ନୂଆଦିଲ୍ଲୀ: ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ୨୫% ଅତିରିକ୍ତ ଶୁଳ୍କକୁ ଛାଡ଼ କରିବାର ସମ୍ଭାବନା ରହିଛି ବୋଲି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ୍ କହିଛନ୍ତି। ଏପରି କି ଭାରତର ସାମଗ୍ରୀ ଉପରେ ଆମେରିକା ଲାଗୁ କରିଥିବା ୨୫%ର ପାରସ୍ପରିକ ଶୁଳ୍କକୁ ୧୦ରୁ ୧୫%କୁ ହ୍ରାସ କରିବା ସମ୍ଭାବନା ରହିଛି। ଆମେରିକାର ଶୁଳ୍କ ହ୍ରାସ ଦ୍ବାରା ରପ୍ତାନିକାରୀମାନେ ଉପକୃତ ହେବେ। ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ନିଯୁକ୍ତ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଡାନ ଲିଞ୍ଚି ଏବଂ ଭାରତୀୟ ବାଣିଜ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ମଧ୍ୟରେ ଦୁଇଦିନ ତଳେ ନୂଆଦିଲ୍ଲୀରେ ଆଲୋଚନା ହୋଇଥିଲା। ଭାରତ ଉପରେ ଆମେରିକା ୨୫% ପାରସ୍ପାରିକ ଶୁଳ୍କ ଓ ପରେ ରୁଷ୍ରୁ ତେଲ ଆଣିବା ଯୋଗୁଁ ଅତିରିକ୍ତ ୨୫% ଶୁଳ୍କ ଆମେରିକା ଲଗାଇବା ପରେ ଏହା ଥିଲା
ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରଥମ ବୈଠକ। ତେବେ ଦ୍ବିପାକ୍ଷିକ ବୈଠକ ପରେ ଏଥିରୁ ଶୁଳ୍କ ହ୍ରାସର ସଂକେତ ମିଳିଛି। ଖୁବ୍ଶୀଘ୍ର ଭାରତ ଉପରେ ଆମେରିକା ଶୁଳ୍କ କମାଇପାରେ। ଭାରତର ବିଭିନ୍ନ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ପାରସ୍ପରିକ ଟାରିଫ୍ ୨୫%ରୁ ୧୦-୧୫%କୁ ହ୍ରାସ ପାଇବା ଆଶା କରାଯାଉଛି । ପାରସ୍ପରିକ ଶୁଳ୍କ ସହ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଆମେରିକା ଆଉ ୨୫% ,ଏହିପରି ମୋଟ ୫୦% ଶୁଳ୍କ ଲଗାଇଛି। ପାରସ୍ପରିକ ଶୁଳ୍କ କମିବା ଦ୍ୱାରା ଆମେରିକାକୁ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବା ବ୍ୟବସାୟୀ ଓ କମ୍ପାନୀ ଉପକୃତ ହେବେ ବୋଲି ନାଗେଶ୍ୱରନ ଆଶାବାଦୀ ଅଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗେଶ୍ୱରନ କହିଛନ୍ତି, ଆମେରିକା ଆସନ୍ତା ନଭେମ୍ୱର ଶେଷ ଆଡ଼କୁ ଏନେଇ ନିଷ୍ପତ୍ତି ନେଇପାରେ। ତେବେ ଏହା ତାଙ୍କର ବ୍ୟକ୍ତିଗତ ଆକଳନ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏନେଇ ଭାରତ କିମ୍ୱା ଆମେରିକା ପକ୍ଷରୁ ଅଧିକାରୀସ୍ତରୀୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହା ମଧ୍ୟରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ବଦଳିଛି। ଟ୍ରମ୍ପଙ୍କର ପରିବର୍ତ୍ତିତ ମନ୍ତବ୍ୟ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନଙ୍କ ଆକଳନକୁ ଦେଖିଲେ ଆଗକୁ ଟ୍ରମ୍ପ୍ ଟାରିଫ୍ ହ୍ରାସ ଆଶା ବଢିଛି। କେବଳ ଟିକସ ନୁହେଁ, ଅନ୍ୟ ବାବଦରେ ମଧ୍ୟ ରିଆତି ମିଳିପାରେ ବୋଲି ନାଗେଶ୍ବର ଆଶା ବ୍ୟକ୍ତ କରିଛନ୍ତି।



