www.samajalive.in
Friday, December 5, 2025
26.1 C
Bhubaneswar

ମାଳଦ୍ବୀପ ସହ ମଧୁରତା

୨୦୨୩ ମସିହାରେ ଚୀନ ଇସାରାରେ “ଭାରତ ଆଉଟ” ନୀତି ଆପଣାଇଥିଲା ମାଳଦ୍ବୀପ। ଭାରତ ମଧ୍ୟ ଯେସାକୁ ତେସା ନୀତିରେ ମାଳଦ୍ବୀପକୁ ଜବାବ ଦେଇଥିଲା। ଭାରତ ପକ୍ଷରୁ “ବୟକଟ୍ ମାଳଦ୍ବୀପ” ଅଭିଯାନ ସହ ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ବୀପ ଗସ୍ତକୁ ମଧ୍ୟ ଛାଏଁ ବନ୍ଦ କରି ଦେଇଥିଲେ। ଯାହାର ପରିଣାମ ସ୍ବରୂପ ଭୁଶୁଡି ପଡ଼ିଥିଲା ଦକ୍ଷିଣ ଏସିଆର ସବୁଠୁ ଛୋଟ ଦେଶ ମାଳଦ୍ବୀପର ଅର୍ଥନୀତି। ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପ ମଧ୍ୟ ବ୍ୟାପକ କ୍ଷତି ସହିଥିଲା; କିନ୍ତୁ ଭାରତ ବିରୋଧୀ କୂଟନୀତି ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ ମହଙ୍ଗା ପଡ଼ିଥିଲା। ବାଧ୍ୟ ହୋଇ ୨୦୨୪ରେ ମାଳଦ୍ବୀପ ନିଜର ଭୁଲ ବୁଝି ପାରି ଶେଷରେ ଭାରତ ପାଖରେ ମୁଣ୍ଡ ନୂଆଁଇ ଥିଲା। ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଆସି ଥିଲେ। ଆଉ ବଦଳିଥିଲା ମାଲଦ୍ବୀପ-ଭାରତ ସଂପର୍କ। ମାଳଦ୍ବୀପକୁ ଦେବାଳିଆ ସ୍ଥିତିରୁ ମୁକାଳିବାକୁ ଭାରତ ପ୍ରଦାନ କରିଥିଲା ଆର୍ଥିକ ସହାୟତା। ଭାରତ ମଧ୍ୟ ତା’ର ମାଳଦ୍ବୀପ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସହ ରାଷ୍ଟ୍ରପତି ମୁଇଜୁଙ୍କ ନିମନ୍ତ୍ରଣ ରକ୍ଷା କରି ଚଳିତ ବର୍ଷ ଜୁଲାଇ ୨୫ ଓ ୨୬ରେ ଦୁଇ ଦିନିଆ ମାଳଦ୍ବୀପ ଗସ୍ତ କରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାଳଦ୍ବୀପର ୬୦ତମ ସ୍ବତନ୍ତ୍ରତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୋଦୀ। ଏହା ମଧ୍ୟ ଭାରତର ନେଇବର ଫାଷ୍ଟ ଓ ମହାସାଗର କୂଟନୀତିର ଏକ ଅଂଶ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଳଦ୍ବୀପରେ ଭବ୍ୟ ସ୍ବାଗତ କରାଯାଇଛି। ଗାର୍ଡ ଅଫ ଅନର ପ୍ରଦାନ ସହ ରାଜଧାନୀ ମାଲେରେ ଜୟ ଭାରତ ନାରା ପ୍ରକମ୍ପିତ ହୋଇଥିଲା। ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବିମାନ ବନ୍ଦରରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ମୁଇଜୁଙ୍କୁ ଆଲିଙ୍ଗନ କରିଥିଲେ। ୨୦୨୩ ନଭେମ୍ବରରେ ମହମ୍ମଦ ମୁଇଜୁ ମାଳଦ୍ବୀପର ରାଷ୍ଟ୍ରପତି ହେବା ପରେ ମାଳଦ୍ବୀପକୁ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଏହା ପ୍ରଥମ ସରକାରୀ ଗସ୍ତ। ଏହି ଅବସରରେ ଭାରତ ଓ ମାଳଦ୍ବୀପ ମଧ୍ୟରେ ସ୍ବାକ୍ଷର ହୋଇଛି ଅନେକ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଚୁକ୍ତି। ମାଳଦ୍ବୀପ ପ୍ରତିରକ୍ଷା ସହଯୋଗ ଓ ବିକାଶ ପାଇଁ ଭାରତ ପ୍ରଦାନ କରିଛି ୪ହାଜର୮୫୦କୋଟିର ଲାଇନ୍ ଅଫ କ୍ରେଡିଟ୍ ସହାୟତା। ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ବା ଏଫଟିଏ ନେଇ ସହମତ ପ୍ରକାଶ ପାଇଛି। ସମୟ ପରିବର୍ତ୍ତନ ଭିତରେ ଭାରତର ପ୍ରମୁଖ ବନ୍ଧୁ ଭାବେ ଉଭା ହୋଇଛି ମାଳଦ୍ବୀପ। ଭାରତ ମହାସାଗରରେ ଚୀନ ଦବଦବା ହ୍ରାସ ପାଇଁ ମାଳଦ୍ବୀପ ସହ ଭାରତର ମହାସାଗର ସହଯୋଗ ଓ ବନ୍ଧୁତା ନିତାନ୍ତ ଜରୁରୀ। ପର୍ଯ୍ୟଟନ ସମୃଦ୍ଧ ତଥା ୧୨ଶହ ଦ୍ବୀପ ପୁଞ୍ଜର ଏହି ଛୋଟ ଦେଶ ମାଳଦ୍ବୀପ ଭାରତ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ୨୦୨୪ ଅକ୍ଟୋବରରେ ମହମ୍ମଦ ମୁଇଜୁ ଭାରତ ଗସ୍ତ କରିବା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଲଗାତାର ଭାବେ ସୁଧୁରିଛି। ଭାରତ ସେ ସମୟରେ ମାଳଦ୍ବୀପ ପାଇଁ ୭୫୦ ନିୟୁତ ଡଲାର ମୁଦ୍ରା ସ୍ବାପ ଚୁକ୍ତି କରିଥିଲା। ଏହା ସହ ୨୦୨୫ ମେ ମାସରେ ଭାରତ ୫୦ ନିୟୁତ ଡଲାର ପ୍ରଦାନ କରି ମାଳଦ୍ବୀପ ଅର୍ଥନୀତିକୁ ସୁଦୃଢ଼ କରିଥିଲା। ବର୍ତ୍ତମାନ ମୋଦୀଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ, ଭାରତ ମହାସାଗରରେ ଚୀନର ପ୍ରଭାବ ହ୍ରାସ, ପର୍ଯ୍ୟଟନ ବିକାଶକୁ ଆଗକୁ ବଢାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୂରଣ ପାଇଁ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ ହୋଇଥିଲା। ମାଳଦ୍ୱୀପରେ ଭାରତ ସହଯୋଗରେ ୬ଟି ସାମୂହିକ ବିକାଶ ପ୍ରକଳ୍ପ ଶୁଭାରମ୍ଭ ସହ ୮ ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୋଦୀ ଏବଂ ମୁଇଜୁ ରାଜଧାନୀ ମାଲେରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନୂତନ କୋଠା ଉଦ୍‌ଘାଟନ କରିଥିଲେ। ‘ଏକ ପେଡ୍ ମା କେ ନାମ’ ଅଭିଯାନ ଆଧାରରେ ମାଳଦ୍ୱୀପରେ ଚାରା ରୋପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଭାରତ ପକ୍ଷରୁ ମାଳଦ୍ବୀପକୁ ଆରୋଗ୍ୟ ମୈତ୍ରୀ ସହଯୋଗ ପ୍ରଦାନ କରାଯାଇଛି।

- Advertisement -

କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ମାଳଦ୍ୱୀପକୁ ଏହା ତୃତୀୟ ଗସ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବନ୍ଧୁତା ସର୍ବଦା ଆମ ପାଇଁ ପ୍ରଥମ। ଭାରତ ମହାସାଗର ଅନ୍ତର୍ଗତ ପଡୋଶୀ ରାଷ୍ଟ୍ର ଦୃଷ୍ଟିକୋଣରୁ ମାଳଦ୍ୱୀପ ଭାରତ ପାଇଁ ଏକ ବିଶେଷ ସ୍ଥାନ ଗ୍ରହଣ କିରଛି। ମାଳଦ୍ବୀପର ସଙ୍କଟ, ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତ ସର୍ବଦା ବଡ ଭାଇ ଭଳି ସହଯୋଗ ଦେଇଆସିଛି। ଭାରତ ମାଳଦ୍ବୀପରେ ୬ଟି ଗୋଷ୍ଠୀ ବିକାଶ ପରିଯୋଜନା ଆରମ୍ଭ କରିଛି। ଭାରତ ମହାସାଗରରେ ନିକଟତମ ପଡୋଶୀ ମାଳଦ୍ବୀପ। ଖୁବ୍‌ଶ୍ରୀଘ୍ର ଭାରତ ଓ ମାଳଦ୍ବୀପ ମଧ୍ୟରେ ନୌଯାତ୍ରା ଓ ଫେରି ସେବା ଆରମ୍ଭ ହେବ। ଗ୍ରେଟର ମାଲେ କନେକ୍ଟିଭିଟି ପ୍ରୋଜେକ୍ଟ ଭାରତ ଓ ମାଳଦ୍ବୀପ ସଂପର୍କର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମାଳଦ୍ବୀପର ନ୍ୟାସନାଲା ଡିଫେନ୍ସ ଫୋର୍ସ କୁ ଭାରତ ୭୨ଟି ଗାଡ଼ି ପ୍ରଦାନ କରିଛି। ଊଭୟ ଦେଶ ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସହମତ ପ୍ରକାଶ ପାଇଛି। ଭାରତରେ ଆଗାମୀ ସିଓପି-୩୩ ବିଶ୍ବ ସମ୍ମିଳନୀରେ ସହଯୋଗ ପାଇଁ ମାଳଦ୍ବୀପ ସହମତ ହୋଇଛି। ଏହି ୧୨ଶହ ଦ୍ବୀପର ଦେଶ ମାଳଦ୍ବୀପ ସହ ଭାରତ ସଂପର୍କ ସୁଧାର, ଭାରତ ମହାସାଗରରେ ଚୀନର ଦବଦବା ହ୍ରାସ ଓ ଭାରତ ମହାସାଗରେ ଭାରତର ନୌସାମରିକ କ୍ଷେତ୍ରରେ ଉପସ୍ଥିତ ଜାହିର ପାଇଁ ମାଳଦ୍ବୀପ ଏକ ଜରୁରୀ ସହଯୋଗୀ ଭାବେ ଗଣା ଯାଉଛି। ମାଳଦ୍ବୀପର କ୍ଷେତ୍ରଫଳ ମାତ୍ର ୨୯୮ବର୍ଗ କିଲୋମିଟର। ଦିଲ୍ଲୀଠାରୁ ୫ଗୁଣା ଛୋଟ। ମୋଟ ଜନସଂଖ୍ୟା ୫ଲକ୍ଷ। ମାଳଦ୍ବୀପର ୯୮.୪ପ୍ରତିଶତ ଅଧିବାସୀ ମୁସଲମାନ। ପ୍ରାକୃତିକ ପର୍ଯ୍ୟଟନରେ ଭରା ମାଳଦ୍ବୀପର ପ୍ରମୁଖ ଅର୍ଥନୀତି ପର୍ଯ୍ୟଟନ। ତେଣୁ ଆକାରରେ ଛୋଟ ହେଲେ ମଧ୍ୟ ଭାରତର ଏହି ମହାସାଗରୀୟ ପଡୋଶୀ ମାଳଦ୍ବୀପ ଭାରତ ପାଇଁ ବେଶ୍‌ ଜରୁରୀ। ଛୋଟ ହେଉ କି ବଡ ଦେଶ ଭାରତ ସବୁବେଳେ ତା’ର ପଡୋଶୀ ରାଷ୍ଟ୍ର ସହ ସୁସଂପର୍କ ରଖି ଗ୍ଲୋବାଲ ସାଉଥର ଗୁରୁତ୍ବକୁ ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ପାକିସ୍ତାନ, ଚାନ ଭଳି ଦେଶକୁ ଭାରତର କୂଟନୈତିକ ରଣନୀତି ସହ୍ୟ ହୋଇପାରୁନି।

ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories