ନଗର ଶେଠ ଗୋପାଳବଲ୍ଲଭ ଅଚଳାଚଳ ସମ୍ପତ୍ତିର ଅଧିକାରୀ ଥିଲେ। ପ୍ରଭୂତ ସମ୍ପଦର ଅଧିକାରୀ ହୋଇଥିଲେ ମଧ୍ୟ ସମ୍ମୁଖରେ ସର୍ବଦା ଗୋଟିଏ ଲକ୍ଷ୍ୟ ଥିଲା- ଅଧିକରୁ ଅଧିକ ସମ୍ପଦ ଲାଭ। ସମ୍ପଦ ବୃଦ୍ଧି ନିଶାରେ ନୀତି-ନୈତିକତାକୁ ପାସୋରି ଯାଇଥିଲେ। ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହିଥିଲେ ବି ମାନସିକ ଶାନ୍ତି ଥିଲା ସୁଦୂର ପରାହତ। ଏଭଳି କୌଣସି ରାତି ନଥିଲା, ଯେଉଁ ଦିନ ସେ ଶୋଇପାରୁଥିଲେ ସ୍ବଚ୍ଛନ୍ଦରେ। ସମ୍ପଦ ଚୋରି ହୋଇଯିବା ଭୟରେ ଅସ୍ଥିର ଚିତ୍ତ ରହୁଥିଲେ, ଏମିତି ଅନେକ ବିନିଦ୍ର ରଜନୀ ବିତି ଯାଉଥିଲା ବିଛଣାରେ ପଡ଼ିରହି। ନିଦ୍ରାହୀନତା କାରଣରୁ ସ୍ବାସ୍ଥ୍ୟଭଗ୍ନ ହେଲା। କ୍ରମଶଃ ଦୁର୍ବଳ ହୋଇ ପଡ଼ିଲେ। ଦିନେ ମଧ୍ୟାହ୍ନ ସମୟରେ ଶେଠ ବିଛଣାରେ ପଡ଼ି ଶୋଇବାର ଉପକ୍ରମ କରୁଥିଲେ। ଠିକ୍ ଏହି ସମୟରେ ମଧୁର ସଙ୍ଗୀତର ମୂର୍ଚ୍ଛନା ଶୁଣିବାକୁ ପାଇଥିଲେ। ଝରକା ଫାଙ୍କ ଦେଇ ବାହାରକୁ ଅନାନ୍ତେ ଦେଖିଲେ ଜଣେ ବ୍ୟକ୍ତି ସୁମଧୁର ସ୍ବରରେ ଭଜନଗାନ କରୁଛନ୍ତି। ପରିଧାନ ଚିରାଫଟା, ମଇଳା ବସ୍ତ୍ର ହେଲେ ବି ବେଶ୍ ଖୁସି ମିଜାଜ୍ର ଜଣା ପଡ଼ୁଥାନ୍ତି। ସଙ୍ଗୀତର ସେହି ମାଦକତାରେ ଶେଠ ଅପୂର୍ବ ଶାନ୍ତି ଅନୁଭବ କରିଥିଲେ। କେତେବେଳେ ନିଦ୍ରା ଯାଇଛନ୍ତି ଜାଣି ପାରି ନଥିଲେ।
ପରଦିନ ଶେଠ ସଙ୍ଗୀତଗାନକାରୀ ସେହି ବ୍ୟକ୍ତିଙ୍କ ଠିକଣା ସଂଗ୍ରହ କରି ସେବାକାରୀ ହାତରେ ତାକୁ ଡକାଇ ପଠାଇଥିଲେ। ସଂଗୀତଗାନକାରୀ ବ୍ୟକ୍ତି ଥିଲେ ନଗରାଞ୍ଚଳର ଜଣେ ବସ୍ତିବାସିନ୍ଦା। ଶେଠ ସେହି ବ୍ୟକ୍ତିଙ୍କୁ ଜୀବନରେ ପ୍ରଥମଥର ପାଇଁ ନିର୍ଲୋଭ ହୋଇ ଏକ ସ୍ବର୍ଣ୍ଣ ମୋହର ଦେଇ ଗୀତ ଗାଇବାକୁ ଅନୁରୋଧ କରିଥିଲେ। ଆଗନ୍ତୁକ ମଧ୍ୟ ଏଭଳି ଏକ ଅଲଭ୍ୟ ଉପହାର ପାଇ ପରମ ଆଗ୍ରହରେ ସଙ୍ଗୀତ ଗାନ କରିଥିଲେ। ଶେଠ ଆଶ୍ବାସନା ଦେଇ କହିଥିଲେ- ‘ତୁମକୁ ଏହି ମୋହରଟି ଦେଲି। ପ୍ରତ୍ୟହ ମୋତେ ସଂଗୀତ ଶୁଣାଇବ। ତୁମ ସଙ୍ଗୀତର ଏଭଳି ଯାଦୁକରୀ ଶକ୍ତି ଅଛି ଯେ ତାହା ମୋର ସକଳ ମାନସିକ ଅବସାଦକୁ ହଟାଇ ଦେଇ ନିଦ୍ରାଭିଭୂତ କରି ଦେଉଛି। ସତରେ ତୁମ ସଙ୍ଗୀତର ମାଧୁର୍ଯ୍ୟକୁ ଯେତେ ପ୍ରଶଂସା କେଲ ମଧ୍ୟ ଅଧୁରା ରହିଯିବ।’ ସ୍ବର୍ଣ୍ଣମୋହର ପାଇବା ପରଦିନ ସଙ୍ଗୀତଗାନକାରୀଙ୍କର ଆଉ ଦେଖା ମିଳି ନଥିଲା। ଦିନେ ଗଲା, ଦୁଇ ଦିନ ଗଲା, ସପ୍ତାହେ ବିତିଗଲା, ଶେଠ ଚାତକ ଭଳି ଚାହିଁଚାହିଁ ଶେଷରେ ଡକାଇ ପଠାଇବାରୁ ଜାଣିବାକୁ ପାଇଲେ ଯେ ଜୀବନରେ ପ୍ରଥମ କରି ଦାମୀ କୁହାଯାଉଥିବା ସ୍ବର୍ଣ୍ଣମୋହର ପାଇବା ପରଠାରୁ ସେ ତା’ର ରକ୍ଷଣାବେକ୍ଷଣରେ ଏତେ ବ୍ୟସ୍ତ ଯେ ରାତିରେ ମଧ୍ୟ ଠିକ୍ ଭାବରେ ଶୋଇ ପାରୁନାହିଁ।
ଆଖିରୁ ନିଦ ହଜି ଯାଇଛି। ଭୟ, ଆଶଙ୍କା ଭିତରେ ଦିନ ଯାଉଛି। କାଳେ ଚୋରମାନେ ଜାଣିପାରି ଏହା ନେଇଯିବେ। ଏହା ଜାଣିବା ପରେ ଶେଠ ଅନୁଭବ କଲେ- ବୈଭବ ହିଁ ସକଳ ସମସ୍ୟା, ଅଶାନ୍ତିର ମୂଳଉତ୍ସ। ଯଦି ଗୋଟିଏ ମାତ୍ର ମୋହର କାରଣରୁ ଜଣକର ମାନସିକ ଶାନ୍ତି, ନିଦ ହଜିଗଲା ତେବେ ଅନେକ ମୋହରର ଅଧିକାରୀ ମୋ କ୍ଷେତ୍ରରେ ଠିକ୍ ତାହା ହିଁ ତ ହୋଇଛି। ଏହା ପରଠାରୁ ଶେଠ ତାଙ୍କର ସକଳ ସମ୍ପଦ ଦୀନ ଜନଙ୍କ ମଧ୍ୟରେ ବିତରଣ କରି ପରମାର୍ଥ ପଥ ଆପଣେଇ ନେଇଥିଲେ।



