www.samajalive.in
Friday, December 5, 2025
26.1 C
Bhubaneswar

ଜାପାନରେ ନୂଆ ଅଧ୍ୟାୟ

ନିକଟରେ ସାନାଏ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ଜାପାନର ରାଜନୈତିକ ଇତିହାସରେ ଏକ ନୂଆ ଅଧ୍ୟାୟ। ପରମ୍ପରାକୁ ଗଭୀର ଭାବେ ମାନୁଥିବା, ପରିବର୍ତ୍ତନକୁ ସହଜରେ ଗ୍ରହଣ କରୁ ନ ଥିବା ଏକ ଦେଶ ପାଇଁ ତାକାଇଚିଙ୍କ ଏହି ସଫଳତା ଏକ ବିପ୍ଳବ ସଦୃଶ। ନାରା ପ୍ରିଫେକଚରର ଏକ ଛୋଟ ସହରରୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏକ ଅସାଧାରଣ କାହାଣୀ । ଜଣେ ପୁଲିସ ଅଧିକାରୀଙ୍କ ଝିଅ ଭାବେ ଜନ୍ମ ହୋଇଥିବା ତାକାଇଚି ନିଜର ଦୃଢ଼ତା, ଆତ୍ମବିଶ୍ୱାସ ଓ ସଂକଳ୍ପ ବଳରେ ଏଠାରେ ପହଞ୍ଚି ପାରିଛନ୍ତି। ଏହି ପଦ ପାଇଁ ଲଢ଼ି ସେ ଦୁଇଥର ପରାଜିତ ହୋଇଥିଲେ, କିନ୍ତୁ ହାର ମାନି ନଥିଲେ। ଜାପାନର “ଆଇରନ ଲେଡି” ବା “ଲୌହ ମାନବୀ” ହେବାର ସ୍ୱପ୍ନ ସେ ଦୀର୍ଘଦିନ ଧରି ଦେଖୁଥିଲେ ଏବଂ ତାହା ବର୍ତ୍ତମାନ ସାକାର ହୋଇଛି। ତାକାଇଚି କୌଣସି ରାଜନୈତିକ ପରିବାରରୁ ଆସିନାହାନ୍ତି। ଏକଦା ଟେଲିଭିଜନ ଉପସ୍ଥାପିକା, ସ୍କୁବା ଡାଇଭର ଓ ଡ୍ରମର୍ ଥିବା ତାକାଇଚି ନିଜର କଠିନ ପରିଶ୍ରମ ଓ ସଂକଳ୍ପ ବଳରେ ଉପରକୁ ଉଠିଥିଲେ । ଯେଉଁ ରାଜନୈତିକ ସଂସ୍କୃତିରେ ସମନ୍ୱୟ ଓ ମୌନ ରହିବାକୁ ମହତ୍ତ୍ବ ଦିଆଯାଏ, ସେଠାରେ ସେ ନିର୍ଭୟରେ ନିଜର ମତ ପ୍ରକାଶ କରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନ ମିଳିଥିଲା ଓ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କର ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ ଲାଗି ସେ ସୁପରିଚିତ। ସେ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି ଏବଂ ବିବାହିତ ମହିଳାମାନଙ୍କୁ ନିଜ ପୂର୍ବ ନାମ ରଖିବାକୁ ଅନୁମତି ଦେବାକୁ ଅସମ୍ମତି ପ୍ରକାଶ କରିଛନ୍ତି। ଏହି ମତାମତ ଜାପାନର ଯୁବ ପିଢ଼ିଙ୍କ ସହ ମେଳ ଖାଏ ନାହିଁ।

ଅନ୍ୟପକ୍ଷରେ କର୍ମଜୀବୀ ମାଆମାନଙ୍କ ପାଇଁ ଟିକସ ଛାଡ଼, ଶିଶୁ ଯତ୍ନ ସୁବିଧା ଏବଂ ବୟସ୍କଙ୍କ ଯତ୍ନର ଉନ୍ନତି ପାଇଁ ତାଙ୍କର ପ୍ରସ୍ତାବ ଦର୍ଶାଏ ଯେ ପରମ୍ପରା ଓ ଆଧୁନିକତା ଏକାଠି ଚାଲିପାରେ। ତାକାଇଚିଙ୍କ ଅନୁଭୂତି ହିଁ ତାଙ୍କୁ ଏଭଳି କରି ଦେଇଛି। ସେ ନିଜେ ଏହି କଷ୍ଟ ଭୋଗିଛନ୍ତି। ପରିବାରର ଲୋକଙ୍କ ଯତ୍ନ ନେବା ପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା, ତେଣୁ ସେ ଏହି ସମସ୍ୟା ଭଲ ଭାବରେ ବୁଝନ୍ତି । ଜାପାନରେ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି ଆଉ ଶିଶୁ ଜନ୍ମ କମୁଛି। ଏଥିପାଇଁ ତାକାଇଚି ପ୍ରତିଜ୍ଞା କରିଛନ୍ତି କି ଲୋକମାନଙ୍କୁ ଚାକିରି ଓ ପରିବାର ଯତ୍ନ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ନାହିଁ। ସେମାନେ ଦୁଇଟି ଏକାସାଙ୍ଗରେ କରିପାରିବେ। ସ୍ୱର୍ଗତ ଶିଞ୍ଜୋ ଆବେଙ୍କ ଅନୁଗାମୀ ଭାବରେ ସେ ଆବେ ଆରମ୍ଭ କରିଥିବା “ଆବେନୋମିକ୍ସ” ନାମକ ଅର୍ଥନୈତିକ ଯୋଜନାକୁ ଅନୁସରଣ କରୁଛନ୍ତି। ବର୍ତ୍ତମାନ ତାଙ୍କ ସାମ୍ନାରେ ଦୁଇଟି ବଡ କାମ ରହିଛି। ପ୍ରଥମ କାମ ହେଉଛି ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବା। ଦ୍ୱିତୀୟ କାମ ନିଜ ଦଳ ଉପରେ ଜନତାଙ୍କ ବିଶ୍ୱାସ ଫେରାଇ ଆଣିବା। ତାକାଇଚିଙ୍କ ନେତୃତ୍ୱ ଏକ ସଂକଟମୟ ସମୟରେ ଆସିଛି। ଜାପାନର ଅର୍ଥନୀତି ସ୍ଥାଣୁ ଆଡକୁ ଗତି କରୁଛି, ଜନସଂଖ୍ୟା ହ୍ରାସ ପାଉଛି ଏବଂ ଭୂ-ରାଜନୈତିକ ପରିସ୍ଥିତି ଜଟିଳ ହେଉଛି। ଜାତୀୟ ଅନିଶ୍ଚିତତାର ସମୟ ପ୍ରାୟତଃ ଏପରି ନେତା ସୃଷ୍ଟି କରେ ଯେଉଁମାନେ ଦେଶର ଚେତନାକୁ ପୁନଃ ସଂଜ୍ଞାୟିତ କରନ୍ତି। ସାନାଏ ତାକାଇଚିଙ୍କ କାହାଣୀ ମନେପକାଇ ଦିଏ ଯେ ନେତୃତ୍ୱ କ୍ଷମତାର ଉତ୍ତରାଧିକାର ନୁହେଁ; ସଂଘର୍ଷ, ସଂକଳ୍ପ ଏବଂ ପରାଜୟ ବାହାରେ ସ୍ୱପ୍ନ ଦେଖିବାର ସାହସ ଦ୍ୱାରା ଏହା ଅର୍ଜନ କରିବାକୁ ପଡ଼େ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories