ଶ୍ରୀନଗର: ବିଗତ ଏକମାସ ଧରି ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଧନଜୀବନ କ୍ଷତି ଘଟିସାରିଛି। ଏଥିଯୋଗୁଁ ପ୍ରାୟ ତିନି ସପ୍ତାହ ହେଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇପଡିଛି। ଫଳରେ ଜାମ୍ମୁ-କାଶ୍ମୀରର ଫଳ ବ୍ୟବସାୟୀଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡୁଛି। କାଶ୍ମୀର ଉପତ୍ୟକାରେ ଉତ୍ପାଦିତ ହେଉଥିବା ସେଓ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଥାଏ। ତେବେ ଜାମ୍ମୁ-ଶ୍ରୀନଗର ରାଜପଥ ଅବରୋଧ ହୋଇଥିବାରୁ ସେଓ ବୋଝେଇ ସହସ୍ରାଧିକ ଟ୍ରକ ବାଟରେ ଅଟକି ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଦୀର୍ଘ ଦିନ ଅଟକି ରହିବା ଫଳରେ ସହସ୍ରାଧିକ ଟନ୍ ଓଜନର ସେଓ ଇତିମଧ୍ୟରେ ପଚିଶଢି ଗଲାଣି। ବ୍ୟବସାୟୀମାନେ ଏହି ପଚା ସେଓକୁ ରାସ୍ତାରେ ପକାଇ ଦେଇଥିବାବେଳେ ଏହାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ କରିଛନ୍ତି। ଦେଶରେ ଉତ୍ପାଦିତ ହେଉଥିବା ସେଓର ୮୦ ପ୍ରତିଶତ ଜାମ୍ମୁ-କାଶ୍ମୀର ଯୋଗାଇଥାଏ। ଫଳ ଚାଷୀମାନେ ଅକ୍ଲାନ୍ତ ପରିଶ୍ରମ କରି ସେଓ ଉତ୍ପାଦନ କରୁଥିବାବେଳେ ଏହି ସିଜିନରେ ସେଗୁଡିକ ବିକ୍ରି କରିଥାନ୍ତି। ତେବେ ଚଳିତବର୍ଷ ବର୍ଷା ବିତ୍ପାତ ଯୋଗୁଁ ସେମାନଙ୍କର ସବୁ ପରିଶ୍ରମ ବୃଥା ପାଲଟିଥିବା ସେମାନେ କହିଛନ୍ତି। ବିଗତ ଦୁଇ ଦିନ ହେଲା କାଶ୍ମୀର ଉପତ୍ୟକାର ଆପେଲ ମଣ୍ଡି ବନ୍ଦ ରହିଛି। ସେଓ ପଚିଯାଉଥିବାରୁ ସ୍ଥାନୀୟ ଗ୍ରାହକଙ୍କୁ ଶସ୍ତା ମୂଲ୍ୟରେ ବିକ୍ରି କରିବାକୁ ବ୍ୟବସାୟୀ ବାଧ୍ୟ ହେଉଛନ୍ତି।
ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇତିମଧ୍ୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ରାଜପଥ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରି ଜାମ୍ମୁ-ଶ୍ରୀନଗର ରାଜପଥ ତୁରନ୍ତ ମରାମତି କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଦମପୁର ନିକଟରେ ଏହି ରାଜପଥର ୩୦୦ ମିଟର ଲମ୍ବ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ପୁନଶ୍ଚ ନଶ୍ରି ଓ ବନିହାଲ ନିକଟରେ ମଧ୍ୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଶ୍ରୀନଗରରୁ ଜାମ୍ମୁକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାଜପଥ ପରିବହନର ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଚାରି ଲେନ ବିଶିଷ୍ଟ କରାଯାଇଛି। ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ବାଦଲଫଟା ବର୍ଷା ଏବଂ ଭୂସ୍ଫଳନର ମୁକାବିଲା କରିବା ଭଳି ବ୍ୟବସ୍ଥା ନାହିଁ। ରାଜପଥ ଅବରୋଧ ହୋଇଥିବାରୁ ସୀମାରେ ମୁତୟନ ସେନା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ବର୍ତ୍ତମାନ ଟ୍ରେନ ଯୋଗେ ପରିବହନ କରାଯାଉଛି। ଶ୍ରୀନଗରରୁ ଫେରୁଥିବା ଟ୍ରେନ ଯୋଗେ କିଛି ପରିମାଣର ସେଓ ଇତିମଧ୍ୟରେ ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି। ତେବେ ଏହା ଏକ ସାମୟିକ ବ୍ୟବସ୍ଥା। ତେଣୁ ଯଥାଶୀଘ୍ର ରାଜପଥ ଯାତାୟାତ ଉପଯୋଗୀ ହେବାକୁ କାଶ୍ମୀରର ଫଳ ବ୍ୟବସାୟୀମାନେ ଚାତକ ଭଳି ଅନାଇ ବସିଛନ୍ତି। ଯଦି କେନ୍ଦ୍ର ସରକାର ରାଜପଥ ମରାମତି କରିବାରେ ଅସମର୍ଥ ହେଉଛନ୍ତି, ତେବେ ଏହି କାର୍ଯ୍ୟ ସେନା ଉପରେ ନ୍ୟସ୍ତ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।



