ମାନବାଧିକାର କର୍ମୀଙ୍କୁ ୩୮ବର୍ଷ ଜେଲ୍‌, ୧୪୮ ଚାବୁକ୍‌ ପ୍ରହାର ନିର୍ଦେଶ

0

ତେହେରାନ୍‌ : ଇରାନ୍‌ର ମାନବାଧିକାର କର୍ମୀ ତଥା ଆଇନଜ୍ଞ ନାସ୍ରିନ୍‌ ​‌ସୋ​ଟୌ‌‌ଦେଙ୍କୁ ସ୍ଥାନୀୟ ଅଦାଲତ ୩୮ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ତାଙ୍କୁ ୧୪୮ ଚାବୁକ୍‌ ପ୍ରହାର ପାଇଁ ନିର୍ଦେଶ ଦେଇଛନ୍ତି। ଜନସମାଗମ ମାଧ୍ୟମରେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଓ ଜାତୀୟ ନେତାଙ୍କୁ ଅପମାନିତ କରିବା ଅପରାଧରେ ନାସ୍ରିନ୍‌ଙ୍କୁ ଏଭଳି ଦଣ୍ଡବିଧାନ ହୋଇଛି। ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଥିବା ନସ୍ରିନ୍‌ ଦେଶର ମହିଳାମାନେ ହେଡ୍‌ସ୍କାର୍ଫ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିବା ବିରୋଧରେ ବ୍ୟାପକ ଅଭିଯାନ ଚଳାଇଥିଲେ। ଏହା ବ୍ୟତୀତ ମାନବାଧିକାର କ୍ଷୁଣ୍ଣ ଘଟଣାରେ ସେ ଅଗ୍ରଣୀ ପ୍ରତିବାଦୀ ଭାବେ ଜଣାଶୁଣା। ସେ ୟୁରୋପୀଆନ୍‌ ପାର୍ଲାମେଣ୍ଟ ଦ୍ବାରା ସାଖାରୋଭ୍‌ ସମ୍ମାନ ପ୍ରାପ୍ତ। ନସ୍ରିନଙ୍କ ସ୍ବାମୀ ରେଜା ଖାନ୍ଦାନ୍‌ ଏହି ଖବରକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ପରେ ସରକାରୀ ଗଣମାଧ୍ୟମରେ ନସ୍ରିନ୍‌ଙ୍କ ମାତ୍ର ୭ ବର୍ଷ କାରାଦଣ୍ଡ ହୋଇଥିବା ପ୍ରକାଶ ପାଇଛି। ଏହି ଖବରକୁ ଆନ୍ତର୍ଜାତିକ କ୍ଷମା ସଂସ୍ଥା ତୀବ୍ର ନିନ୍ଦା କରିଛି। ଗତ ଜୁନ୍‌ ମାସରେ ନସ୍ରିନଙ୍କୁ ଗିରଫ ପରେ ମୁକ୍ତ କରାଯାଇଥିଲା। ପୂର୍ବରୁ ୨୦୧୦ରେ ଏଭଳି ମାମଲାରେ ତାଙ୍କୁ ୧୧ବର୍ଷ କାରାଦଣ୍ଡାଦେଶ ହୋଇଥିଲା।

Leave A Reply