www.samajalive.in
Wednesday, December 10, 2025
23.1 C
Bhubaneswar

ସମ୍ପାଦକୀୟ : ମାଗଣା ଯୋଜନା

ଭବିଷ୍ୟତ ପିଢୀ ପାଇଁ ବୋଝ ନହେଉ 

ବିହାର ନିର୍ବାଚନରେ ଏନଡିଏର ମହା ବିଜୟ ପରେ ପୁଣି ଥରେ ମାଗଣା ଯୋଜନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିହାରରେ ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ଦଶହଜାର ଟଙ୍କା ଦିଆଗଲା ଯାହାର ଫଳାଫଳ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଲା; କିନ୍ତୁ ଏହାର ଦୀର୍ଘକାଳୀନ ପରିଣାମ କ’ଣ ହେବ, ତାହା ଚିନ୍ତାର ବିଷୟ। ବିହାର ଏକ ଗରିବ ରାଜ୍ୟ, ଯାହାର ଆର୍ଥିକ ନିଅଣ୍ଟ ଜିଡ଼ିପିର ଛଅ ପ୍ରତିଶତ। ଏପରି ସ୍ଥିତିରେ ସରକାର ନିଜ ଆୟର ୪% ମାଗଣା ଯୋଜନାରେ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ।
କଲ୍ୟାଣକାରୀ ଯୋଜନା ସବୁବେଳେ ଭାରତୀୟ ରାଜନୀତିର ଏକ ଅଂଶ ରହିଆସିଛି। ଗରିବଙ୍କୁ ଶସ୍ତା ଚାଉଳ, ପିଲାମାନଙ୍କୁ ମାଗଣା ସାଇକଲ, ପୋଷାକ, ମଧ୍ୟାହ୍ନଭୋଜନ, ଅସହାୟ, ବୃଦ୍ଧବୃଦ୍ଧା, ବିଧବାଙ୍କୁ ପେନ୍‌ସନ ଭଳି ଯୋଜନାଗୁଡ଼ିକ ଦୀର୍ଘକାଳ ଧରି ଲୋକଙ୍କୁ ସାହାଯ୍ୟ କରେ; କିନ୍ତୁ ଏବେ ଯାହା ଦେଖାଯାଉଛି, ତାହା ଭିନ୍ନ। ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଦଳ ମଧ୍ୟରେ ଭୋଟରଙ୍କୁ ସିଧାସଳଖ ନଗଦ ଟଙ୍କା ବାଣ୍ଟିବା ପ୍ରତିଶ୍ରୁତିର ପ୍ରତିଯୋଗିତା ଚାଲୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ମାଗଣା ବାଣ୍ଟିବା ସଂସ୍କୃତି ବିରୋଧରେ ସତର୍କ କରାଉଛନ୍ତି; କିନ୍ତୁ ବିଜେପି ନିଜେ ମହାରାଷ୍ଟ୍ର, ଓଡ଼ିଶା, ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ମହିଳାମାନଙ୍କୁ ନଗଦ ଟଙ୍କା ଦେବାର ଯୋଜନା ଚଳାଉଛି, ଯାହା ଏକ ବିରୋଧାଭାସ। ଏହାର କାରଣ ସ୍ପଷ୍ଟ। ରାଜନୈତିକ ଗଣିତ ଅନୁସାରେ ଯିଏ ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେବ, ସେ ଜିତିବ।
ଏହା ଏକ ବିଡ଼ମ୍ବନା ଯେ ଭାରତୀୟ ଭୋଟରମାନେ ପ୍ରାୟତଃ ନିର୍ବାଚନ ସମୟରେ ହିଁ ସରକାରଙ୍କ ଠାରୁ ପ୍ରକୃତ ଲାଭ ପାଇଥାନ୍ତି। ବାକି ପାଞ୍ଚ ବର୍ଷ ଚାକିରି, ବିକାଶ ବା ଆୟ ବୃଦ୍ଧି ନ ହେବାରୁ ଲୋକେ ନିର୍ବାଚନ ସମୟରେ ସିଧାସଳଖ ଟଙ୍କା ପାଇବାକୁ ପସନ୍ଦ କରନ୍ତି। ତେଣୁ ଯେଉଁ ଦଳ ଅଧିକ ପ୍ରତିଶ୍ରୁତି ଦିଏ, ତାକୁ ଭୋଟ ଦିଅନ୍ତି।
ଏହାର ପରିଣାମ କ’ଣ? ଦେଶର ୨୧ଟି ରାଜ୍ୟ ବର୍ତ୍ତମାନ ସ୍ଥିର କରାଯାଇଥିବା ଆର୍ଥିକ ନିଅଣ୍ଟ ସୀମା ଅତିକ୍ରମ କରିସାରିଛନ୍ତି। ଅର୍ଥାତ୍ ସେମାନେ ଯେତିକି ଆୟ କରୁଛନ୍ତି, ତା’ଠାରୁ ବହୁତ ଅଧିକ ଖର୍ଚ୍ଚ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ବାରମ୍ବାର ସତର୍କ କରାଇଛି ଯେ ଏହି ମାଗଣା ଯୋଜନାଗୁଡ଼ିକ ଲୋକଙ୍କ ବିକାଶ ନିମନ୍ତେ ଥିବା ଖର୍ଚ୍ଚକୁ ବାଧା ଦେଉଛି।
ଆସନ୍ତା ବର୍ଷ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାରୁ, ସମସ୍ତ ଦଳ ଆହୁରି ବଡ଼ ମାଗଣା ଯୋଜନାର ପ୍ରତିଶ୍ରୁତି ଦେବେ। ବିହାରର ବିଜୟ ଏହି ପ୍ରତିଯୋଗିତାକୁ ଆହୁରି ତୀବ୍ର କରିବ।
ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ସଙ୍କଟଜନକ ସ୍ଥିତି। ଗରିବ ଲୋକଙ୍କୁ ସାହାଯ୍ୟ ଦରକାର, ଏହା ସତ୍ୟ; କିନ୍ତୁ ସାହାଯ୍ୟ ସିଧାସଳଖ ନଗଦ ଟଙ୍କାରେ ନଦେଇ ସ୍ଥାୟୀ ବିକାଶ ମାଧ୍ୟମରେ ଦିଆଯିବା ଉଚିତ। ଭୋଟରଙ୍କୁ ମାଗଣା ଯୋଜନା ଉପରେ ନିର୍ଭର ନକରି ପ୍ରକୃତ ବିକାଶ ଯେମିତି କି ଚାକିରି, ଆତ୍ମନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଉପରେ ବିଶ୍ୱାସ କରିବାକୁ ପ୍ରେରିତ କରାଯିବା ଦରକାର। ଯଦି ଭାରତ ନିର୍ବାଚନ ଚାପ ଏବଂ ଆର୍ଥିକ ଦାୟିତ୍ୱ ମଧ୍ୟରେ ଭାରସାମ୍ୟ ନ ରଖେ, ତେବେ ଆଜିର ମାଗଣା ବଣ୍ଟନ ପାଇଁ ନିଆଯାଉଥିବା ଋଣ ଭବିଷ୍ୟତ ପିଢ଼ି ସକାଶେ ବୋଝ ହୋଇଯିବ ଏବଂ ଦେଶ ଶ୍ରୀଲଙ୍କା-ପାକିସ୍ତାନ ଭଳି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories