ମାନସିକତାରେ ପରିବର୍ତ୍ତନ ବିଶେଷ ଜରୁରୀ
ଭୁବନେଶ୍ୱରରେ ଅନୁଷ୍ଠିତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା – “ଜିଲାପାଳମାନେ ଅଧିକ କ୍ଷେତ୍ର ପରିଦର୍ଶନ କରନ୍ତୁ” – କୌଣସି ନୂତନ ନିେର୍ଦଶ ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତି ଜିଲାପାଳ ସମ୍ମିଳନୀରେ ଏହା ଉପରେ ଗୁରୁତ୍ୱାରୋପ କରୁଥିଲେ। ଏହି ସରଳ ନିେର୍ଦଶ ପଛରେ ଲୁଚି ରହିଛି ଏକ ଗଭୀର ସତ୍ୟ – ପ୍ରକୃତ ଶାସନ ଶୀତତାପ ନିୟନ୍ତ୍ରିତ କକ୍ଷରେ ନୁହେଁ, ବରଂ ଲୋକଙ୍କ ମେଳରେ, ସେମାନଙ୍କ ନିଜ ପରିବେଶରେ ହିଁ ସମ୍ଭବ ହୁଏ। ପ୍ରତ୍ୟେକ ଜିଲାପାଳ ନିଜ ଜିଲାର ପ୍ରତିଟି ଗାଁକୁ ଅନ୍ତତଃ ଥରେ ପରିଦର୍ଶନ କରିବା, ସେଠାକାର ଲୋକଙ୍କ ସହ ମିଶିବା ଏବଂ ସେମାନଙ୍କ ସମସ୍ୟାକୁ ନିଜେ ଶୁଣିବା ଅତ୍ୟନ୍ତ ଆବଶ୍ୟକ । କେବଳ ବ୍ଲକ୍ ମୁଖ୍ୟାଳୟ କିମ୍ବା ଉପଜିଲା ସଦର ମହକୁମାକୁ ଯିବା ଯଥେଷ୍ଟ ନୁହେଁ, କାରଣ ପ୍ରକୃତ ଭାରତ ଗାଁରେ ହିଁ ବାସ କରେ। ବର୍ତ୍ତମାନର ବ୍ୟବସ୍ଥାରେ ଅଧିକାଂଶ ଜିଲାପାଳ ଏହି ନିେର୍ଦଶକୁ ସମ୍ପୂର୍ଣ୍ଣ ରୂପେ ପାଳନ କରନ୍ତି ନାହିଁ। ସେମାନେ ମୁଖ୍ୟତଃ ଜିଲା ସଦର ମହକୁମାରେ କାର୍ଯ୍ୟ କରୁଥିବାବେଳେ, କ୍ଷେତ୍ର ପରିଦର୍ଶନ କେବଳ ସଭାସମିତି ବା ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟକ୍ରମରେ ସୀମିତ ରହିଥାଏ। ତେବେ ଜିଲାର ମୁଖ୍ୟ ଭାବେ ପ୍ରକୃତରେ ଗାଁରେ କ’ଣ ହେଉଛି, ଲୋକେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ – ଏସବୁ ଜାଣିବା ଏକାନ୍ତ ଆବଶ୍ୟକ। କାରଣ ଆମର ଶାସନରେ କାଗଜପତ୍ରରେ ସବୁକିଛି ଠିକ୍ ଦେଖାଯାଉଥିଲେ ମଧ୍ୟ ବାସ୍ତବତା ଭିନ୍ନ ହୋଇଥାଏ।
ଓଡ଼ିଶାରେ କିଛି ଯୁବ ଆଇଏଏସ୍ ଜିଲାପାଳ ଭାବରେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି, ଗାଁଗହଳି ବୁଲୁଛନ୍ତି, ଏପରି କି ବିଦ୍ୟାଳୟରେ ପାଠ ମଧ୍ୟ ପଢାଉଛନ୍ତି, ଯାହା ଏକ ସକାରାତ୍ମକ ପଦକ୍ଷେପ । ବରିଷ୍ଠ ଜିଲାପାଳମାନେ ଏହାକୁ ଉଦାହରଣ ଭାବରେ ଗ୍ରହଣ କରିବା ଉଚିତ। ପ୍ରତ୍ୟେକ ଜିଲାପାଳ ନିଜ ଜିଲା ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ। ପ୍ରତି ମାସରେ ଅନ୍ତତଃ ୧୦ଟି ଗାଁ ବୁଲିବା ଦ୍ୱାରା ବର୍ଷକୁ ୧୨୦ଟି ଗାଁ ପରିଦର୍ଶନ କରାଯାଇପାରିବ। ପ୍ରତ୍ୟେକ ଗାଁରେ ଅନ୍ତତଃ ଦୁଇ ଘଣ୍ଟା ଅତିବାହିତ କରିବା, ଲୋକଙ୍କ ସହ କଥା ହେବା, ସେମାନଙ୍କ ସମସ୍ୟାକୁ ନୋଟ୍ କରିବା ଏବଂ ସାଙ୍ଗରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିେର୍ଦଶ ଦେବା ଭଳି କାର୍ଯ୍ୟ ଜନସାଧାରଣଙ୍କ ମନରେ ଏକ ଆଦର୍ଶ ପ୍ରଶାସନର ଛବି ସୃଷ୍ଟି କରିବ। କ୍ଷେତ୍ର ପରିଦର୍ଶନ ଦୁର୍ନୀତି ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ। ଯେତେବେଳେ ଜିଲାପାଳ ନିଜେ ଗାଁକୁ ଯିବେ, ଲୋକଙ୍କ ସହ କଥା ହେବେ, ସେତେବେଳେ ସେ ଜାଣିପାରିବେ କେଉଁଠି ଦଲାଲ କାମ କରୁଛନ୍ତି, କେଉଁଠି ଅଧିକାରୀ ଲାଞ୍ଚ ନେଉଛନ୍ତି, କେଉଁଠି ଯୋଜନାର ଟଙ୍କା ଅପବ୍ୟବହାର ହେଉଛି। ଜିଲାପାଳମାନଙ୍କ ହାତରେ ଗୋଟିଏ ଜିଲାକୁ ସୁଧାରିବାର ସଂପୂର୍ଣ୍ଣ ସୁଯୋଗ ରହିଛି। ଆବଶ୍ୟକତା କେବଳ ଲୋକଙ୍କ ଲାଗି କିଛି କରିବାର ମାନସିକତା ଏବଂ ଅଙ୍ଗୀକାର । ଆଶା କରାଯାଏ ଯେ ସମ୍ମିଳନୀରୁ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ବାବୁମାନେ ଫେରିବେ ଏବଂ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ମନୋନିବେଶ କରିବେ।



