ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ
ଭୁବନେଶ୍ବର : ରାହୁଲଙ୍କ ଡାକରାରେ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପହଞ୍ଚିଛନ୍ତିି। ଭୋଟ ଚୋରିକୁ ନେଇ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା ଜନ ଆନ୍ଦୋଳନରେ ନେତାମାନେ ସାମିଲ ହେବେ। ଗୋଟିଏ ପଟେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ନେତା ଏକଜୁଟ ହେବା ଭିନ୍ନ କିଛି ଇସାରା ଦେଉଛି।
ଦଳୀୟ ସଙ୍ଗଠନରେ ସୁଧାର ଆଣିବାକୁ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମୋକିମ ଲେଖିଥିବା ଚିଠିକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ଦଳର ବିଫଳତା ପାଇଁ ସେ ଏଆଇସିସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ଯୁବବର୍ଗଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଉନି ବୋଲି ସିଧାସଳଖ ଆକ୍ଷେପ କରିଥିବା ବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଏବେକାର ପିିସିସି ସଭାପତି ଭକ୍ତ ଦାସଙ୍କୁ ନିଶାଣ କରିଥିଲେ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ବି ପ୍ରଶ୍ନ କରିଥିଲେ। ଚିଠିକୁ ନେଇ ମୋକିମଙ୍କ ସପକ୍ଷ ଓ ବିରୋଧରେ ରାଜ୍ୟ କଂଗ୍ରେସର ବହୁ ନେତା ସ୍ବର ଉଠାଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭକ୍ତଙ୍କ ସମର୍ଥକ ଦାବି କରୁଛନ୍ତି। ଏଣେ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଅନ୍ୟପକ୍ଷରେ ଭୋଟ ଚୋରି ଅବସରରେ ଓଡ଼ିଶା ନେତା ଦିଲ୍ଲୀରେ ଏକାଠି ହେବା ଅନେକ କିଛି ଚର୍ଚ୍ଚାକୁ ବଢ଼ାଇଛି।
ଜନ ଆନ୍ଦୋଳନେର ସାମିଲ ହେବାକୁ ଶୁକ୍ରବାରଠାରୁ ଦିଲ୍ଲୀରେ ରାଜ୍ୟ କଂଗ୍ରେସରେ ତୁଙ୍ଗ ନେତା ଓ ଶତାଧିକ କର୍ମୀ ଡେରା ପକାଇଛନ୍ତି। ରାଷ୍ଟ୍ରୀୟ ରାଜଧାନୀରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତି ରାଜ୍ୟ କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି। ମୋକିମଙ୍କ ଚିଠି ପ୍ରସଙ୍ଗରେ ଏଆଇସିସିରେ ମାନସମନ୍ଥନ ଚାଲିଛି। ଦିଲ୍ଲୀ ଯାଇନଥିବା ରାଜ୍ୟର ତୁଙ୍ଗନେତାଙ୍କୁ ଫୋନ ଆସୁଛି। ରାଜ୍ୟରେ ଦଳର ସାଙ୍ଗଠନିକ କନ୍ଦଳ ସମ୍ପର୍କରେ ଏଆଇସିସି ତଥ୍ୟ ସଂଗ୍ରହ କରୁଥିବା କୁହାଯାଉଛି। ଦିଲ୍ଲୀରେ ହଲ୍ଚଲକୁ ଦେଖିଲେ, ଆସନ୍ତା ସପ୍ତାହରେ ମୋକିମଙ୍କ ଚିଠି ଉପରେ ଏଆଇସିସି କୌଣସି ବି ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି।



