ନ୍ୟୁୟର୍କ : ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ୍ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଟପ୍ ସିଡ୍ ୟାନିକ ସିନର ଓ ୨ୟ ସିଡ୍ କାର୍ଲୋସ୍ ଆଲ୍କାରାଜଙ୍କ ମଧ୍ୟରେ ମୁକାବିଲା ହେବ। ଏହି ବହୁ ପ୍ରତୀକ୍ଷିତ ଫାଇନାଲ ରବିବାର ରାତିରେ ଖେଳାଯିବ। ଶୁକ୍ରବାର ଉଭୟ ସେମିଫାଇନାଲରେ ସିନର ଓ ଆଲ୍କାରାଜ ବିଜୟୀ ହୋଇଛନ୍ତି। ଗତଥରର ଚମ୍ପିଆନ୍ ଇଟାଲୀର ସିନର ୬-୧, ୩-୬, ୬-୩, ୬-୪ ସେଟ୍ରେ କାନାଡାର ଫେଲିକ୍ସ ଔଜେର-ଆଲିଆସିମ୍ଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ସେମିରେ ୨ୟ ସିଡ୍ ସ୍ପେନ୍ର କାର୍ଲୋସ୍ ଆଲ୍କାରାଜ ଓ ୭ମ ସିଡ୍ ସର୍ବିୟାର ନୋଭାକ୍ ଜୋକୋଭିକ୍ଙ୍କୁ ୬-୪, ୭-୬, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚ୍ ଜିତି ଚଳିତବର୍ଷ ଫ୍ରେଞ୍ଚ୍ ଓପନ୍ ଓ ୱିମ୍ବଲଡନ ଜିତିଥିବା ସିନର ବର୍ଷର ୩ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ୨୪ ବର୍ଷ ୨୦ ଦିନ ବୟସରେ ସିନର ଗୋଟିଏ ବର୍ଷ ଗ୍ରାଣ୍ଡସ୍ଲାମ୍ରେ ୨୬ଟି ମ୍ୟାଚ୍ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପୁଣି ପେସାଦାର ଟେନିସ୍ ଯୁଗରେ ମାତ୍ର ୪ର୍ଥ ଖେଳାଳି ଭାବେ ୟାନିକ୍ ସିନର ଗୋଟିଏ ବର୍ଷ ୪ଟିଯାକ ଗ୍ରାଣ୍ଡସ୍ଲାମ୍ର ଫାଇନାଲରେ ପହଞ୍ଚିଛନ୍ତି। ପୂର୍ବରୁ ରଡ୍ ଲେଭର, ରଜର ଫେଡେରର ଓ ନୋଭାକ୍ ଜୋକୋଭିକ୍ ଏହି କୃତିତ୍ବ ହାସଲ କରିଛନ୍ତି। ଭଲ ଫର୍ମରେ ଥିବା ଆଲିଆସିମ୍ ପୂର୍ବରୁ ଆଲେକ୍ଜାଣ୍ଡର ଜେରେଭ୍ ଓ ଆନ୍ଦ୍ରେଇ ରୁବ୍ଲେଭଙ୍କୁ ପରାସ୍ତ କରିଥିଲେ ହେଁ ସିନରଙ୍କ ଚମତ୍କାର ଖେଳ ଆଗେର ତିଷ୍ଠି ପାରିନଥିଲେ। ସିନର ଜୀବନର ୫ମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାର ପ୍ରୟାସ କରିବେ। ଚଳିତବର୍ଷ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ କଡ଼ା ମୁକାବିଲା ପରେ ଆଲ୍କାରାଜଙ୍କଠାରୁ ପରାସ୍ତ ହୋଇଥିବା ସିନର ୱିମ୍ବଲଡନ ଫାଇନାଲରେ ଆଲ୍କାରାଜଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲରେ ୨୨ ବର୍ଷ ବୟସ୍କ ସ୍ପେନ୍ର କାର୍ଲୋସ ଆଲ୍କାରାଜ ତାଙ୍କଠାରୁ ୧୬ ବର୍ଷ ବଡ଼ ନୋଭାକ୍ ଜୋକୋଭିକ୍ଙ୍କୁ ପରାସ୍ତ କରିଛନ୍ତି। ଫଳରେ ବିଶ୍ବ ରେକର୍ଡ ୨୪ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଜୋକୋଭିକ୍ ଟାଇଟଲ ସଂଖ୍ୟାକୁ ୨୫ରୁ ବୃଦ୍ଧି କରିବାରୁ ବଞ୍ଚିତ ହୋଇଛନ୍ତି। ଆଲ୍କାରାଜ ୨୦୨୨ ୟୁଏସ୍ ଓପନ୍ ସହ ୫ଟି ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି। ୨୦୨୩ ୟୁଏସ୍ ଓପନ୍ ଜୋକୋଭିକ୍ଙ୍କ ଅନ୍ତିମ ତଥା ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଥିଲା।
Popular Categories



