ବାଲିଗୁଡ଼ା: ଚିରସ୍ରୋତା ନାଳ ସାଜିଛି ବିକାଶରେ ବାଧକ। ନାଳ ପାଇଁ ପ୍ରଭାବିତ ହେଉଛନ୍ତି ୮ ଖଣ୍ଡ ଗ୍ରାମବାସୀ। ଲଗାଣ ବର୍ଷାରେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛନ୍ତି ଅଞ୍ଚଳବାସୀ। ଯୋଗାଯୋଗ ବ୍ୟବସ୍ଥା ଠିକ୍ ନଥିବାରୁ ସରକାରଙ୍କ ସମସ୍ତ ଯୋଜନା ୮ ଗାଁକୁ ସାତସପନ ପାଲଟିଛି। ଅଞ୍ଚଳବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି। ବାଲିଗୁଡା ବ୍ଲକ ଅନ୍ତର୍ଗତ ଦଡକଙ୍ଗିଆ ପଞ୍ଚାୟତର ଗସକାପଟା, ସୁନ୍ଦରଗଡ଼, ବୁଢାପାଦେରି, ଦସିକେତା, ସପେଲି, ଲେଙ୍ଗରିମାହା, ଜିଆବାଲି ଓ ଚାରୁମାହା ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏହିସବୁ ଗ୍ରାମକୁ ଯିବା ପୂର୍ବରୁ ପଞ୍ଚାୟତ ମୁଖ୍ୟ ଦପ୍ତରଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ବହିଯାଇଛି ପାହାଡ଼ି ନାଳ। ବାରମ୍ବାର ଗୁହାରି ସତ୍ତ୍ବେ ନାଳ ଉପରେ ପୋଲ ନିର୍ମାଣ ହୋଇନି। ସେହିପରି ଗ୍ରାମରୁ ନାଳ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଖାଲଖମାପୂର୍ଣ୍ଣ, ପାହାଡ଼ିଆ ଓ ପଥୁରିଆ। ନାଳଠାରୁ ଦସିକେତା ଗ୍ରାମର ଦୂରତା ୭କିମି। ଦୈବାତ କାହାର ଦେହ ଅସୁସ୍ଥ ହେଲେ ରୋଗୀକୁ ଭାରରେ ନାଳ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡୁଛି। ସେଠାରୁ ଭରା ନାଳ ପାରି ହେବାକୁ ପଡୁଛି। ଉପରୋକ୍ତ ଗ୍ରାମବାସୀ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କାନ୍ଧରେ ବୋହି ଲୋକେ ନାଳ ପାର ହେଉଛନ୍ତି। ବର୍ଷାଦିନେ ନାଳ ପାର କରିବା କଷ୍ଟକର ହେଉଛି। ନାଳର ଅପରପାର୍ଶ୍ବରେ ରହିଛି ବିଦ୍ୟାଳୟ। ନାଳରେ ପାଣି ଆସିଲେ ପିଲାଏ ବିଦ୍ୟାଳୟ ଯିବା ବନ୍ଦ। ସବୁ ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଲାଗି ରହିଛି। ନାଳ ପାଣିକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ନେଟ୍ୱାର୍କ ତ ଦୂର କଥା, ବିଦ୍ୟୁତ୍ ସଂଯୋଗ ଥାଇ ନଥିବା ଭଳି। ଗର୍ଭବତୀ ଓ ରୋଗୀଙ୍କୁ ବଡ କଷ୍ଟରେ ନାଳ ଉପରେ ନେବାକୁ ପଡୁଛି ବୋଲି କହିଛନ୍ତି ଆଶାଦିଦି ରୁଣି ଦିଗାଳ। ଗସକାପଟା ଗ୍ରାମ ନିକଟରେ ବହି ଯାଇଥିବା ନାଳ ଉପରେ ପୋଲ ନିର୍ମାଣ ହୋଇପାରିଲେ ଦଡକଙ୍ଗିଆ, ଋତୁଙ୍ଗିଆ, ତୁମୁଡ଼ିବନ୍ଧ ବ୍ଲକର ସିର୍ଲା ପଞ୍ଚାୟତ ଓ କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତକୁ ଚଳାଚଳର ବାଟ ଫିଟିବ। ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସମେତ ଅନେକ ଥର ବିଡିଓ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଓ ମୌଖିକ ଭାବେ ଜଣାଇଛି। କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଡକଙ୍ଗିଆ ସରପଞ୍ଚ ରଞ୍ଜିତ ମଳିକ ପ୍ରକାଶ କରନ୍ତି।
ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..



