କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗାଁରେ ଯୁବତୀ ଜଳିଯିବା ଘଟଣାକୁ ୨୪ ଘଣ୍ଟା ବିତିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ପୁଲିସ ହେପାଜତରେ କଟକ ନିଆଯାଇଛି। ଏହାରି ଭିତରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଗାଁ ତେରେଇରେ ପୁଲିସ ପହଞ୍ଚିଛି। ହେଲେ ଅଭିଯୁକ୍ତ ହାଇଦରାବାଦ ଫେରାର ହୋଇଯାଇଥିବା କୁହାଯାଉଛି। ତେଣୁ ପୁଲିସ ଅଭିଯୁକ୍ତର ବାପା, ବୋଉ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜେରା କରିଛି। ଏହି ଘଟଣାକୁ ନେଇ ଉଭୟ ଛାତ୍ରୀଙ୍କ ଗାଁ କାଠିଆପଡ଼ା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଗାଁ ତେରେଇରେ ପୁଲିସ ବଳ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କେନ୍ଦ୍ରାପଡ଼ାରେ ଏଫଏମ୍ଟି ବିଶେଷଜ୍ଞ ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସ୍ସିବି)ର ଏଫଏମ୍ଟି ବିଭାଗକୁ ପଠାଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ା ଅଣାଯାଇଛି। ମୃତଦେହ ସହ କେନ୍ଦ୍ରାପଡ଼ାରୁ ଏକ ଡାକ୍ତରୀ ଟିମ କଟକ ଯାଇଥିଲା। ସେହିପରି ମହିଳା ପୁଲିସ ଅଧିକାରୀଙ୍କ ସହ ଏକ ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ମଧ୍ୟ କଟକ ଯାଇଥିଲା। ମୃତଦେହ ବ୍ୟବଚ୍ଛେଦର ସମସ୍ତ ଦୃଶ୍ୟ ଭିଡିଓ ରେକର୍ଡିଂ କରାଯାଇଛି; ଯାହାଦ୍ୱାରା ବ୍ୟବଚ୍ଛେଦରେ ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ। ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଛାତ୍ରୀଙ୍କ ଘରୁ ପୁଲିସ ଯେଉଁ ମୋବାଇଲ ଫୋନ ଜବତ କରିଛି ତାହାର ଫରେନସିକ ଟେଷ୍ଟ ହେଲେ ବହୁ ତଥ୍ୟ ମିଳିପାରିବ। ଛାତ୍ରୀଙ୍କ ପୁରୁଷ ବନ୍ଧୁ କେଉଁ ସବୁ ଫଟୋ ଓ ଭିଡିଓ ରଖି ତାଙ୍କୁ ବ୍ଲାକ ମେଲିଂ କରୁଥିଲା ଓ ଫୋନରେ କି ପ୍ରକାର ଧମକଚମକ ଦେଉଥିଲା ତାହା ମଧ୍ୟ ଜଣାପଡ଼ିବ। ସେହିପରି ମୃତ ଛାତ୍ରୀଙ୍କ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି, ପୀଡ଼ିତାଙ୍କ ମୋବାଇଲ ଯାଞ୍ଚ କରାଗଲେ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲକୁ ଟ୍ରାକ କରାଯାଇପାରିଲେ ଘଟଣା ପଛର ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ। ଅନ୍ୟ ଏକ ଘଟଣାକ୍ରମରେ ଛାତ୍ରୀଙ୍କ ଅଭିଯୋଗର ତଦନ୍ତ କରୁଥିବା ଏଏସ୍ଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ବାପା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କରିଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ପୁଲିସ ଉପରକୁ ସବୁ ମହଲରୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ବିରୋଧୀ ଅଭିଯୋଗ କରିଛନ୍ତି ୮ ମାସ ହେବ ପୁଲିସ ଛାତ୍ରୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା। ଥାନାକୁ ଦୌଡି ଦୌଡି ନିରାଶ ହେବା ପରେ ଛାତ୍ରୀ ଆତ୍ମହତ୍ୟା ପନ୍ଥାକୁ ଆପଣାଇଥିଲେ।
ଗୁରୁବାର ଛାତ୍ରୀଙ୍କ ଗାଁ କାଠିଆପଡ଼ାକୁ ବିଜେଡି, କଂଗ୍ରେସ ଓ ବିଜେପି ନେତାଙ୍କ ସୁଅ ଛୁଟିଛି। ସେଠାରୁ ଫେରିବା ପରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ସାକ୍ଷାତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏଥିରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସାରିବା ପରେ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜେଡି ଟିମ୍ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳ, ରାଜନଗର ବିଧାୟକ ଧ୍ରୁବ ସାହୁ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ଲୋରା ମହାପାତ୍ର, ରାଜ୍ୟ ବିଜେଡି ସଂଖ୍ୟାଲଘୁ ଆବାହକ ରିଜୱାନା ବେଗମ ପ୍ରମୁଖ କାଠିଆପଡ଼ା ଗ୍ରାମକୁ ଯାଇ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି। ପରେ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ଉଭୟ ବିରୋଧୀ ଦଳର ନେତାମାନେ କହିଛନ୍ତି, ରାଜ୍ୟ ସରକାର ପୁଲିସ ବାହିନୀକୁ ଅଖଣ୍ଡ କ୍ଷମତା ପ୍ରଦାନ କରିଛନ୍ତି;ଫଳରେ ପୁଲିସ ମନମାନି କରୁଛି। ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରାଜ୍ୟରେ ଜଣେ ପରେ ଜଣେ ଯୁବତୀ ଦେହରେ ନିଆଁ ଲଗାଇ ଜୀବନ ହାରୁଛନ୍ତି। ଅପରପକ୍ଷରେ ଶାସକ ବିଜେପିର ଏକ ଟିମ ମଧ୍ୟ କାଠିଆପଡ଼ା ଯାଇ ମୃତ ଛାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛି। ଏହି ଟିମ୍ରେ ଜିଲା ସଭାପତି ଶଶାଙ୍କ ସେଠୀ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ନାରୀ ନେତ୍ରୀ କାନନବାଳା ଦାସ ପ୍ରମୁଖ ଥିଲେ। ବିଜେପି ନେତାମାନେ ଉଭୟ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ କହିଛନ୍ତି, ଲୋକେ ବିଜେଡି ଓ କଂଗ୍ରେସକୁ ଭୁଲି ଗଲେଣି। ସେମାନେ ଚର୍ଚ୍ଚାରେ ରହିବା ପାଇଁ ସରକାରଙ୍କ ବିରୋଧରେ ଏହିପରି ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। କଂଗ୍ରେସ ସରକାର ଅମଳରେ ଅଞ୍ଜନା ମିଶ୍ର ଗଣଧର୍ଷଣ ଓ ସେହିପରି ବିଜେଡି ସରକାର ଅମଳରେ ପରୀ ଠାରୁ ଆରମ୍ଭ କରି ଇତିଶ୍ରୀ, ମମିତା ମେହେର ହତ୍ୟା ଘଟଣା ଘଟିଛି। ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଯେଉଁଭଳି ଅମାନୁଷିକ ଘଟଣା ଘଟିଛି ବିଜେପି ସରକାର ଅମଳରେ ସେଭଳି ଘଟିନାହିଁ ବୋଲି ଶ୍ରୀମତୀ ସେଠୀ କହିଛନ୍ତି।
ପଟ୍ଟାମୁଣ୍ଡାଇ ଯୁବତୀ ଜଳିଯିବା ଘଟଣା; ଅଭିଯୁକ୍ତ ଫେରାର,ପରିବାରକୁ ଜେରା
Popular Categories



