ଭୁବନେଶ୍ବର: ପୁଣି ଅକ୍ଟୋବରରେ ବଙ୍ଗୋପ ସାଗରରେ ଆସୁଛି ବାତ୍ୟା ‘ମନ୍ଥା’। ସମ୍ଭାବ୍ୟ ବାତ୍ୟାର ନାମ ଆଇଏମ୍ଡି ପକ୍ଷରୁ କରାଯାଇ ନଥିଲେ ମଧ୍ୟ ଥାଇଲାଣ୍ଡ ପକ୍ଷରୁ ଏହାର ନାମକରଣ ‘ମନ୍ଥା’ ରହିବ। ୧୯୯୯ ମହାବାତ୍ୟା ଭଳି ଅକ୍ଟୋବର ୨୮ ଓ ୨୯ତାରିଖରେ ସାମୁଦ୍ରିକ ଝଡ଼ ସମ୍ଭାବନା ଡରାଇଲାଣି। ଆସନ୍ତା ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଶୁକ୍ରବାର ସ୍ପଷ୍ଟ କରିଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଶନିବାର ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଘନୀଭୂତ ହୋଇ ୨୬ ତାରିଖରେ ଗଭୀର ଅବପାତ ରୂପ ନେବା ଆଶଙ୍କା ଅଛି। ପରେ ଆହୁରି ଅଧିକ ଘନୀଭୂତ ହୋଇ ୨୭ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ସ୍ପଷ୍ଟ କରିଛି। ସମ୍ଭାବ୍ୟ ବାତ୍ୟାର ବେଗ କେତେ ରହିବ, କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, କେଉଁ ରାଜ୍ୟ ଅଧିକ ପ୍ରଭାବିତ ହେବ ସେ ସଂକ୍ରାନ୍ତରେ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଏହା ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ନେଲୁରୁଠାରୁ ବିଶାଖାପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବାନୁମାନ କରାଯାଉଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସତ ବର୍ଷା ସମ୍ଭାବନା ରହିଛି। ବିେଶଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫କି.ମି. ବେଗରେ ପବନ ବହିବାକୁ ଥିବାବେଳେ ୨୭ରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ଛୁଇଁପାରେ।
୨୮ ଓ ୨୯ ତାରିଖରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦କି.ମି. ବେଗରେ ବହିବା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୮ରେ ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି। ଏହି ସମୟରେ ପଶ୍ଚିମାଝଡ଼ର ପ୍ରଭାବ ରହିବ। ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶର ନେଲୋରରୁ ବିଶାଖାପାଟଣା ମଧ୍ୟରେ ୨୮ତାରିଖ ରାତି କିମ୍ବା ୨୯ତାରିଖ ସକାଳୁ ସ୍ଥଳଭାଗ ଛୁଇଁପାରେ। ଯଦି ପଶ୍ଚିମାଝଡ଼ ପ୍ରଭାବ ପଡ଼େ, ତେବେ ୨୯ତାରିଖରେ ବାତ୍ୟା ଦୁର୍ବଳ ହୋଇ ଓଡ଼ିଶା ଉପକୂଳକୁ ମୁହଁାଇବା ସମ୍ଭାବନା ରହିଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ବାଲେଶ୍ବର ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିପାରେ। ଘନୀଭୂତ ହେଲା ପରେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଶନିବାର ସ୍ପଷ୍ଟ ଆକଳନ କରାଯାଇପାରିବ।
ସେହିଭଳି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ବଙ୍ଗୋପସାଗର ସହିତ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବ। ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଆରବ ସାଗର ସିଷ୍ଟମ ଯୋଗୁଁ ବାତ୍ୟାର ତୀବ୍ରତା ଏବଂ ଗତିପଥ ସଠିକ ଆକଳନ କରାଯାଉ ପାରୁନି। ଆସନ୍ତା ୨୬ତାରିଖ ବେଳକୁ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଲଘୁଚାପ ବାତ୍ୟା ରୂପ ନେବ ବୋଲି ଆଇଏମଡି ଶୁକ୍ରବାର ସ୍ପଷ୍ଟ କରିଛି। ସମ୍ଭାବ୍ୟ ବାତ୍ୟା ଦ୍ବାରା ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ଅଧିକ ପ୍ରଭାବ ପଡ଼ିବାକୁ ଥିବାବେଳେ ଉପକୂଳ, ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସଜାଗ କରାଯାଇଛି। ସମସ୍ତ ବିଭାଗ ନିଜ ନିଜ ସ୍ତରରେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଉଛି। ଜିଲା ପ୍ରଶାସନକୁ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଉଛି। ସେଠାରେ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ଔଷଧ ଗଚ୍ଛିତ ରଖାଯାଇ ଥିବାବେଳେ ସାପକାମୁଡ଼ା ଇଞ୍ଜେକ୍ସନ ରହିଛି। ଗର୍ଭବତୀଙ୍କ ତଥ୍ୟ ସଂଗ୍ରହ ଲାଗି ନିର୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଆଗୁଆ ଡାକ୍ତରଖାନାରେ ଆଣି ରଖାଯିବ। ଓଡ୍ରାଫ ଓ ଏନଡିଆରଏଫଠାରୁ ଆରମ୍ଭ କରି ସମସ୍ତ ଦିଗରେ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।



