www.samajalive.in
Friday, December 5, 2025
20.1 C
Bhubaneswar

ଶୁଭମିତ୍ରା ହତ୍ୟାକାଣ୍ଡ ରେଡ ଫ୍ଲାଗ୍‌ ଶ୍ରେଣୀଭୁକ୍ତ

ଭୁବନେଶ୍ୱର: ଟ୍ରାଫିକ‌ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲାରେ ତଦନ୍ତକୁ ଜୋର୍‌ଦାର କରିଛି କମିସନରେଟ ପୁଲିସ। ମାମଲା ସମ୍ବେଦନଶୀଳ ଥିବାରୁ ରେଡ ଫ୍ଲାଗ୍‌ ଶ୍ରେଣୀଭୁକ୍ତ କରାଯାଇଛି। ଏହି ମାମଲାର କ୍ରାଇମବ୍ରାଞ୍ଚ‌ ଉଚ୍ଚାଧିକାରୀ ନିରୀକ୍ଷଣ କରିବେ। ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ୍‌ ସମୟରେ ଚାର୍ଜସିଟ୍‌‌ ଦାଖଲ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ ମାମଲାରେ ସ୍ବାମୀ ଦୀପକ କୁମାର ରାଉତ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ଦୀପକ ସମେତ ଦୁଇ ସହଯୋଗୀ ଘଟଗାଁ ଥାନା କୁଶୁନପୁରର ବିନୋଦ ବିହାରୀ ଭୂୟାଁ ଓରଫ ପପୁ ଓ ଶମ୍ଭୁନାଥ ମହନ୍ତ ଓରଫ ଜଟଙ୍କୁ ଗୁରୁବାର କାରାଗାର ପଠାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରିବାକୁ ଯୋଜନା କରାଯାଇଛି।

ସେହିପରି ହତ୍ୟା ଅଭିଯୁକ୍ତ ତଥା କନଷ୍ଟେବଳ ଦୀପକକୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେ କମିସନରେଟ ପୁଲିସର ମୁଖ୍ୟାଳୟରେ ହିସାବରକ୍ଷକ ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ପୁଲିସ ଆୟୁକ୍ତ ସୂଚନା ଦେଇଛନ୍ତି। ଶୁଭମିତ୍ରାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା।
ଅନୁରୂପ ଭାବେ ଶୁଭମିତ୍ରାଙ୍କ ମୃତଦେହକୁ ଜବତ କରି ପରୀକ୍ଷା ନିମନ୍ତେ କେନ୍ଦୁଝର ମେଡ଼ିକାଲ କଲେଜକୁ ପଠାଯାଇଥିଲା। ଏଫ୍‌ଏମ୍‌ଟି ବିଭାଗର ଡାକ୍ତରଙ୍କ ଏକ ଦଳ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ବାସରୁଦ୍ଧରୁ ଶୁଭମିତ୍ରାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ବେକରେ ଦାଗ ରହିଛି। ମେଡ଼ିକାଲ କଲେଜ ପକ୍ଷରୁ ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି କମିସନରେଟ ପୁଲିସ। ଏହି ହତ୍ୟା ମାମଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ସେଦିଗରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

- Advertisement -

ଅନ୍ୟପକ୍ଷରେ ଦୀପକ ତାଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ମାମଲାର ପୁନଃ ତଦନ୍ତ ଲାଗି ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୁଲିସ। ଖୁଣ୍ଟୁଣୀ ଥାନାକୁ ଉକ୍ତ ମାମଲାର ଫାଇଲ ଓ ଅନ୍ୟ କାଗଜପତ୍ର ମାଗିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ସେହିପରି ଜୀବନବୀମା ବାବଦରେ ପାଇଥିବା ଅର୍ଥକୁ ସେ କେଉଁଠି ନିବେଶ କରିଛି, ସେଦିଗରେ ଅନୁସନ୍ଧାନ ଆରମ୍ଭ ହେବ। ବୀମା ଟଙ୍କା ଦେଇଥିବା କମ୍ପାନୀର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯିବ।

ଅପରପକ୍ଷେ ଶୁଭମିତ୍ରା ହତ୍ୟା ମାମଲାର ତଦନ୍ତ ଦିଗହରା ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବାରବର୍ଗ। ମୁଖ୍ୟ ଅଭିଯୁକ୍ତ ତଥା ଶୁଭମିତ୍ରାଙ୍କ ସ୍ବାମୀ ଦୀପକ ରାଉତ ପୁଲିସ ବିଭାଗରେ କାର୍ଯ୍ୟ କରୁଥିଲେ। ତେଣୁ ପୁଲିସର ତଦନ୍ତ ପ୍ରକ୍ରିୟା ବାଟବଣା ହେବା ସହ ସ୍ବଚ୍ଛତା ଆସିନପାରେ ବୋଲି ସନ୍ଦେହ ଉପୁଜିଛି। ତେଣୁ ଏକ ସ୍ୱତନ୍ତ୍ର ପୁଲିସ ଦଳ ଓ ସ୍ବତନ୍ତ୍ର ପିପି (ପବ୍ଲିକ ପ୍ରସିକ୍ୟୁଟର)ଙ୍କ ଦ୍ୱାରା ତଦନ୍ତ କରିବାକୁ ପରିବାରଲୋକ ଅନୁରୋଧ କରିଛନ୍ତି। ତା’ର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦୁଇଟି ସମ୍ବେଦନଶୀଳ ମାମଲାର ତଦନ୍ତ ଅଧିକାରୀଙ୍କ ଲାଗି ଅଡୁଆ ହେବ। ଏହି ମାମଲାର ତଦନ୍ତ ଲାଗି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ। ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଦଳ ଗଠନ ସହ ଏହି ମାମଲାରେ ସ୍ବତନ୍ତ୍ର ପିପି)ଙ୍କୁ ନିଯୁକ୍ତି କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଶୁଭମିତ୍ରାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗୁରୁବାର ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବାପା କହିଛନ୍ତି, ଯେମିତି ମୋ ଝିଅକୁ କଲବଲ କରି ମାରିଛି, ଭଗବାନ ତାକୁ ମାରନ୍ତୁ। ଏହି ଘଟଣାରେ ଦୀପକର ବଡ଼ ଭାଇ ମାଷ୍ଟରମାଇଣ୍ଡ। ସେ ହିଁ ପ୍ରଚ୍ଛଦପଟରେ ରହି ଯୋଜନା କରିଛି। ପ୍ରଥମ ପତ୍ନୀଙ୍କୁ ମାରି ବୀମା ବାବଦରେ ୧.୬୦ କୋଟି ପାଇ ଭାଇକୁ ଟଙ୍କା ଦେଇଛି, ସେ ବିଲ୍ଡର ସଂସ୍ଥା ଖୋଲିଛି। ମୋ ଝିଅ ଶୁଭମିତ୍ରାଙ୍କ ନାମରେ ୧.୨୫ କୋଟି ବୀମା ରାଶି କରିଛି ଓ ଉକ୍ତ ଟଙ୍କାକୁ ଆତ୍ମସାତ କରିବାକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ

କାର୍‌ ଭିତରେ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ। ଶୁଭମିତ୍ରାଙ୍କ ନିଃଶ୍ବାସ ଚାଲୁଥିବାରୁ ପୁଣି କାର୍‌ ସିଟ୍‌ବେଲ୍ଟରେ ବେକକୁ ଭିଡ଼ିଥିଲା। ଶୁଭମିତ୍ରା ମରିଯାଇଥିବା ଜାଣିବା ପରେ ମୃତଦେହକୁ କାର୍‌ର ସିଟ୍‌ ତଳେ ଲୁଚାଇ ଥିଲା। ମୃତଦେହ ଉପରେ ପେପର ଓ ରୁମାଲ ପକାଇ କମିସନରେଟ ପୁଲିସ ମୁଖ୍ୟାଳୟରେ ଥିବା ପାର୍କିଂକୁ ଆଣିଥିଲା। ପରେ କାର୍ଯ୍ୟାଳୟକୁ ଯାଇ କାମ କରିଥିଲା। ଉକ୍ତ ପାର୍କିଂରେ ୩ରୁ ୪ ଘଣ୍ଟା ରଖିଥିଲା। କାର୍ଯ୍ୟ ସାରି କାର୍‌କୁ ନେଇ ପଳାଇଥିଲା ଦୀପକ। ପୁଲିସ କାର୍‌ ଜବତ କରିବା ସହ ସାଇଣ୍ଟିଫିକ୍‍ ଦଳ ସହାୟତାରେ କାର୍‌ରୁ ପ୍ରମାଣ ଯୋଗାଡ଼ କରିଛି।
ସୁକଳ୍ପିତ ହତ୍ୟାକାଣ୍ଡ

ଦୀପକକୁ ଅନେକ ସମୟରେ ଜମି କିଣିବା ବାବଦରେ ଦେଇଥିବା ୨୦ ଲକ୍ଷ ଟଙ୍କା ଶୁଭମିତ୍ରା ମାଗିବା ସହ ବିବାହକୁ ସାର୍ବଜନୀନ ଲାଗି ଜିଦ୍ କରୁଥିଲେ। ଏହାକୁ ନେଇ ଗତ ୬ମାସ ହେବ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ତେଣୁ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବା ଲାଗି ସୁକଳ୍ପିତ ଷଡ଼ଯନ୍ତ୍ର ରଚିଥିଲା ଦୀପକ। ମାଉସୀ ପୁଅ ପପୁକୁ ଯୋଗାଯୋଗ କରି କେନ୍ଦୁଝରରେ ମୃତଦେହ ପୋତି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ହତ୍ୟା କରିବାର ସପ୍ତାହେ ପୂର୍ବରୁ ପପୁକୁ ଯୋଜନା ବିଷୟରେ କହିବା ସହ ବ୍ଲୁ-ପ୍ରିଣ୍ଟ‌ ପ୍ରସ୍ତୁତ କରିଥିଲା। ଶୁଭମିତ୍ରା ମରିଯାଇଥିବା ଜାଣିବା ପରେ ସମ୍ପର୍କୀୟ ଭାଇ ପପୁକୁ ଜଣାଇଥିଲା। ଜେସିବି ସହାୟତାରେ ଅନ୍ୟତମ ସହଯୋଗୀ ଜଟିଆ ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲେ। କୁଶୁନପୁର ଗ୍ରାମରୁ ଏସ୍‌ଏଫ୍‌ଏସ୍‌ଏଲ୍‌ ଦଳ ଓ ସାକ୍ଷୀଙ୍କ ଉପସ୍ଥିତିରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶୁଭମିତ୍ରାଙ୍କ ମୃତଦେହ ବାହାର କରାଯାଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories