କର୍ତ୍ତାରପୁର କରିଡ଼ରକୁ କାର୍ଯ୍ୟକ୍ଷମ କରିବାକୁ ନିଆଯିବ ଦ୍ରୁତ ପଦକ୍ଷେପ

ନୂଆଦିଲ୍ଲୀ: ଉଭୟ ଭାରତ ଓ ପାକିସ୍ତାନ କର୍ତ୍ତାରପୁର ସାହିବ୍ କରିଡ଼ରକୁ କାର୍ଯ୍ୟକ୍ଷମ କରାଇବା ଲାଗି ଦ୍ରୁତ ପଦକ୍ଷେପ ନେବାକୁ ଏକମତ ହୋଇଛନ୍ତି। କର୍ତ୍ତାରପୁର କରିଡ଼ର ବ୍ୟବହାର କରି ଗୁରୁଦ୍ୱାରା କର୍ତ୍ତାରପୁର ସାହିବ୍କୁ ତୀର୍ଥ ଯାତ୍ରୀମାନଙ୍କ ଗସ୍ତ ପାଇଁ ପଦ୍ଧତି ଓ ଚିଠା ରାଜିନାମା ଉପରେ ଆଲୋଚନା ସକାଶେ ପ୍ରଥମ ବୈଠକ ଗୁରୁବାର ଦିନ ପଞ୍ଜାବ ଅଟ୍ଟାରିଠାରେ ଅନୁଷ୍ଠିତ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ଉଭୟ ପକ୍ଷ ରାଜିନାମାର ବିଭିନ୍ନ ଦିଗ ଓ ନିୟମ ଉପରେ ପୁଙ୍ଖାନୁପୁଙ୍ଖ ତଥା ଗଠନ ମୂଳକ କଥାବାର୍ତ୍ତା କରିଛନ୍ତି ଏବଂ ପ୍ରସ୍ତାବିତ କରିଡ଼ରର ନିର୍ମାଣ ଓ ଅନ୍ୟାନ୍ୟ ବିଷୟ ଉପରେ ଉଭୟ ପକ୍ଷର ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଏପ୍ରିଲ ୨ ତାରିଖରେ ୱାଘାଠାରେ କରାଯିବାକୁ ସହମତି ପ୍ରକାଶ ପାଇଛି। ଏହାପୂର୍ବରୁ ଦୁଇପକ୍ଷର ବିଶେଷଜ୍ଞମାନଙ୍କ ମଧ୍ୟରେ ମାର୍ଚ୍ଚ ୧୯ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ବୈଠକରେ ଭାରତ ପକ୍ଷରୁ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଏସ.ସି.ଏଲ. ଦାସ ଏବଂ ପାକିସ୍ତାନ ପକ୍ଷରୁ ଦକ୍ଷିଣ ଏସିଆ ଓ ସାର୍କର ନିର୍ଦ୍ଦେଶକ ଡଃ. ମହମ୍ମଦ ଫୈଜଲଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଯୋଗ ଦେଇଥିଲେ।