ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ବେଶ୍ ସ୍ଵତନ୍ତ୍ର ରହଥିଲା। ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଚୀନ ଯାଇଥିଲେ। କିନ୍ତୁ ଅନେକ କ୍ଷେତ୍ରରେ ତାଙ୍କର ଏହି ଯାତ୍ରା ଐତିହାସିକ ପାଲଟିଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ନିଜ ପ୍ରିୟ ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ବି ଭେଟିଥିଲେ। ଦୁଇ ନେତାଙ୍କ ବନ୍ଧୁତା ଏବଂ ଆଲୋଚନା ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାସ କଥା ଏହା ଯେ ପୁଟିନ ଏବଂ ମୋଦୀ ଗୋଟିଏ କାରରେ ଯାତ୍ରା କରିଥିଲେ। ଏସସିଓ ସମ୍ମିଳନୀ ସ୍ଥଳରୁ ହୋଟେଲ ପର୍ଯ୍ୟନ୍ତ ମୋଦୀ ପୁଟିନଙ୍କ ଅରସ ଲିମୋସିନ କାରରେ ବସି ଯାତ୍ରା କରିଥିଲେ।
ସମ୍ମିଳନୀ ସରିବା ପରେ ପୁଟିନ ଆଗ ବାହାରକୁ ଚାଲିଆସିଥିଲେ। କିନ୍ତୁ ସେ ମୋଦୀଙ୍କ ସହିତ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେଥିପାଇଁ ସେ ବାହାରେ ମୋଦୀଙ୍କୁ ପ୍ରାୟ ୧୦ ମିନିଟ ଧରି ଅପେକ୍ଷା କରିରହିଥିଲେ। ମୋଦୀ ପହଞ୍ଚିବା ପରେ ପୁଟିନ ତାଙ୍କୁ ତାଙ୍କ କାରରେ ବସି ଯିବାକୁ ଅନୁରୋଧ କରିଥିଲେ। ମୋଦୀ ବି ତାଙ୍କ ସହ ଯାଇଥିଲେ। କାରରେ ଯିବା ସମୟରେ ସେମାନେ ଅନେକ ପ୍ରସଙ୍ଗରେ ଆଲୋଚନା ବି କରିଥିଲେ। ଏପରି କି ହୋଟେଲରେ ପହଞ୍ଚିବା ପରେ ମଧ୍ୟ ଦୁଇ ନେତା କାର ଭିତରେ ୪୫ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ। ଏହା ପରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା।
ସମ୍ମିଳନୀ ସ୍ଥଳରେ ବି ମୋଦୀ-ପୁଟିନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନଙ୍କ ସହିତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଉପସ୍ଥିତ ରହିଥିଲେ। ବିଶ୍ଵର ୩ ଶକ୍ତିଶାଳୀ ରାଷ୍ଟ୍ରର ନେତା ଏକାଠି ଆଲୋଚନା କରିଥିଲେ, ଯାହାର ଦୃଶ୍ୟ ବେଶ୍ ରୋଚକ ଥିଲା।



