ଭୁବନେଶ୍ବର : ରାସ୍ତାଘାଟର ବିକାଶ ପାଇଁ କେନ୍ଦ୍ର ସଡ଼କ ପାଣ୍ଠିରୁ ରାଜ୍ୟକୁ ୧୨୬୧କୋଟି ୯୮ ଲକ୍ଷ ମଞ୍ଜୁର କରାଯାଇଛି। ଏହି ଅର୍ଥରେ ବାଲେଶ୍ବର ଜିଲାର ସୁବର୍ଣ୍ଣରେଖା ନଦୀ ଉପରେ ପନ୍ତେଇ ବ୍ରିଜ ସମେତ ୨୯ଟି ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ କରାଯିବ। ପ୍ରଶାସନିକ ଅନୁମୋଦନର ୪ମାସ ମଧ୍ୟରେ ପ୍ରତି ପ୍ରକଳ୍ପକୁ ବୈଷୟିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ ନକଲେ ଏହି ଯୋଜନାରୁ ସଂପୃକ୍ତ କାର୍ଯ୍ୟକ୍ରମକୁ ବାଦ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ବାଦ ୧୦%ରୁ ଅଧିକ ଅର୍ଥ ଖର୍ଚ୍ଚ ହେଲେ ତାହା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଭରଣା କରିବେ ବୋଲି ସର୍ତ୍ତ ରଖାଯାଇଛି।
ଅର୍ଥ ମଞ୍ଜୁର ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ କେତେକ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ମୁଖ୍ୟଯନ୍ତ୍ରୀ ଓମ ପ୍ରକାଶ ପଟେଲ ସୂଚନା ଦେଇଛନ୍ତି। ବାଲେଶ୍ବର ଜିଲାର ହଳଦୀପଦାରୁ ବାଲିଆପାଳ-ପନ୍ତେଇ ଓ ଚନ୍ଦନେଶ୍ବର ଦେଇ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ହେବାକୁ ଥିବା ବ୍ରିଜ ପାଇଁ ୧୮୯.୯୭ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା ରହିଛି। ସେହିପରି କନ୍ଧମାଳ ଜିଲାରେ ପାଣିଗଣ୍ଡ-ବାମୁନିଗାଁ- ଦାରିଙ୍ଗବାଡ଼ି, ତେଙ୍ଗଡ଼ାପଦର-ଚନ୍ଦ୍ରପୁର, ମାଶ୍ରିପଡା-ବଲନ୍ଦାପଦା ରାସ୍ତା, ରାୟଗଡ଼ା ଜିଲାର ଆମ୍ବାଗୁଡ଼ା-ଫୁଲବାଣୀ ଜିଲା ସୀମା ପର୍ଯ୍ୟନ୍ତ ରାସ୍ତା, ତେଲେଙ୍ଗାପଦର-ଚାନ୍ଦପୁର, ଗୁଣୁପୁର-କୁଲସିଙ୍ଗି,କୋଟଗଡ଼-ଶ୍ରୀରାମପୁର ରାସ୍ତା, ନୂଆପଡ଼ା ଜିଲାର ସିନାପାଲୀ ଠାରୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ରାସ୍ତା, ନବରଙ୍ଗପୁରର ଡାବୁଗାଁ-ମଇଦଳପୁର, ଢ଼େଙ୍କାନାଳ ଜିଲାର ମହୁଲପାଳ-ଜିରାଲ, ପୁରୀର ନିମାପଡ଼ା-କାକଟପୁର-ଅସ୍ତରଙ୍ଗ, ସମ୍ବଲପୁରର ମୋଚିବାହାଲ-ସୁବର୍ଣ୍ଣପୁର ଜିଲାର ସୀମା ପର୍ଯ୍ୟନ୍ତ ରାସ୍ତା, ତାଳପାଲୀ-ଗୋଧିପଡ଼ା, ଗୋବିନ୍ଦପୁର-ଗରାପୋଷ, ଫାଶିମାଲ ଏବଂ ଭୋଜପୁର-ଲାଇମୁରା ସଡ଼କ ପ୍ରଶସ୍ତ କରାଯିବ। ଏହାବ୍ୟତୀତ ବୌଦ୍ଧର ପୁରୁଣାକଟକ-ଧଳପୁର, ବଲାଙ୍ଗୀରର ଚୁଇଁବନ୍ଧ-ଲୁକସାପଡା, ପାଟଣାଗଡ଼-ଡମକିପାଲ୍ଲୀ, ବେଲପଡ଼ା-ପିଠାପଦର, ମୟୂରଭଞ୍ଜର ରରୁଆଁ-ଫଗୁ, ଦାନ୍ତିଆମୁହାଁଣ-ଚିତ୍ରଡ଼ା, କଳାହାଣ୍ଡିର ପାଷ୍ଟିକୁଦି-ଦେପୁର, ଭବାନୀପାଟଣା-ରାୟଗଡ଼ା ରାସ୍ତା, କେନ୍ଦୁଝରର ଚାନ୍ଦପସି-ଝରିଗିରା, କୋରାପୁଟର ବୈପାରିଗୁଡା-ଗୁପ୍ତେଶ୍ବର-କୁନ୍ଦ୍ରାରୋଡ, ଦେବଗଡ଼ର ବାଲାମ-ତୁସଲା ଏବଂ ଗଞ୍ଜାମ ଜିଲାର ଖଲ୍ଲିକୋଟ-ବେଲଗୁଣ୍ଠା ରାସ୍ତା ପ୍ରଶସ୍ତ କରାଯିବ।
ରାସ୍ତାଘାଟ ବିକାଶ ପାଇଁ କେନ୍ଦ୍ରରୁ ମିଳିଲା ୧୨୬୧.୯୮କୋଟି
Popular Categories



