ଇରାକରେ ଡଙ୍ଗା ବୁଡି ୮୦ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରୀ

ବାଗଦାଦ: ଇରାକର ମୋସୁଲ ସହର ନିକଟବର୍ତ୍ତୀ ଟାଇଗ୍ରିସ ନଦୀରେ ଏକ ଡଙ୍ଗା ବୁଡିଯିବା ଫଳରେ ୮୦ରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ଯେଉଁମାନେ ପହଁରି ନପାରିବାରୁ ପାଣିରେ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୋସୁଲ ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ ୧୯ ଜଣ ପିଲାଙ୍କ ସମେତ ୫୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଲଜଜୀରା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିଲା ଓ ସେଥିରେ ୨୦୦ଜଣ ଯାତ୍ରୀ ଥିଲେ ଯାହା ଡଙ୍ଗାର କ୍ଷମତାଠାରୁ ଅଧିକ। ସେମାନେ କୁର୍ଦିସ ନୂଆ ବର୍ଷ ପାଳନ କରିବାକୁ ଯାଉଥିଲେ।
ଅନ୍ୟ ପକ୍ଷରେ ମୋସୁଲ ଡ୍ୟାମରୁ ଅଚାନକ ବନ୍ୟାଜଳ ନିଷ୍କାସନ ହେବାରୁ ଜଳସ୍ଥର ହଠାତ ବୃଦ୍ଧି ପାଇବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ମଧ୍ୟ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସେଠାକାର ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଯାତ୍ରୀବାହୀ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଯୋଗୁ ଏଭଳି ଘଟିଛି।
ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମହାଦି ଇତି ମଧ୍ୟରେ ଦୁର୍ଘଟଣାର ତଦନ୍ତ ଆଦେଶ ଦେବା ସହ ଡାକ୍ତରଖାନାରେ ଆହତମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ମୃତକଙ୍କ ଉଦ୍ଦେଶ୍ୟରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଜାତିସଙ୍ଘ ମହାସଚିବଙ୍କ ସ୍ୱତନ୍ତ୍ର ଇରାକ ପ୍ରତିନିଧି ଜେନି ହେନିସ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି। ପୁଲିସ ଡଙ୍ଗା ଚାଳକ ଓ ମାଲିକଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରୀ ରଖିଛି।