ଗୋପାଳପୁର:ଗଞ୍ଜାମ ଜିଲାରୁ କିଆଫୁଲରୁ ପ୍ରସ୍ତୁତ ଅତରର ଚାହିଦା ରାଜ୍ୟ ବାହାେର ରହିଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ହଜାର ହଜାର ପରିବାର ଏହି ଚାଷରୁ ଗୁଜରାଣ ମେଣ୍ଟାଉଛନ୍ତି। ହେଲେ ଆଜିଯାଏଁ ଏହି ବ୍ୟବସାୟ ସୁନିୟନ୍ତ୍ରିତ ଢଙ୍ଗରେ ପରିଚାଳନା ହେଉନଥିବାରୁ ଅଧିକାଂଶ ସମୟରେ ଏହି ଫୁଲର ଅଭାବୀ ବିକ୍ରି ହେଉଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଅଧିକ ଫୁଲ ଉତ୍ପାଦନ ହୋଇଥିଲା। ସେସବୁକୁ କ୍ରୟ କରି ଭାଟି ମାଲିକମାନେ ଅତର ପ୍ରସ୍ତୁତ କରିବା ପରେ ଆଉ ଦ୍ବିତୀୟ ପର୍ଯ୍ୟାୟ ଉତ୍ପାଦନକୁ ଅପେକ୍ଷା ନକରି ଅଧିକାଂଶ କିଆଫୁଲ ଭାଟି ବନ୍ଦ କରିଦେଇଛନ୍ତି। ଫଳରେ ଦ୍ବିତୀୟ ପର୍ଯ୍ୟାୟରେ ଉତ୍ପାଦିତ ଫୁଲ କିଣିବାକୁ ଭାଟିମାଲିକମାନେ ଆଉ ଧରାଛୁଅଁା ଦେଉ ନାହଁାନ୍ତି। ଏଣେ ଫୁଲ ତୋଳି ଦେଇଥିବା ଚାଷୀ କମ୍ ଦରରେ ଭାଟିମାଲିକଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଜିଲାର ୪ଟି ଉପକୂଳବର୍ତ୍ତୀ ବ୍ଲକ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ ଚିକିଟିର ପ୍ରାୟ ୧୧୦ଟି ଗ୍ରାମରେ କିଆଫୁଲ ଚାଷ ହେଉଥିବା ବେଳେ ଏହାର ଉତ୍ପାଦନ, ସଂଗ୍ରହ ଏବଂ ପ୍ରକ୍ରିୟାକରଣ ୟୁନିଟ ହଜାର ହଜାର ପରିବାର ପାଇଁ ଜୀବିକା ନିର୍ବାହର ଏକ ପ୍ରମୁଖ ଉତ୍ସ ହୋଇଛି । ଏହିସବୁ ଅଞ୍ଚଳରେ ପ୍ରାୟ ୨୨୦ଟି କିଆଫୁଲ ଅତର ପ୍ରକ୍ରିୟାକରଣ ୟୁନିଟ୍ ରହିଛି। ଚାଷ ଓ ବିକ୍ରି କରିବା ନିମନ୍ତେ ଆଗ୍ରହାମ, କେଲୁଆପାଲି ଏବଂ ସିଦ୍ଧ ଭୈରବୀ ନାମରେ ୩ଟି ମଣ୍ଡି ରହିଛି। ଭାଟି ମାଲିକଙ୍କ ସହିତ ସମନ୍ବୟ ରକ୍ଷା କରି ଫୁଲର ଉନ୍ନତ ବ୍ୟବସାୟିକ ସୂତ୍ର ବାହାର କରାଯାଇଥାଏ । ପ୍ରତ୍ୟେକ ମଣ୍ଡିର ଚାଷୀ ଏବଂ ପ୍ରକ୍ରିୟାକରଣ ୟୁନିଟ ମାଲିକ ବର୍ଷକୁ ଥରେ ଏକାଠି ହୋଇ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଥାନ୍ତି। ଚଳିତ ବର୍ଷ ପ୍ରତି ଫୁଲ ପାଇଁ ୩୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାକି ଅନ୍ୟାନ୍ୟ ବର୍ଷ ତୁଳନାରେ ଅଧିକ। ଏହି ଫୁଲରୁ ଉତ୍ପାଦ ହେଉଥିବା ସାମଗ୍ରୀ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଉତ୍ତର ପ୍ରଦେଶର କନୌଜ, କାନପୁର, ଆଲିଗଡ଼ ଏବଂ ଲେକ୍ଷ୍ମୗରେ ରହିଛି। ଭାଟି ମାଲିକମାନେ ଉତ୍ପାଦିତ ସାମଗ୍ରୀଗୁଡିକୁ ଏହିସବୁ ସ୍ଥାନରେ ବିକ୍ରି କରିଥାନ୍ତି।
ପ୍ରତିବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହି ଫୁଲ ସର୍ବାଧିକ ଉତ୍ପାଦନ ହୋଇଥାଏ। ଏହି ସମୟରେ ଶତକଡା ପ୍ରାୟ ୭୦ ଭାଗ ଉତ୍ପାଦନ ହେଉଥିବା ବେଳେ ବାକି ୩୦ ଭାଗ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଉତ୍ପାଦିତ ହୁଏ। ଚଳିତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବର ପ୍ରାଥମିକ ଋତୁରେ କିଆଫୁଲ ଅଧିକ ଉତ୍ପାଦନ ହୋଇଥିଲା। ଭାଟି ମାଲିକମାନେ ଦ୍ୱିତୀୟ ଫସଲକୁ ଅପେକ୍ଷା ନକରି ସେମାନଙ୍କର ଉତ୍ପାଦନ ଲକ୍ଷ୍ୟ ପୂରଣ କରିସାରି ଅକ୍ଟୋବରର ପ୍ରଥମ ସପ୍ତାହରୁ ଭାଟି ବନ୍ଦ କରି ଦେଇଛନ୍ତି। ଏହାସହିତ ଦୀପାବଳି ଉତ୍ତର ଭାରତର ବଡ ପର୍ବ ହୋଇଥିବାରୁ କନୌଜ, କାନପୁର, ଆଲିଗଡ଼ ଏବଂ ଲକ୍ଷ୍ନୌ ସହରରେ ରହୁଥିବା ଭାଟି ମାଲିକମାନେ ଏଠାରେ ଭାଟି ବନ୍ଦ କରି ଚାଲି ଯାଇଛନ୍ତି। ଏପରି ସ୍ଥିତିରେ ବିଭିନ୍ନ ଆଳ ଦେଖାଇ କେତେକ ଭାଟି ମାଲିକ ଚାଷୀଙ୍କଠାରୁ କମ୍ ଦରରେ ଫୁଲ କିଣୁଥିବା ଅଭିଯୋଗ ହୋଇଛି।
କିଛି ମଣ୍ଡିରେ ଦୁଇଟି ଫୁଲକୁ ଗୋଟିଏ ଏବଂ ଅନ୍ୟ ଭାଟିରେ ତିନୋଟି ଫୁଲକୁ ଗୋଟିଏ ୟୁନିଟ୍ ଭାବରେ ଗଣନା କରି ଚାଷୀଙ୍କ ଠାରୁ ଅଧା କିମ୍ବା ଏକ ତୃତୀୟାଂଶ ଦରରେ କିଣାଯାଉଛି। ଚାଷୀଙ୍କ ନିକଟରେ ବିକଳ୍ପ ନଥିବାରୁ ସେମାନେ ବାଧ୍ୟ ହୋଇ ଫୁଲକୁ କମ ଦରରେ ବିକ୍ରି କରୁଛନ୍ତି। ତୋଳା ଯାଉଥିବା ଫୁଲକୁ କିଛି ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାନଗଲେ ସେଗୁଡିକ ନଷ୍ଟ ହୋଇଯାଏ। ଚାଷୀଙ୍କୁ ଆର୍ଥିକ ଏଵଂ ମାନସିକ ଭାବେ ଦୁର୍ବଳ କରିବା ପାଇଁ ଏହା ଏକ ସୁଚିନ୍ତିତ ବ୍ୟବସାୟିକ ରଣନୀତି ବୋଲି କୁହାଯାଉଛି। ଫୁଲର ଅଭାବୀ ବିକ୍ରି ଧାରା ଜାରି ରହିଲେ ଚାଷୀ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ଏନ୍. ଡମ୍ବରୁ ରେଡ୍ଡୀ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ଗଞ୍ଜାମ ଜିଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରି ଏହାର ସ୍ଥାୟୀ ସମାଧାନର ରାସ୍ତା ବାହାର କରିବାକୁ ନିବେଦନ କରିଛନ୍ତି।



