ପଣ୍ଡିତ ନେେହରୁ ଭାରତରେ ଗଣତନ୍ତ୍ରର ମୂଳଦୁଆ ପକେଇଥିଲେ। ତାହା ମଧ୍ୟ ହୁଗୁଳା ଥିଲା। ହୁଗୁଳା ହେବାର ପ୍ରମୁଖ କାରଣ ହେଉଛି ଯେ ଗାନ୍ଧୀଙ୍କ ପଟ୍ଟଶିଷ୍ୟ ବୋଲାଉଥିବା ଜବାହରଲାଲ ଗୁରୁଙ୍କୁ ପ୍ରତ୍ୟକ୍ଷ ନୋହିଲେ ସୁଦ୍ଧା ପରୋକ୍ଷ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ।
ଗୁରୁ ଗାନ୍ଧୀଙ୍କ ଅଗୋଚରରେ ସେ ଭାରତର ବିଭାଜନ ପତ୍ରରେ ସ୍ବାକ୍ଷର କରିଥିଲେ। ଏହା ଫଳରେ ହିନ୍ଦୁ ମୁସଲମାନ ବିେଦ୍ବଷର ମଞ୍ଜି ପୋତା ହେଲା।
ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରି ଗୋପାଳକୃଷ୍ଣ ଗୋଖଲେଙ୍କ ଉପଦେଶ ମାନି ଭାରତକୁ ଚିହ୍ନିବାକୁ ଦୁଇବର୍ଷ ଭାରତର ଅନ୍ଦିସନ୍ଧି ବୁଲି ଏଇ ନିଷ୍କର୍ଷରେ ପହଞ୍ଚିଲେ ଯେ ଭାରତର ସଂସ୍କୃତି ତା’ର ସାତଲକ୍ଷ ଗାଁରେ ବଞ୍ଚିଛି। ସେ ‘ହିନ୍ଦ୍ ସ୍ବରାଜ’ ବହି ଲେଖିଲେ। ଜବାହରଲାଲ ତାଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଗ୍ରାମ ଉନ୍ନୟନ ବିଭାଗ ରଖି ନ ଥିଲେ।
ସ୍ବାଧୀନତା ପ୍ରାପ୍ତି ସାଙ୍ଗେ ସାଙ୍ଗେ ସେ ସାମ୍ରାଜ୍ୟବାଦୀ ଶିକ୍ଷା ବ୍ୟବସ୍ଥାକୁ ଆପଣେଇଲେ। ଶିକ୍ଷା ବ୍ୟବସ୍ଥାର ପ୍ରବକ୍ତା ମ୍ୟାକଲେ କହିଥିଲେ ଯେ ଯେଉଁମାନେ ଏହି ବ୍ୟବସ୍ଥାରୁ ଉତୁରିବେ ସେମାନେ ଜନ୍ମରେ ଭାରତୀୟ ହେବେ। ରୀତିନୀତି, ଚାଲିଚଳନ ଓ ମୂଲ୍ୟବୋଧରେ ସେମାନେ ଇଂରେଜ ହେବେ। ସ୍ବାଧୀନତା ପରବର୍ତ୍ତୀ ଶିକ୍ଷିତ ଗୋଷ୍ଠୀ ଏବଂ ସେମାନେ ନେତୃତ୍ବ ନେଉଥିବା ବିକାଶ ଯେ ପଶ୍ଚିମ ମୁହାଁ ହେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଗାନ୍ଧୀ କହିଥିଲେ ଯେ ବ୍ରିଟିଶ ଶସ୍ତ୍ରାଗାରରେ ଯେତେ ଅସ୍ତ୍ରଶସ୍ତ୍ର ଅଛି, ସବୁଠାରୁ ବିପଜ୍ଜନକ ହେଉଛି ଇଂରାଜୀ ଭାଷା। ଜବାହରଲାଲ ସେଇ ଇଂରାଜୀକୁ ରାଷ୍ଟ୍ରୀୟ ମାନ୍ୟତା ଦେଲେ। ଫଳରେ ଏକ ବହୁଭାଷିକ ବହୁସାଂସ୍କୃତିକ ରାଜ୍ୟରେ ଏକଭାଷିକତା ମାନ୍ୟତା ପାଇଲା। ଆପଣା ଭାଷାମାନେ ଅଣଦେଖା ହେଲେ।
ଅଧିକ ନ କହି ଏତିକି କହିଲେ ଯଥେଷ୍ଟ ହେବ ଯେ ପଶ୍ଚିମମୁହାଁ ଗଣତନ୍ତ୍ରରେ ବିକାଶ ସଙ୍କୁଚିତ ହେବାରେ ଲାଗିଚି। ଭାରତର ଅର୍ଥନୀତି ପୃଥିବୀରେ ତୃତୀୟ ସ୍ଥାନକୁ ଗତି କରୁଥିବା ବେଳେ ଦାରିଦ୍ର୍ୟ, ବେକାରୀ ବଢ଼ି ଚାଲିଛି ଏବଂ ଗଣ ପ୍ରଶାସନରୁ ଦୂରେଇବାରେ ଲାଗିଛି।
ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଭୁବନେଶ୍ବର



