ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଏକ ୧୪ ବର୍ଷିଆ ନାବାଳିକା ଦୁଷ୍କର୍ମ ଏବଂ ଡ଼କାୟତି ମାମଲାରେ ବିଚାର କରି ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ୧୮ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ, ପୀଡ଼ିତାଙ୍କ ବୟାନ୍ ଏବଂ ଟିଆଇ ପରେହ୍ ଆଧାରରେ ବିଚାରପତି ଉପରୋକ୍ତ ରାୟ ଦେବା ସହିତ ଅଭିଯୁକ୍ତମାନଙ୍କୁ ୨୬ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ୫ ବର୍ଷ ଲେଖାଏଁ ଅଧିକ ଜେଲଦଣ୍ଡାଦେଶ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି।
ଅଭିଯୁକ୍ତ ମାନେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ମୁସେଲିପାଙ୍ଗା ଗ୍ରାମର ଅଶୋକ ମୁଖୀ(୨୪), ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଅଂଚଳର ସୁଶାନ୍ତ ନାୟକ(୨୯), କୃପାକର ମୁଖୀ(୪୭), ଜେରହ ନାୟକ(୩୩) ଏବଂ ଯୋଶେଫ୍ ରୁପାମାଝୀ(୨୫)। ସରକାରଙ୍କ ତରଫରୁ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପି.ପି ବନମାଳୀ ବେହେରା ମାମାଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ , ୨୦୨୪ ଏପ୍ରିଲ ୨୪ ରାତି ପ୍ରାୟ ୯ଟା ୩୦ରେ ଅଭିଯୁକ୍ତମାନେ ମୁହଁରେ ମୁଖା ପିନ୍ଧି ପୀଡ଼ିତାଙ୍କ ଘର ଭିତରକୁ ଜୋର ଜବରଦସ୍ତ ପ୍ରବେଶ କରି ଖାଇବାକୁ ମାଗିଥିଲେ। ହାତରେ ପିସ୍ତଲ, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହିତ ୫୦ ହଜାର ଟଙ୍କା, ସୁନାମାଳୀ, କାନ ଫୁଲ ଏବଂ ତିନୋଟି ମୋବାଇଲ୍ ଲୁଟ୍ କରିଥିଲେ। ସେମାନେ ନିଜକୁ ନକ୍ସଲ ବୋଲି କହି ପୀଡ଼ିତାଙ୍କୁ ଆମ ମାଡ଼ାମ୍କୁ ଭାତ ଖାଇଦାବୁ ନେଇ ଦେବୁ ବୋଲି ଟାଣି ଟାଣି ନେଇଥିଲେ। ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଏକ ପଡ଼ିଆରେ ନାବାଳିକାଙ୍କୁ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ। ଆସନ୍ତାକାଲି ଆସି ତୋତେ ନେଇଯିବୁ ବୋଲି ଧମକ ଦେବା ସହିତ ନ ଗଲେ ତୋତେ ଏବଂ ତୋର ଘର ଲୋକଙ୍କୁ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ। ପୀଡ଼ିତା ଜଣକ ଘରକୁ ଫେରି ଘଟଣା ସଂପର୍କରେ କହିଥିଲେ। ଏହା ପରେ ପୀଡ଼ିତାଙ୍କ ବାପା ତା’ ପରଦିନ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ କେସ ନଂ ୧୦୭ରେ ଏକ ମାମଲା ରୁଜୁକରି ଏସ୍.ଆଇ ଦୀପକ ରାଉତଙ୍କୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ତଦନ୍ତ କରି ତଦନ୍ତ ଅଧିକାରୀ ରାଉତ ବହୁ ଚତୁରତାର ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବୁଧବାର ଏହି ମାମଲାରେ ରାୟ ପ୍ରକାଶ ହୋଇଛି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସହାୟତା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସେହି ସମୟରେ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।



