ସମାଜ ଡିଜିଟାଲ ଡେସ୍କ: ପୁରୀ ସ୍ଵର୍ଗଦ୍ଵାରରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସତ୍କାର ପାଇଁ ଆସିଥିବା ଜଣେ ମହିଳାଙ୍କ ଶବ ବଞ୍ଚିଥିବା ଜଣାପଡ଼ିବା ପରେ ଏହାକୁ ଚାଞ୍ଚଲ୍ୟ ଖେଳିଯାଇଛି। ତୁରନ୍ତ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ, ମହିଳାଙ୍କ ନାମ ହେଉଛି ପି. ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୬ ବର୍ଷ। ମହିଳାଙ୍କ ଘର ଗଞ୍ଜାମ ଜିଲା ପୋଲସରା ଅଞ୍ଚଳରେ। ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ଜାଣି ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଵର୍ଗଦ୍ଵାରକୁ ସତ୍କାର ପାଇଁ ଆଣିଥିଲେ। ସ୍ଵର୍ଗଦ୍ଵାରରେ ମୃତଦେହ ପହଞ୍ଚିବା ପରେ ସତ୍କାର ପାଇଁ ରହିଥିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଵର୍ଗଦ୍ଵାର କର୍ମଚାରୀ ଲକ୍ଷ୍ମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପରିବାର ଲୋକଙ୍କୁ ମାଗିଥିଲେ। ମାତ୍ର ସେମାନେ ତାହା ଦେଇପାରି ନ ଥିଲେ। ଫଳରେ କର୍ମଚାରୀ ମୃତଦେହ ନିକଟକୁ ଆସି ଯାଞ୍ଚ କରିବାରୁ ତାଙ୍କର ହୃଦସ୍ପନ୍ଦନ ଚାଲୁଥିବା ଜଣାପଡ଼ିଥିଲା। ତେଣୁ ସେମାନେ ତୁରନ୍ତ ଆମ୍ବୁଲାନ୍ସକୁ ଡାକି ଡାକ୍ତରଖାନା ପଠାଇଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



