ସମ୍ବଲପୁର: ସମ୍ବଲପୁରଠାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ ତରଫରୁ ଦାବିପତ୍ର ପ୍ରଦାନ କରାଯାଇ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆଉ ଗୋଟିଏ ଦିନ ଛୁଟି ବୃଦ୍ଧି ପାଇଁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ପଶ୍ଚିମ ଓଡିଶାର ନୂଆଁଖାଇ ଗଣପର୍ବ ହୋଇଥିବା ବେଳେ ଏହାକୁ ପାଳନ କରିବାକୁ ସାରା ପଶ୍ଚିମ ଓଡିଶାର ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଆଠମଲ୍ଲିକ, ନୁଆପଡା, କଳାହାଣ୍ଡି, ବରଗଡ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ସୁବର୍ଣ୍ଣପୁର ଆଦି ବିସ୍ତୃତ ଅଞ୍ଚଳର ନିବାସୀମାନେ ପରିବାର ସହିତ ଏକାଠି ଏହି ଗଣପର୍ବକୁ ପାଳନ କରି ନବାନ୍ନ ଭକ୍ଷଣ କରିଥାନ୍ତି । ଉତ୍ସାହ ଓ ହର୍ସ ଉଲ୍ଲାସରେ ପାଳିତ ହେଉଥିବା ଏହି ଗଣପର୍ବର ପୂର୍ବ ଦିନ ପବିତ୍ର ଗଣେଶ ପୂଜା ପଡୁଥିବାରୁ ପ୍ରତି ବର୍ଷ ସେହି ଦିନ ସରକାରୀ ଛୁଟି ରହିଥାଏ। ଏହା ସହିତ ନୂଆଁଖାଇ ଉପଲକ୍ଷେ ମଧ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ପଶ୍ଚିମ ଓଡିଶାବାସୀ ବିଭିନ୍ନ ସ୍ଥାନରେ ନିଜର କାମଧନ୍ଦା ପାଇଁ ରହୁଥିବାରୁ ୨ ଦିନ ମଧ୍ୟରେ ନିଜର ଭିଟାମାଟିକୁ ଆସି ପୁନଶ୍ଚ କର୍ମକ୍ଷେତ୍ରକୁ ଫେରିଯିବା ସମ୍ଭବପର ହେଉ ନାହିଁ। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କ୍ଷମତା ପରିଧି ମଧ୍ୟରେ ସ୍ଥାନୀୟ ପର୍ବପର୍ବାଣି ନିମନ୍ତେ ଏକ ଦିବସୀୟ ଛୁଟି ଘୋଷଣାର କ୍ଷମତା ରହିଥିବାରୁ ନୂଆଁଖାଇର ପରଦିନକୁ ମଧ୍ୟ ଛୁଟି ରୂପେ ଘୋଷଣା କରାଯିବାର ଆବଶ୍ୟକତା ରହିଛି।
ଏଥି ସହ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧିନରେ ରହିଥିବା ନୂଆପଡା ଓ କଳାହାଣ୍ଡି ଜିଲାରେ ମଧ୍ୟ ନୂଆଁଖାଇ ପର୍ବ ଧୂମଧାମରେ ଆୟୋଜିତ ହେଉଥିବାରୁ ଏହି ଗୋଟିଏ ଦିନ ଅଧିକ ଛୁଟି ଉକ୍ତ ଜିଲା ଗୁଡିକରେ ମଧ୍ୟ ଲାଗୁ କରାଯିବା ଉଚିତ। ଅନେକ ବର୍ଷ ହେବ ଏହି ଦାବି ହୋଇ ଆସୁଥିବା ବେଳେ ଏହା ଉପରେ ତ୍ୱରିତ ବିଚାର କରାଯାଇ ଚଳିତ ବର୍ଷରୁ ନୂଆଁଖାଇ ଉପଲକ୍ଷେ ଅଧିକ ଏକ ଦିନ ଛୁଟି ଘୋଷଣା କରାଯାଉ ବୋଲି ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଭକ୍ତ ପ୍ରସାଦ ନନ୍ଦ, ହିଣ୍ଡାଲକୋର ପୂର୍ବତନ ସଭାପତି ଇଂ ସୁଶାନ୍ତ ଗୁରୁ, ସମାଜସେବୀ ଭାରତୀ ପଣ୍ଡା, ସଙ୍ଗୀତଜ୍ଞ ମୋତିଲାଲ ଦୋରା ଓ ଫୋରମସ ଆବାହକ ସପନ ମିଶ୍ର ଉପସ୍ଥିତ ରହିଥିଲେ।



