ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୧୬୨ରନରେ ଅଲଆଉଟ୍ ହୋଇଯାଇଛି । ଜବାବରେ ଭାରତ ପ୍ରଥମ ଦିନର ସ୍କୋର ୧୨୧/୨ରୁ ଆଗକୁ ବଢୁଛି ।
ରାହୁଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ମାରି ପୁଣି ଇତିହାସ ରଚିଛନ୍ତି । ରାହୁଲ ଘରୋଇ ମାଟିରେ ଦ୍ୱିତୀୟ ଶତକ ହାସଲ କରିବା ସହ ୯ବର୍ଷର ଅପେକ୍ଷା ଅନ୍ତ ଘଟାଇଛନ୍ତି । ରାହୁଲ ଏହି ଟେଷ୍ଟରେ ୧୯୦ବଲରେ ଶତକ ପୂରଣ କରି ଟିମକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି ।
କେଏଲ ରାହୁଲ ଟେଷ୍ଟର ପ୍ରଥମ ଦିନରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ଦ୍ୱିତୀୟ ଦିନରେ ତାଙ୍କର ପ୍ରଭାବଶାଳୀ ବ୍ୟାଟିଂ ଜାରି ରଖି ଚମତ୍କାର ସଟ୍ ମାରିଥିଲେ। ଡାହାଣହାତୀ ବ୍ୟାଟସମ୍ୟାନ୍ ୩,୨୧୧ ଦିନ ପରେ ଭାରତୀୟ ମାଟିରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ତାଙ୍କର ଶେଷ ଘରୋଇ ଶତକ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଆସିଥିଲା। ଏହା ସାମଗ୍ରିକ ଭାବରେ ତାଙ୍କର ୧୧ତମ ଟେଷ୍ଟ ଶତକ।



