ମାଲକାନଗିରି/ଖଇରପୁଟ: ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ମହିଳା ଭାବେ ଚମ୍ପା ରାସପେଦା ଇତିହାସ ରଚିଛନ୍ତି। ପ୍ରଥମ ଡିଡ଼ାୟୀ ଯୁବତୀ ଭାବେ ସେ ଏବେ ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲା କୋରକୁଣ୍ଡା ବ୍ଳକ୍ ଆମ୍ଲିବେଡ଼ା ଗ୍ରାମର ଆଦିମ ଡିଡ଼ାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା ନିଟ୍ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। କଠିନ ଅଧ୍ୟବସାୟ, ଦୃଢ଼ ସଂକଳ୍ପ ଓ ଅନେକ ସଙ୍ଘର୍ଷ ପରେ ସେ ଏହି ଗୌରବ ହାସଲ କରିଛନ୍ତି। ପ୍ରଥମ ପ୍ରୟାସରେ ହିଁ ଚମ୍ପା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା। ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ।। ଏହି ସଫଳତା ପରେ ଚମ୍ପାଙ୍କ ଗ୍ରାମ ସମେତ ଜିଲାରେ ଖୁସିର ଲହରି ଖେଳିଯାଇଛି। ତାଙ୍କୁ ଜିଲା ପ୍ରଶାସନ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
ଚମ୍ପାଙ୍କ ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ। ଚିତ୍ରକୋଣ୍ଡା ଏସଏସଡି ବାଳିକା ବିଦ୍ୟାଳୟରୁ ୨୦୧୯ରେ ଦଶମ ଶ୍ରେଣୀ ଏବଂ ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ନିଟ୍ ପରୀକ୍ଷାରେ ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି। ଯୁକ୍ତଦୁଇ ପରେ ଶିକ୍ଷକ ଶ୍ରୀ ଦାସ ତାଙ୍କ ଭଉଣୀଙ୍କ ପାଖରେ ଚମ୍ପାଙ୍କୁ ରଖି ନିଜସ୍ବ ଅର୍ଥରେ ବାଲେଶ୍ବରର ଏକ କୋଚିଂ କେନ୍ଦ୍ରରେ ତାଲିମ ନେବାରେ ସହଯୋଗ କରିଥିଲେ। ଜିଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



