କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ଆଗରେ ସମ୍ପର୍କ ତୁଛ ହୋଇ ଅନ୍ତ ଫାଡ଼ି ଜନ୍ମ ଦେଇ ଥିବା ମାର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି । ଭାଇ ଭଉଣୀ ମଧ୍ୟରେ ସମ୍ପତ୍ତି ବିବାଦକୁ ନେଇ ମାର ମୃତ ଦେହ ସତ୍କାର ନହୋଇ ପଡ଼ି ରହିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ପ୍ରକାଶ ଯେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ସ୍ବର୍ଗତ କରୁଣାକର ତରାଇଙ୍କର ଚାରି ଝିଅ ସମେତ ଗୋଟିଏ ପୁଅ ଅଛି । ଚାରି ଝିଅ ଓ ପୁଅ ବିଭୂତି ତରାଇ ସମସ୍ତେ ବିବାହ କରିସାରିଛନ୍ତି । ହେଲେ କରୁଣକରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସମସ୍ତ ସମ୍ପତ୍ତି ଓ ଘରବାରିକୁ ଗୋଟିଏ ଝିଅ ଯିଏ କି କୁଜଙ୍ଗ ଥାନା ଅନ୍ତର୍ଗତ ମାଙ୍ଗରଜପୁର ଗ୍ରାମରେ ବିବାହ କରିଛନ୍ତି ତାଙ୍କ ନାଁରେ କରିଦେଇଛନ୍ତି । ପରେ ସଂପୃକ୍ତ ଝିଅ ମା ମାଳତୀକୁ ନିଜ ଶାଶୂ ଘର ମଙ୍ଗରଜପୂରରେ ନେଇ ପାଖରେ ରଖିଥିଲା ।କିନ୍ତୁ ପୁଅ ବିଭୂତି ଓ ତାଙ୍କ ପତ୍ନୀ ସେହି ପୈତୃକ ଡିହରେ ଏକ ଚାଳ ଘର କରି ରହୁଛନ୍ତି । ବିଶ୍ଵାଳୀ ସ୍ଥିତ ପୈତୃକ ଘର ଡିହରେ ଝିଅ ତିନି ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ କରିଛି । ଗୁରୁବାର ଦିନ ମାଙ୍ଗରାଜପୁର ସ୍ଥିତ ଝିଅ ଘରେ ମାଳତୀର ଦେହାନ୍ତ ହୋଇଥିଲା । ଝିଅ ଯେତେବେଳେ ମାର ମୃତ ଦେହ ସତ୍କାର ନିମନ୍ତେ ବିଶ୍ୱାଲି ସ୍ଥିତ ପୈତୃକ ଘରକୁ ନେଇ ପହଞ୍ଚିବା ପରେ ଯୁବ ନେତା ଜ୍ଞାନେନ୍ଦ୍ର ସାମଲଙ୍କ ନେତୃତ୍ୱରେ ଗ୍ରାମବାସୀ ଏକାଠି ହୋଇ ପ୍ରଥମେ ବିଭୂତି ନାରେ ଡିହ ବାରି କରି ଦେବା ପରେ ଯାଇ ମୃତ ଦେହ ସତ୍କାର କରାଯିବ କହିଥିଲେ । ଯାହାଫଳରେ ଝିଅ ଅଡ଼ୁଆରେ ପଡ଼ି ଯାଇଥିଲା । ମୃତ ଦେହ ପଡ଼ି ରହିବା ଖବର ପାଇ ପାରାଦୀପ ଲକ୍ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ବୁଝାସୂଝା କରିଥିଲେବୀ ଗ୍ରାମବାସୀ ନଛୋଡ ବନ୍ଧା ହୋଇ ମୃତ ଦେହ ସତ୍କାର କରାଇ ଦେଇ ନାହାନ୍ତି । ଯେହେତୁ ବିଭୂତିର କୌଣସି ସନ୍ତାନ ସନ୍ତତି ନାହାନ୍ତି ତେଣୁ ଉଭୟ ପତି ପତ୍ନୀ ମୃତ୍ୟୁ ପର୍ଯ୍ୟନ୍ତ କୋଠା ଘରେ ରହିବେ ଓ ସେମାନଙ୍କ ମୃତ୍ୟୁ ପରେ ଝିଅ ଦଖଲକୁ ନେବ ବୋଲି ଲେଖା ପଢା ହେଲେ ଯାଇ ସତ୍କାର କରାଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ମୃତ ଦେହ ସତ୍କାର ନହୋଇ ପଡ଼ି ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ଅଛନ୍ତି ।
Popular Categories



