ଭୁବନେଶ୍ୱର – ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ କରାଯାଇ କେହି ସମ୍ପୃକ୍ତି ନଥିବା କଥା ସୂଚନା ଦିଆଯାଇଛି । ବଳଙ୍ଗା ପୀଡିତାଙ୍କ ପିତା ତାଙ୍କ ଝିଅ ମାନସିକ ଚାପ ଯୋଗୁଁ ପୋଡି ହୋଇଯାଇଥିବା କଥା ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ।
ଏହି ଘଟଣାପରେ ବିରୋଧି ଦଳଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଆଶଙ୍କା କରାଯାଇଛି ।
ବଳଙ୍ଗା ପୀଡିତାଙ୍କ ମୃତ୍ୟୁପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଛି । ରାସ୍ତାରେ ବାଧା ରଖାଯିବା ସହ ଅଧିକ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛନ୍ତି ।
ସୂଚନଯୋଗ୍ୟ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି।
ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ଘରଠାରୁ କିଛି ଦୂରରେ ନଦୀ ବନ୍ଧରେ ତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିବାରୁ ୨୦ ତାରିଖ ଦିନ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା।
ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ୩ ଥର ଅପରେସନ କରାଯାଇ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି ଓଡ଼ିଶା ପୁଲିସ। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି।
ଉକ୍ତ ପୋଷ୍ଟରେ କୁହାଯାଇଛି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହିତ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ବାଲେଶ୍ଵର ଜିଲା ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପରେ ବଳଙ୍ଗା ପୀଡ଼ିତାଙ୍କ ସହିତ ଏଭଳି ବର୍ବରତା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଘଟଣାର ୧୫ ଦିନ ବିତିଯାଇଥିଲେ ବି ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ଘଟଣାର କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ।



