ନେପାଳରେ ଯାହା ଘଟିଲା ତାହା ସେ ଦେଶ ସମେତ ପଡ଼ୋଶୀ ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏଭଳି ଘଟଣା ଆମେ ଶ୍ରୀଲଙ୍କାରେ ଦେଖିଥିଲେ। ଏହା ପରେ ଅନ୍ୟତମ ପଡ଼ୋଶୀ ବାଂଲାଦେଶରେ ତାହାର ପୁନରାବୃତ୍ତି ହୋଇଥିଲା। ଏବେ ନେପାଳରେ ପୁଣି ସେଭଳି ଘଟଣା ଘଟିଛି। ଶେଷ ଦୁଇ ଘଟଣାରେ ଯୁବଶକ୍ତିର ବିସ୍ଫୋରଣ କେତେ ଭୟଙ୍କର ତାହା ଦେଖିବାକୁ ମିଳିଛି। ନେପାଳ ଘଟଣାକୁ ଜେନ୍ ଜେଡ୍ କୁହାଯାଉଛି। ସରଳ ଅର୍ଥରେ ଏହା ସେହି ପିଢ଼ି ଯେଉଁମାନେ ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଏବଂ ଡିଜିଟାଲ ଟେକ୍ନୋଲୋଜି, ଇଣ୍ଟରନେଟ୍, ମୋବାଇଲ, ବିଭିନ୍ନ ସୋସିଆଲ ସାଇଟ ସହିତ ଗଭୀର ଭାବେ ସଂପୃକ୍ତ। ନେପାଳର ଏହି ବୟସର ଯୁବବର୍ଗ ସୋସିଆଲ ମିଡ଼ିଆ ନିଷିଦ୍ଧ କାରଣରୁ ଯେ କ୍ଷୁବ୍ଧ ହୋଇ ବିପ୍ଳବ କଲେ ଓ ଓଲି ସରକାରର ପତନ ଘଟିଲା ତାହା ଠିକ୍ ନୁହେଁ। ୨୦୧୦ର ଆରବସ୍ପ୍ରିଙ୍ଗ ହେଉ ଅଥବା ୨୦୧୨ର ଓରେଞ୍ଜ ମୁମେଣ୍ଟ ଏସବୁ ପଛରେ ବିବିଧ କାରଣ ଓ ପୁଞ୍ଜିଭୂତ ଜନଅସନ୍ତୋଷ ଥାଏ। ଏହା କୌଣସି ଏକ ଘଟଣାକୁ ନେଇ ବିସ୍ଫୋରକ ରୂପ ନେଇଥାଏ।
ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ନିଜର ରାଜନୀତିକ ସ୍ଥିତି ସୁଦୃଢ଼ କରିବାକୁ ବ୍ୟସ୍ତ ରହିଥିବାବେଳେ ତାଙ୍କ ଶାସନକାଳର ବ୍ୟାପକ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ପ୍ରିୟାପ୍ରୀତି ତୋଷଣ, ବ୍ୟାପକ ଦାରିଦ୍ର୍ୟ ଓ ବେକାରୀ ଭଳି ପ୍ରମୁଖ ସମସ୍ୟା ପ୍ରତି ଉଦାସୀନ ଥିଲେ। ଯୁବବର୍ଗ ଏକ ନିରାଶା ମଧ୍ୟରେ ରହି ହିଂସ୍ର ହୋଇ ଉଠିଥିଲେ। କେତେକଙ୍କ ମତରେ ଏହି ଘଟଣା ପଛରେ ‘ଡିପ୍ ଷ୍ଟେଟ’ ବା ଆମେରିକାର ପ୍ରଚ୍ଛନ୍ନ ହାତ ରହିଛି। ଚୀନ ଆଡ଼କୁ ଢ଼ଳିଥିବା ଓଲିଙ୍କ ବାମପନ୍ଥୀ ମେଣ୍ଟ ସରକାରକୁ ପାନେ ମଜା ଚଖାଇବାକୁ ଆମେରିକା ଏହା କରିଛି ଯାହା ବାଂଲାଦେଶରେ ଘଟିଥିଲା। ୱାଶିଂଟନର ନିର୍ଦେଶ ଅମାନ୍ୟ କରିବାରୁ ହସିନାଙ୍କୁ ପଦ ହରାଇବାକୁ ପଡ଼ିଲା ବୋଲି କୁହାଯାଏ।
ଏବେ ପ୍ରସଙ୍ଗ ହେଲା ନେପାଳରେ ଏକ ଅରାଜକ ଅବସ୍ଥା ସୃଷ୍ଟି ହୋଇଛି। ଭାରତ ସହିତ ଏହି ପଡ଼ୋଶୀ ଦେଶର ସାଂସ୍କୃତିକ, ସାମାଜିକ ଓ ଭାଷାଗତ ସମ୍ପର୍କ ନିବିଡ଼ ତଥା ବହୁ ପୁରୁଣା। ଓଲିଙ୍କ ଚୀନ ସମର୍ଥନବାଦୀ ସରକାର ସତ୍ତ୍ବେ ଭାରତ ସହ ନେପାଳର ସମ୍ପର୍କ ଏତେ ଖରାପ ସ୍ତରକୁ ଯାଇନଥିଲା। ଚୀନ ଭଳି ଭାରତ ମଧ୍ୟ ସେଠାରେ ବିପୁଳ ପୁଞ୍ଜି ନିବେଶ କରି ଏହି ହିମାଳୟରାଷ୍ଟ୍ରର ଔଦ୍ୟୋଗିକ ବିକାଶରେ ସହାୟତା ଯୋଗାଇଛି।
ଏବେ ପ୍ରଶ୍ନଉଠୁଛି ଯେ ନେପାଳ ଘଟଣାରେ ଭାରତ ହସ୍ତକ୍ଷେପ କରିବ କି? ସେ ଦେଶର ସେନା ଅତ୍ୟନ୍ତ ଦୁର୍ବଳ। ତୈଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହା ଭାରତ ଉପରେ ଅଧିକ ନିର୍ଭରଶୀଳ। ଏହା ସେତ୍ତ୍ବ ନେପାଳ ଘଟଣାରେ ଭାରତ ହଠାତ୍ ହସ୍ତକ୍ଷେପ କରିବା ସମ୍ଭାବନା କ୍ଷୀଣ। ଏହାର କାରଣ ବିବିଧ। ନେପାଳ ଏକ ସ୍ବାଧୀନ ଦେଶ। ସେଠାରେ ଘଟିଥିବା ଘଟଣା ସେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର। ଏହା ଦ୍ବାରା ଭାରତ ହଠାତ ପ୍ରଭାବିତ ହେବାର ସମ୍ଭାବନା କମ୍। ତା’ଛଡ଼ା ସେଠା ବ୍ୟାପାରରେ ଭାରତ ହସ୍ତକ୍ଷେପ କଲେ ସେ ଦେଶର ନାଗରିକ, ବିଶେଷ କରି ଯୁବବର୍ଗ କ୍ରୋଧାନ୍ବିତ ହେବେ ଓ ସମ୍ପର୍କ ଅଧିକ ବିଗିଡ଼ିବ। ତେଣୁ ଭାରତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଅପେକ୍ଷା କରିବାକୁ ବାଧ୍ୟ ହେବ। ଏବେ ସେନା ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବ ନେଇଛି। ଆନ୍ଦୋଳନକାରୀ ଦେଶର ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ କାମଚଳା ସରକାରର ମୁଖ୍ୟ ଭାବେ ବାଛିଛନ୍ତି। ପରବର୍ତ୍ତୀ ଘଟଣା କ’ଣ ହେବ ତାହା ଅସ୍ପଷ୍ଟ। ନେପାଳରେ ଶାନ୍ତି ଏବେ ପ୍ରଧାନ ଆବଶ୍ୟକତା। ଯାହା ଜଣାପଡ଼ୁଛି ନେପାଳରେ ଆଗକୁ ଆହୁରି ଅନେକ କିଛି ଘଟିବ । ଆଉ ଏକ ଅଶାନ୍ତ ପଡ଼ୋଶୀ ଭାରତର ଚିନ୍ତା ବଢ଼ାଇବା ସ୍ବାଭାବିକ।



