ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଆକ୍ରମଣରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ବିଭିନ୍ନ ବିଦେଶୀ ଗଣମାଧ୍ୟମ ପ୍ରଶ୍ନ ଉଠାଇଛନ୍ତି। ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ (ଜେଇଏମ୍)ଶିବିର ଧ୍ବଂସ କରିବା ନେଇ ଉପଗ୍ରହ ଚିତ୍ର ଓ ପ୍ରମାଣ ରହିଥିବା ବାୟୁସେନା କହିଛି। ସିନ୍ଥେଟିକ ଆପେରେଚର ରାଡାର (ଏସଏଆର) ଦ୍ବାରା ଉତ୍ତୋଳିତ ଏହି ଫଟୋରେ ବାଲାକୋଟଠାରେ ଜୈସର ୪ଟି ଶିବିର ଧ୍ବଂସ ହୋଇଯାଇଥିବା ଦେଖିବାକୁ ମିଳୁଛି ବୋଲି ଭାରତୀୟ ବାୟୁ ସେନା କହିଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟସେନାର ମିରେଜ-୨୦୦୦ ସ୍ବାଇସ-୨୦୦୦ ଦ୍ବାରା ବାଲାକୋଟର ଯେଉଁ ସ୍ଥାନକୁ ନିଶାଣ କରିଥିଲା ସେଠାରେ ଥିବା ୪ଟି ଅଟ୍ଟାଳିକା ଧ୍ବଂସ ହୋଇଯାଇଛି। ବିେସ୍ଫାରଣ ଯୋଗୁ ଉକ୍ତ ସ୍ଥାନରେ ସୃଷ୍ଟି ହୋଇଥିବା ବୃହତ ଗର୍ତ୍ତ ସ୍ପଷ୍ଟ ଜଣାପଡୁଛି। ଭୂସ୍ତରୀୟ ଓ ବୈଷୟିକ ଗୁଇନ୍ଦା ଅଭାବ କାରଣରୁ ଏହି ଘଟଣାରେ କେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି ତାହା ଆଳକନ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ଟାର୍ଗେଟସ୍ଥଳର ବିସ୍ଫୋରଣ ପୂର୍ବ ଏବଂ ପରର ଫଟୋ ଏସ୍ଏଆର ଦ୍ବାରା ଉତ୍ତୋଳନ କରାଯାଇଛି। ଏହି ଫଟୋଗୁଡିକୁ ସାର୍ବଜନୀନ କରାଯିବ କି ନାହିଁ ତାହା ସରକାରଙ୍କ ଉପରେ ନିର୍ଭର କରେ ବୋଲି ଜଣେ ଅଧିକାରୀ କହିଛନ୍ତି।
ସେହିଭଳି ବାଲାକୋଟର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଭାରତୀୟ ବାୟୁସେନାର ଆକ୍ରମଣ ପରେ ଆମ୍ବୁଲାନ୍ସ ଯୋଗେ ପାଖାପାଖି ୩୫ ମୃତଦେହ ଅନ୍ୟତ୍ର ନିଆଯାଇଥିଲା। ଏମାନଙ୍କ ମଧ୍ୟରେ ପାକିସ୍ତାନ ସେନାର ପୂର୍ବତନ କର୍ମଚାରୀ ଏବଂ ଆଇଏସ୍ଆଇର ପୂର୍ବତନ ସୂଚନା ପ୍ରଦାନକାରୀ ଅନ୍ତର୍ଭୁକ୍ତ। ମୃତକଙ୍କ ମଧ୍ୟରେ ପ୍ରାୟ ୧୨ ଜଣ ପୁରୁଷ ବୋଲି ସେ କହିଛନ୍ତି। ଗଣମାଧ୍ୟମ ସହିତ କଥା ହେବାର ଅନୁମତି ନ ଥିବାରୁ ସମ୍ପୃକ୍ତ ବ୍ୟକ୍ତି ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଥିବା ପ୍ରମୁଖ ଗଣମାଧ୍ୟମ ଫାଷ୍ଟପୋଷ୍ଟ ଉଲ୍ଲେଖ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ବୋମା ମାଡ଼ ପରେପରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ସେତେବେଳକୁ ପାକିସ୍ତାନୀ ସେନା ଉକ୍ତ ସ୍ଥାନକୁ ଘେରାଉ କରିନେଇଥିଲା। ସେନା ପୁଲିସକୁ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ଦେଇ ନ ଥିଲା। ଆମ୍ବୁଲାନ୍ସରେ ଥିବା ମେଡିକାଲ କର୍ମଚାରୀଙ୍କ ମୋବାଇଲ ଫୋନ ସେନା ଛଡାଇନେଇଥିଲା। ସ୍ଥାନୀୟ ଅଞ୍ଚଳରେ କେର୍ଣ୍ଣଲ ସଲିମ ଭାବେ ପରିଚିତ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ପୂର୍ବତନ ଅଧିକାରୀ ଏହି ଘଟଣାରେ ପ୍ରାଣ ହରାଇଥିବା ବେଳେ କେର୍ଣ୍ଣଲ ଜରାର ଜାକରି ଆହତ ହୋଇଥିଲେ। ପେଶୱାରଠାରେ ଜୈସର ଇନ୍ଷ୍ଟ୍ରକ୍ଟର ଥିବା ମୁଫତି ମୋଇନ ଏବଂ ଆଇଇଡି ନିର୍ମାଣରେ ବିଶେଷ ଦକ୍ଷତା ଲାଭ କରିଥିବା ଉସମାନ ଘାନି ମଧ୍ୟ ଭାରତୀୟ ବାୟୁସେନା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମାଟି ଓ କାଠ ନିର୍ମିତ ଉକ୍ତ ଅଟ୍ଟାଳିକାରେ ଫିଦାୟୀନ ଆକ୍ରମଣ ପାଇଁ ପ୍ରଶିକ୍ଷଣ ନେଉଥିବା ଜୈସର ୧୨ ଜଣ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ତେବେ ମାର୍ଚ୍ଚ ୧ରେ ଭାରତର ଗୁଇନ୍ଦା ସଂସ୍ଥା ର’ ପକ୍ଷରୁ ଏକ ବୈଠକ ହୋଇଥିଲା। ଏହି ଆକ୍ରମଣରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଗୁଇନ୍ଦା ସୂତ୍ରରୁ କୁହାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। କିନ୍ତୁ କେବଳ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରିଛି। ଜବାବରେ ଏହି ଆକ୍ରମଣ ହୋଇଥିବା ର’ ଚିହ୍ନଟ କରିଛି।
ପୁଲୱାମା ଆକ୍ରମଣ ପରେ ଏକ ‘ନନ-ମିଲିଟାରୀ ପି-ଏମ୍ପଟିଭ ଆକ୍ରମଣ’ କ୍ରମେ ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈସର କେତେକ ପ୍ରଶିକ୍ଷଣ ଶିବିରକୁ ବୋମା ମାଡ଼ କରି ଧ୍ବଂସ କରିଥିବା ବୈଦେଶିକ ସଚିବ ଫେବୃଆରୀ ୨୬ରେ ସୂଚନା ଦେଇଥିଲେ। ଏହି ଆକ୍ରମଣରେ ୩୫୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଭାରତୀୟ ଗଣମାଧ୍ୟମରେ ଖବାର ପ୍ରକାଶ ପାଇଥିଲା। ମାତ୍ର ଆକ୍ରମଣରେ ସ୍ବଳ୍ପ କ୍ଷୟକ୍ଷତି ହୋଇଥିବା ପାକିସ୍ତାନ ସରକାର ଦର୍ଶାଇଥିଲେ। ଏଣୁ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ବିଭିନ୍ନ ବିଦେଶୀ ଗଣମାଧ୍ୟମ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହି ଘଟଣାରେ କେବଳ ଜଣେ ଆତଙ୍କବାଦୀ ଆହତ ହୋଇଛନ୍ତି ବୋଲି ‘ରଏଟର’ ଦର୍ଶାଇଛି। ସେହିଭଳି ବିବିସି ଓ ପାକିସ୍ତାନୀ ଗଣମାଧ୍ୟମ ‘ଡନ’ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟତମ କ୍ଷୟକ୍ଷତି ହୋଇଥିବା ଦର୍ଶାଇଥିଲା। ବାଲାକୋଟ ପର୍ବତାଞ୍ଚଳର ସ୍ଥାନୀୟ ଲୋକେ ଭାରତୀୟ ବାୟୁସେନାର ଆକ୍ରମଣ ସଂକ୍ରାନ୍ତରେ ଭିନ୍ନଭିନ୍ନ ବୟାନ ଦେଇଥିବାରୁ ଏଭଳି ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଉଲ୍ଲେଖ ଯେ, ପୂର୍ବରୁ ହୋଇଥିବା ବିମାନ ଆକ୍ରମଣଗୁଡିକରେ ମଧ୍ୟ କମ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କାରଣ ପ୍ରଶିକ୍ଷଣ ଶିବିରଗୁଡିକରେ କମ୍ ସଂଖ୍ୟକ ଲୋକ ରହିଥାଆନ୍ତି। ପ୍ରଶିକ୍ଷଣ ସରିବା ପରେ ସେମାନେ ସେଠାରୁ ଚାଲିଯାଇଥାଆନ୍ତି ବୋଲି କୁହାଯାଇଛି।
ଜେଇଏମ୍ ଶିବିର ଉପରେ ଆକ୍ରମଣର ପ୍ରମାଣ ସେନା ପାଖରେ ରହିଛି;‘ସରକାର ଚାହିଁଲେ ହେବ ସାର୍ବଜନୀନ’
Popular Categories



