ଭୁବନେଶ୍ବର: ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୫ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି। ସେହିପରି ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା କୁହାଯାଇଛି। ତେବେ ପାଣିପାଗ ବିଭାଗ ଏହା ଉପରେ କିଛି ସୂଚନା ଦେଇ ନାହିଁ।
୧୯୯୯ ଅକ୍ଟୋବର ୨୮ ଓ ୨୯ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଚଳିତ ବର୍ଷ ମହାବାତ୍ୟାକୁ ୨୬ବର୍ଷ ପୂରୁଥିବା ବେଳେ ଏସନ ପୁଣି ସେହି ଅକ୍ଟୋବର ୨୮ ଓ ୨୯ତାରିଖ ବାତ୍ୟା ସମ୍ଭାବନା ଛନକା ପଶିଲାଣି। ଅକ୍ଟୋବର ୨୫ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସମୁଦ୍ରରେ ପାଗ ଅନୁକୂଳ ଥିବାରୁ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା (ବଡ଼ ବାତ୍ୟା) ରୂପ ନେଇପାରେ ବୋଲି ଆମେରିକା ପାଣିପାଗ ସଂସ୍ଥା ଜିଏଫ୍ଏସ୍ ପୂର୍ବାନୁମାନ କରିଛି। ଆଉ କିଛି ମଡେଲ ବାତ୍ୟା (ଛୋଟ ବାତ୍ୟା) ବୋଲି ଆକଳନ କରିଛନ୍ତି। ହେଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହା ଉପରେ କିଛି ସ୍ପଷ୍ଟ କରିନାହିଁ। ମଡେଲଗୁଡ଼ିକର ଆକଳନ ଭିନ୍ନ ଭିନ୍ନ ଥିବାରୁ ସାମୁଦ୍ରିକ ଝଡ଼ ଉପରେ ସ୍ପଷ୍ଟ ଆକଳନ କରାଯାଇ ପାରୁନି।
ସମ୍ଭାବ୍ୟ ଲଘୁଚାପ କେତେଦୂର ଘନୀଭୂତ ହେବ, କେତେ ପ୍ରଭାବ ରହିବ, କେଉଁ ଆଡ଼କୁ ଗତି କରିବ ଏବଂ କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଏବଂ ସାମୁଦ୍ରିକ ଝଡ଼ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ଉତ୍ତର-ପୂର୍ବ ମୌସୁମୀ ବାୟୁ ଶକ୍ତିଶାଳୀ ହେଉଛି। ନଭେମ୍ବର ଶେଷ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ସୃଷ୍ଟିର ସଙ୍କେତ ମିଳୁଛି। ଦକ୍ଷିଣ ଚାଇନା ସାଗରରୁ ଅବପାତ କିମ୍ବା ଗଭୀର ଅବପାତର କିଛି ଅଂଶ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ୨୫ତାରିଖ ବେଳକୁ ଆସିବ। ଲଘୁଚାପ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ସେହି ସମୟରେ ଆରବ ସାଗରରେ ଆଉ ଗୋଟିଏ ଲଘୁଚାପ େକ୍ଷତ୍ର ସୃଷ୍ଟି ହେବାର ସଙ୍କେତ ମିଳୁଛି। କିଛି ମଡେଲ ବାତ୍ୟା ଆକଳନ କରିଥିବାବେଳେ ଆଉ କିଛି ମଡେଲ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ କରିପାରୁ ନାହାନ୍ତି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସାମୁଦ୍ରିକ ଝଡ଼ ଉପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ।



