ସୋର: ଜୀବିତଙ୍କୁ ମୃତ ଦର୍ଶାଇ ସୁଭଦ୍ରା ଯୋଜନା ଅର୍ଥ କାଟି ଦିଆଯାଇଥିବା ଅଭିଯୋଗ ଆସିଛି। ସରକାରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ବାଲେଶ୍ବର ଜିଲା, ସୋର ବ୍ଲକରେ ୩୩ ଜଣ ଜୀବିତ ସୁଭଦ୍ରା ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ସୋର ବ୍ଲକରେ ୩୯ ହଜାର ୩ ଶହ ୫୫ ସୁଭଦ୍ରା ଯୋଜନାର ହିତାଧିକାରୀ ରହିଛନ୍ତି। ଚାରି ଚକିଆ ଯାନ ରଖିବା, ୫ ଏକରରୁ ଅଧିକ ଚାଷ ଜମି, ଆୟକର ଦେଉଥିବା, ସରକାରୀ ଚାକିରି, ବିଭିନ୍ନ ରାଜନୈତିକ ଦଳ ପଦରେ ରହିଥିବା ଦର୍ଶାଯାଇ ବ୍ଲକରୁ ୨ ହଜାର ୫ ଶହ ୩୩ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଜୀବିତ ୩୩ ମହିଳା ସୁଭଦ୍ରା ଯୋଜନାରୁ ବାଦ ପଡ଼ିବାରୁ ସୋର ସମନ୍ବିତ ଶିଶୁ ବିକାଶ ବିଭାଗରେ ଅଭିଯୋଗ ପରେ ତଦନ୍ତ କରାଯାଇ ସରକାରଙ୍କୁ ଅବଗତ କରାଯାଇଛି।
୩୩ ମହିଳା ପୂର୍ବ ଦୁଇ କିସ୍ତି ସୁଭଦ୍ରା ଯୋଜନରୁ ୫ ହଜାର ଟଙ୍କା କରି ଦୁଇ ଥର ଅର୍ଥ ପାଇଥିବାବେଳେ ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇ ଯୋଜନାରୁ ବଞ୍ଚିତ କରାଯାଇଛି। ମହୁମୁହାଣ ପଞ୍ଚାୟତରେ ସର୍ବାଧିକ ୭ ଜଣ ମହିଳା, ଅନନ୍ତପୁର ପଞ୍ଚାୟତରେ ତିନି ଜଣ, ଆଟପୁର, ଦହିସଡା, ଜଦିଡା, ଗୁଡ଼, କେଶରୀପୁର, ସବିରା ଓ ପାଖର ପଞ୍ଚାୟତରେ ଦୁଇ ଜଣେ ଲେଖାଁଏ ମହିଳା, ଗୋପୀନାଥପୁର, ବାଳଙ୍ଗ, କେଦାରପୁର, ମୂଳିସିଂ, ନଦୀଗାଁ, ନଟାପଡା, ନିଶ୍ଚିନ୍ତପୁର ଓ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଜଣେ ଲେଖାଁଏ ଜୀବିତ ମହିଳାଙ୍କୁ ସୁଭଦ୍ରା ପୋଟାଲରେ ମୃତ ଦର୍ଶାଯାଇଛି। ଏନେଇ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି।



