଛି।

Comments are closed.