ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହେବା ଘଟଣାରେ ଗିରଫ ହୋଇଛି ହତ୍ୟାକାରୀ ପ୍ରେମିକ। ଅଭିଯୁକ୍ତ ଦେବାଶିଷ ବିଶୋୟୀକୁ ଗିରଫ କରିଛି କମିଶନରେଟ ପୁଲିସ। ଏ ନେଇ ଶନିବାର ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେବାଶିଷ ହିଁ ଯୁବତୀଙ୍କୁ ସେଠାକୁ ନେଇ ହତ୍ୟା କରି ଫିଙ୍ଗିଥିବା ପୁଲିସ ନିକଟରେ ସ୍ଵୀକାର କରିଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା। ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର। ଗତ ଜାନୁୟାରୀ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଯୁବତୀଙ୍କ ପତ୍ତା ପାଇ ନ ଥିଲା। ୮ମାସ ପରେ ଦେବାଶିଷକୁ ଧରି ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲା। ମୃତଦେହ କେଉଁଠି ଫିଙ୍ଗିଥିଲା ସେ ନେଇ ଦେବାଶିଷ ପୁଲିସ ସହ ଘଟଣାସ୍ଥଳକୁ ଯାଇ ଦେଖାଇଥିଲା।



