ରାଉରକେଲା : ‘‘ପ୍ରତିଭା, ପଦକ, ପ୍ରତିଶ୍ରୁତି.. ଏସବୁରେ କ’ଣ ପେଟ ପୂରିବ ଆଜ୍ଞା ା ସବୁକିଛି ତୁଛ ା ପରିବାର ଚଳାଇବା ପାଇଁ ମୋ ପାଖରେ ଟଙ୍କାଟିଏ ନାହିଁ, ରେସନ କାର୍ଡରେ ମୋ ସ୍ତ୍ରୀ ପିଲାଙ୍କ ନା ନାହିଁ, ଆୟୁଷ୍ମାନ କାର୍ଡ ଅଛି, ପରିବାର ସଦସ୍ୟଙ୍କ ନାମ ସଂଯୋଗ କରାଯାଇନାହିଁ। ପ୍ରତିଭା ଦେଖି ସମସ୍ତେ ପ୍ରଶଂସାରେ ପୋତି ଦେଉଥିଲେ, ଏବେ ପେଟ ପୂରା ଗଣ୍ଡେ ଖାଇବାକୁ ମିଳୁନି ା’’ ସ୍ମାର୍ଟସିଟିର ସେକ୍ଟର ଅଞ୍ଚଳରେ ରହୁଥିବା ଜଣେ ଦିବ୍ୟାଙ୍ଗ ଅଲମ୍ପିଆଡଙ୍କ ଏ ହେଉଛି ଦୁଃଖ ଓ କୋହଭରା ଉକ୍ତି ା ସେକ୍ଟର-୧୫ ଝୁମ୍ପୁଡ଼ି ବସ୍ତିରେ ରହୁଥିବା ଦିବ୍ୟାଙ୍ଗ ଅଲିମ୍ପିଆଡ ଫିରୋଜ ଆଲାମ ସମସ୍ୟାରେ ଘାଣ୍ଟି ହେଉଛନ୍ତି ା ତାଙ୍କ ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପରେ ସରକାରଙ୍କ ନିର୍ଦେଶରେ ଜିଲାସ୍ତରୀୟ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରି ତାଙ୍କ ଦୁଆରେ ପହଞ୍ଚିଥିଲେ ହେଁ କେବଳ ପ୍ରତିଶ୍ରୁତି ଦେଇ ଫେରି ଆସିଥିବା ସେ କହନ୍ତି ା ଜାତୀୟସ୍ତରରେ ସ୍ବର୍ଣ୍ଣ ଓ ରୌପ୍ୟପଦକ ହାସଲ କରିଥିବା ଏହି ଦିବ୍ୟାଙ୍ଗ ଆଜି ନିଜ ପରିବାର ବୋଝ ମୁଣ୍ଡାଇବାରେ ଅକ୍ଷମ। ଯେଉଁ ସ୍ବପ୍ନ ନେଇ ସେ ସଂସାର ଆରମ୍ଭ କରିଥିଲେ ଆଜି ସେ ରାସ୍ତା କଣ୍ଟକିତ ା ଜୀବନ ତାଙ୍କ ପାଇଁ ଯନ୍ତ୍ରଣାଭରା ା ପତ୍ନୀ, ଦୁଇ ସନ୍ତାନଙ୍କ ଭାର ସାଙ୍ଗକୁ ନିଜ ଅକ୍ଷମତା ତାଙ୍କୁ ସମ୍ପୂର୍ଣ୍ଣ ଅସହାୟ କରିଦେଇଛି ା ସେକ୍ଟର-୧୭ସ୍ଥିତ ହୋମ୍ ଆଣ୍ଡ ହୋପ୍ରେ ପଞ୍ଚମ ଯାଏ ପଢ଼ିଛନ୍ତି ସେ ା ରାଜ୍ୟସ୍ତରୀୟ କ୍ରୀଡ଼ା ଓ ଜାତୀୟ କ୍ରୀଡ଼ାରେ ସେ ୫୦ରୁ ଊର୍ଦ୍ଧ୍ବ ପଦକ ପାଇଛନ୍ତି ା ୧୯୯୪ ଜାନୁଆରୀରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ ପ୍ରତିଯୋଗିତାରେ ସେ ୧୦୦ମିଟର ଦୌଡ଼ରେ ରୌପ୍ୟପଦକ, ୨୦୦୭ ଚୀନ୍ର ସାଂଘାଇରେ ଆନ୍ତର୍ଜାତିକ ସ୍ପେଶାଲ ଅଲିମ୍ପିକ୍ରେ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜପଦକ, ୨୦୦୯ରେ କୋଲକାତାରେ ଜାତୀୟ ଅାବିଲିମ୍ପିକ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ପୁଷ୍ପଗୁଚ୍ଛ ସଜା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ ଫିରୋଜ ା ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ ଥିଲେ ା ଆଜି କିନ୍ତୁ ସେ ସମ୍ପୂର୍ଣ୍ଣ ଅବହେଳିତ ା ସରକାରୀ ସହାୟତା କହିଲେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ା ରାସନ କାର୍ଡ ନ ଥିବାବେଳେ ‘ସମାଜ’ରେ ଖବର ବାହାରିବା ପରେ ଭାଇ ରାସନ କାର୍ଡରୁ ତାଙ୍କ ନାମ ଯଦିଓ ଅଲଗା କରାଯାଇଛି, ତଥାପି ତାଙ୍କ ରାସନ କାର୍ଡରେ ପତ୍ନୀ ଓ ଦୁଇ ଛୁଆଙ୍କ ନାମ ଯୋଡ଼ାଯାଇପାରିନି ା ଏଣୁ ସେ କେବଳ ୫କେଜି ଚାଉଳ ପାଉଛନ୍ତି ା ସେହିପରି ରାସନ କାର୍ଡ ଅନୁସାରେ ତାଙ୍କୁ ଯଦିଓ ଆୟୁଷ୍ମାନ କାର୍ଡ ମିଳିଛି ସେଥିରେ କେବଳ ତାଙ୍କ ନାମ ଥିବାରୁ ତାଙ୍କ ନାମରେ ହିଁ ଆୟୁଷ୍ମାନ କାର୍ଡ ହୋଇଛି ା ଦୁଇ ସନ୍ତାନ ଓ ସ୍ତ୍ରୀଙ୍କ ନାମ ନ ଥିବାରୁ ସେମାନେ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଚିତ ା ୮୦ ପ୍ରତିଶତ ଦିବ୍ୟାଙ୍ଗ ଫିରୋଜଙ୍କ ପରିବାରର ଚାରି ସଦସ୍ୟ ଚଳିବା ପାଇଁ ସାହାରା ମାତ୍ର ୫ରୁ ୬ହଜାର ଟଙ୍କା ା ଏସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପରେ ଅଧିକାରୀ ଯାଇ ରିପୋର୍ଟ ଦେଲେ ା ତେବେ ରିପୋର୍ଟ କେଉଁଠି ଅଟକିଗଲା କେଜାଣି ଫିରୋଜଙ୍କ ସମସ୍ୟା କିନ୍ତୁ ସମାଧାନ ହୋଇପାରିଲାନାହିଁ। ଦିବ୍ୟାଙ୍ଗ କ୍ରୀଡ଼ାବିତ୍ଙ୍କୁ ସରକାର ହାତ ଖୋଲା ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଫିରୋଜଙ୍କ ପାଇଁ ଏସବୁ ଅପହଞ୍ଚ ା ଅନ୍ୟପକ୍ଷରେ ଏ ନେଇ ଜିଲା କ୍ରୀଡ଼ା ଅଧିକାରୀ ତେଜକୁମାର ଖେସଙ୍କ ପ୍ରତିକ୍ରିୟା ନେବାରେ ତାଙ୍କ ଅସୁବିଧା ସମ୍ପର୍କରେ ପୁଣିଥରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଫେଇ ଦେଇଛନ୍ତି ା
Popular Categories



