mission shakti banner

ମନରେଗା: ସର୍ବନିମ୍ନ ମଜୁରୀ ବୃଦ୍ଧି, ପୁର୍ବାଞ୍ଚଳକୁ ଅଗ୍ରାଧିକାର

BSKY banner  750×100
0

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସର୍ବନିମ୍ନ ମଜୁରୀ ୨୮୪ ଟଙ୍କାକୁ ବୃଦ୍ଧି ପାଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାରୀ ସୂଚନାରେ ଏହି ଦର ଚଳିତ ବର୍ଷ ଏପ୍ରିଲ ୧ରୁ ଲାଗୁ ହେବ। ପ୍ରତ୍ୟେକ ବର୍ଷ ମନରେଗା ଦର ପୁନଃ ନିର୍ଦ୍ଧାରଣ କରିବା ପାଇଁ ସମୀକ୍ଷା ବୈଠକ ହୋଇଥାଏ। ୨୦୧୪ ଅଗଷ୍ଟରେ ସରକାର ମନରେଗା ଦରରେ ପରିବର୍ତ୍ତନ କରାଯାଇଥିଲା। ଆବଶ୍ୟକ ବସ୍ତୁର ଦର ଓ ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନେଇ ଦରରେ ଆବଶ୍ୟକ ପରିବର୍ତ୍ତନ କରାଯାଏ।

ଚଳିତ ବର୍ଷ ହୋଇଥିବା ମଜୁରୀ ବୃଦ୍ଧିରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି। ମିଜୋରାମରେ ସର୍ବାଧିକ ୧୭ ଟଙ୍କା ବୃଦ୍ଧି ପାଇ ୨୧୧ ଟଙ୍କା ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ, ସିକିମ, ତ୍ରିପୁରା ଏବଂ ନାଗାଲାଣ୍ଡରେ ୧୫ ଟଙ୍କା ଲେଖାଏଁ ବୃଦ୍ଧି ପାଇ ୧୯୨ ଟଙ୍କା ହୋଇଛି। ମଣିପୁରରେ ୧୦ ଟଙ୍କା ବୃଦ୍ଧି ପାଇ ଦୈନିକ ମଜୁରୀ ୨୧୯ ଟଙ୍କା ହୋଇଥିବା ବେଳେ, ରାଜସ୍ଥାନରେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୭ ଟଙ୍କା, ମେଘାଳୟ, ଓଡିଶା ଓ ତେଲେଙ୍ଗାନାରେ ୬ ଟଙ୍କା ବୃଦ୍ଧି ଘଟିଛି।

ଗୋଆ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ଵୀପରେ ମନରେଗା ମଜୁରୀ ଦର ଅପରିବର୍ତ୍ତିତ ରହିଥିବା ବେଳେ ଅନ୍ୟ ରାଜ୍ୟଗୁଡିକରେ ୫ ଟଙ୍କାରୁ ୧ ଟଙ୍କା ମଧ୍ୟରେ ବୃଦ୍ଧି କରାଯାଇଛି। ଏହି ଦର ବୃଦ୍ଧି ଫଳରେ ହରିୟାଣାରେ ସର୍ବାଧିକ ମଜୁରୀ ୨୮୪ ଟଙ୍କା ହୋଇଥିବା ବେଳେ ସର୍ବନିମ୍ନ ମଜୁରୀ ବିହାରରେ ୧୭୧ ଟଙ୍କା ରହିଛି।

Leave A Reply