ଆଠଗଡ : ବିଭିନ୍ନ ନିଶା ପଦାର୍ଥ ସେବନ ଦ୍ବାରା ଯୁବ-ଛାତ୍ର ସମାଜ ପଥଭ୍ରଷ୍ଟ ହେଉଛି । ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ଅନ୍ୟ ନିଶା ବା ଡ୍ରଗ୍ସ ସେବନ ଫଳରେ ନିଜର ମାନସିକ ସ୍ଥିତି ବିଗିଡିବା ସହିତ ସାମାଜିକ ଓ ପାରିବାରିକ ଅଶାନ୍ତି ଏବଂ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିପାଉଛି । ଯେ କୌଣସି ନିଶା ପଦାର୍ଥ ସ୍ଵାସ୍ଥ୍ଯ ପକ୍ଷରେ ହାନିକାରକ ଓ ଆର୍ଥିକ ଦୁସ୍ଥିତିର କାରଣ ହୋଇଥିବାରୁ ନିଶା ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କଟକ ଗ୍ରାମାଞ୍ଚଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିନାକ୍ଷୀ ଠାକୁର ମତବ୍ୟକ୍ତ କରିଛନ୍ତି । କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ଶନିବାର ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠରେ ଛାତ୍ରମାନଙ୍କୁ ନିମନ୍ତେ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କୁସୁମାଞ୍ଜଳି ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଅତିରିକ୍ତ ପୁଲିସ ଅଧିକ୍ଷକ ମିନାକ୍ଷୀ ଠାକୁର, ସମ୍ମାନିତ ବକ୍ତା ଭାବେ ଏସଡିପିଓ ବିଶ୍ବଜିତ ମହାନ୍ତି ଓ ଆଇଆଇସି ସୁମତି କୁମାରୀ ମହାନ୍ତି ଯୋଗଦେଇ ନିଶା ସେବନରୁ ଦୂରେଇ ରହିବାକୁ ଛାତ୍ରମାନଙ୍କୁ ସଚେତନ କରିଥିଲେ ।
ଏଥି ସହିତ ମୋବାଇଲ କେବଳ ଶିକ୍ଷଣୀୟ, ସକାରାତ୍ମକ ଓ ଗଠନମୂଳକ ଦିଗରେ ବ୍ଯବହାର କରିବା ଉପରେ ଅତିରିକ୍ତ ଏସପି ଠାକୁର ଗୁରୁତ୍ଵାରୋପ କରିଥିଲେ। ଏଥିସହିତ ଛାତ୍ରମାନଙ୍କୁ ପସ୍କୋ ଆଇନ ବିଷୟରେ ଏସଡିପିଓ ମହାନ୍ତି ଅତି ପ୍ରାଞ୍ଜଳ ଭାବେ ବୁଝାଇ ଛାତ୍ରମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସ୍କୁଲରେ ଶୃଙ୍ଖଳା ବଜାୟ ରଖିବା ଏବଂ ନିଶା ଦ୍ରବ୍ଯ ବ୍ୟବହାର ରୋକିବା ପାଇଁ ଛାତ୍ରମାନଙ୍କୁ ନେଇ ଏକ ଛାତ୍ର-ପୁଲିସ କ୍ୟାଡେଟ ଦଳ ଗଠନ କରାଯାଇଥିଲା । ଛାତ୍ର ପୁଲିସ କ୍ୟାଡେଟ ଲେଖାଥିବା ଦୁଇଟି ରଙ୍ଗର ଟି-ସାର୍ଟ ଅତିରିକ୍ତ ଏସପି ଠାକୁର ଦଳରେ ସାମିଲ ଛାତ୍ରଙ୍କୁ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ସରିତା ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଙ୍କ ସହିତ ବହୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ଯ ଉପସ୍ଥିତ ଥିଲେ ।



