ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ଯେ କୌଣସି ରାଷ୍ଟ୍ର ସହିତ ବାଣିଜ୍ୟ କରିବାକୁ ହକ୍ଦାର। ଏଥିରେ ତାଙ୍କ ଦେଶର ଜାତୀୟ ସ୍ବାର୍ଥ ନିହିତ। ଏହା କରିବାବେଳେ ସେ ଭାରତ ଭଳି ଏକ ପରୀକ୍ଷିତ ମିତ୍ର ରାଷ୍ଟ୍ରକୁ ସମାଲୋଚନାକରି ଏହାର ଅର୍ଥନୀତି ମୃତ ବୋଲି କହିବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ତାଙ୍କ ରୁଗ୍ଣ ମାନସିକତା, ବାଚାଳତା ଓ ଖରାପ ବୈଦେଶିକ ନୀତିର ପ୍ରମାଣ ବହନ କରେ। ଭାରତୀୟ ବଜାରରେ ଆମେରିକୀୟ କୃଷିଜାତ ଓ ଅନ୍ୟାନ୍ୟ ସାମଗ୍ରୀ କମ୍ ଟିକସରେ ପୂରାଇବାକୁ ସେ ଯେଉଁ ଉଦ୍ୟମ କରୁଥିଲେ ସେଥିରେ ବିଫଳ ହେବାରୁ ଭାରତୀୟ ସାମଗ୍ରୀ ଉପରେ ୨୫ ଶତାଂଶ ଟିକସ ଲାଗୁ କରିଛନ୍ତି। ଆହୁରି ମଧ୍ୟ ଭାରତ, ରୁଷିଆରୁ ତୈଳ କିଣୁଥିବାରୁ ଏଥିରେ କ୍ଷୁବ୍ଧ ଟ୍ରମ୍ପ ଦୁଇ ଦେଶର ଅର୍ଥନୀତି ରସାତଳ-ଗାମୀ ହେବ ବୋଲି କହିଛନ୍ତି। ଟ୍ରମ୍ପଙ୍କ ୨୫ ଶତାଂଶ ଶୁଳ୍କର ପ୍ରଭାବ ଭାରତୀୟ ରପ୍ତାନି ସାମଗ୍ରୀ ଏବଂ ଆମ ଦେଶର ଅର୍ଥନୀତି ଉପରେ ଯେ କେତେକାଂଶରେ ପଡ଼ିବ ଏଥିରେ ସନ୍ଦେହ ନାହିଁ। ଟ୍ରମ୍ପ କିନ୍ତୁ ଭୁଲି ଯାଉଛନ୍ତି ଯେ ଏକ ପ୍ରତିକୂଳ ବିଶ୍ବ ଅର୍ଥନୀତି ସତ୍ତ୍ବେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ଗତବର୍ଷ ୬.୫% ଥିବାବେଳେ ଆମେରିକାର ଏହା ଥିଲା ମାତ୍ର ୨.୪ ଶତାଂଶ। ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ଆମେରିକା ନିଜର ବାଣିଜ୍ୟିକ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ଓଷଦ ବିକଳରେ ତାଟିଆ କାମୁଡ଼ୁଛି।
ଏବେ ଟ୍ରମ୍ପ ପାକିସ୍ତାନ ସହିତ ବନ୍ଧୁତା କରି ଏହା ସହିତ ନୂଆ ବାଣିଜ୍ୟ ଚୁକ୍ତି କରିଛନ୍ତି। ସେ ଦେଶରେ ଥିବା ବିପୁଳ ତୈଳ ସଂପଦର ଉତ୍ତୋଳନ ଓ ବିକ୍ରିବଟାରେ ଆମେରିକା ସହାୟତା କରିବ। ପାକିସ୍ତାନ ଯେ ଟ୍ରମ୍ପଙ୍କ ୨୫% ଶୁଳ୍କ ଲାଗୁ ଧମକରେ ଏହି ଚୁକ୍ତି କରିଛି ଏଥିରେ ଦ୍ବିମତ ହେବାର କିଛି ନାହିଁ। ଏପରି କି ଭବିଷ୍ୟତରେ ପାକିସ୍ତାନ ଭାରତକୁ ତୈଳ ବିକିପାରେ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ଭାରତର ଅର୍ଥନୀତିର ଆକାର, ବଜାରର ବ୍ୟାପକତା ଓ ଆନ୍ତର୍ଜାତିକ ବାଣିଜ୍ୟରେ ଥିବା ଅଂଶକୁ ଟ୍ରମ୍ପ ଭୁଲିଯାଇଛନ୍ତି ବୋଧହୁଏ। ଟ୍ରମ୍ପଙ୍କ ସମର୍ଥନ ବିନା ଭାରତର ପ୍ରଗତି ଯେ ରୋକିଯିବ ଏ ସମ୍ଭାବନା କ୍ଷୀଣ। ସେ ଭୁଲିଯାଉଛନ୍ତି ଯେ ପାକିସ୍ତାନ ସହିତ ବାଣିଜ୍ୟ ଚୁକ୍ତି କରି ସେ ଉଭୟ ଏସୀୟ ବ୍ୟାଘ୍ର ଚୀନ ଓ ଭାରତକୁ ଶତ୍ରୁ କରିଛନ୍ତି। ତା’ଛଡ଼ା ସବୁ ବ୍ରିକ୍ସ ରାଷ୍ଟ୍ର ଆମେରିକାର ବିରୋଧୀ । ଏମିତି ତ ରୁଷିଆ ସହିତ ଆମେରିକାର ଶତ୍ରୁତା ପୂର୍ବରୁ ରହିଛି। ଏବେ ରୁଷିଆରୁ ଉଭୟ ଭାରତ ଓ ଚୀନ ଶସ୍ତାରେ ତେଲ କିଣୁଛନ୍ତି। ଆହୁରି ମଧ୍ୟ ଅତିରିକ୍ତ ଶୁଳ୍କ ଧମକ ଯୋଗୁଁ ଚୀନ ମଧ୍ୟ ଆମେରିକା ଉପରେ କ୍ଷୁବ୍ଧ ଓ ଭାରତ ସହ ସମ୍ପର୍କ ବଢ଼ାଇବାର ସୂଚନା ଦେଲାଣି। ତେଣେ ନିଜର ଅର୍ଥନୀତିକ ସ୍ବାର୍ଥ ପାଇଁ ପାକିସ୍ତାନରେ ଚୀନ ବିପୁଳ ପୁଞ୍ଜି ନିବେଶ କରିଛି। ସେଠାରେ ଆମେରିକାର ଉପସ୍ଥିତି ଚୀନର ଗାତ୍ରଦାହର କାରଣ ହେବ।
ପାକିସ୍ତାନର ଅର୍ଥନୀତି ଏବେ କେଉଁ ସ୍ଥିତିରେ ଅଛି ତାହା ସମସ୍ତେ ଜାଣନ୍ତି। ତେଣୁ ତା’ ସହିତ ଆମେରିକା ବାଣିଜ୍ୟ ଚୁକ୍ତି କରି ଭାରତକୁ ଧମକାଇବା ଓ ଚାପ ପକାଇବା ନିରର୍ଥକ। ଏହା ଅବଶ୍ୟ ସତ୍ୟ ଯେ ପାକିସ୍ତାନ ଦକ୍ଷିଣ ଏସିଆରେ ଆମେରିକାର ଏକ ଅଣ ନାଟୋ ମିତ୍ର ରାଷ୍ଟ୍ର। ତେଣୁ ସାମରିକ ଓ ବାଣିଜ୍ୟିକ ସ୍ବାର୍ଥ ଦୃଷ୍ଟିରୁ ଟ୍ରମ୍ପ ପାକିସ୍ତାନକୁ ସୁବିଧା ଦେବାରେ କିିଛି ଅସୁବିଧା ନାହିଁ। ଏବେ ପ୍ରଶ୍ନ ଉଠୁଛି ଚୀନ ସହିତ ପାକିସ୍ତାନର ସମ୍ପର୍କ ଆଗକୁ କ’ଣ ହେବ?
କହିବା ବାହୁଲ୍ୟ ଯେ ୨୦୨୧-୨୨ରୁ ଆମେରିକା ଭାରତର ସବୁଠୁ ବଡ଼ ବାଣିଜ୍ୟ ଅଂଶୀଦାର ରହିଆସିଛି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ୧୩୨ ବିଲିୟନ ଡଲାର ମୂଲ୍ୟର ବାଣିଜ୍ୟ ହୋଇଥିଲା। ଦ୍ବିତୀୟରେ ଥିଲା ଚୀନ୍। ତେଣୁ ଟ୍ରମ୍ପ ଯାହା କହୁଛନ୍ତି ଭାରତ ସହିତ ତାଙ୍କ ଦେଶର କାରବାର ନଗଣ୍ୟ ତାହା ଡାହା ମିଛ। ଏକଦା ଏକ ଗରିବ ଦେଶଭାବେ କୁଖ୍ୟାତି ଲାଭ କରିଥିବା ଭାରତ ଖୁବ୍ କମ୍ ଦିନ ମଧ୍ୟରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ଅର୍ଥ ନୀତିରେ ପରିଣତ ହୋଇପାରିଛି। ଏହା ଛଡ଼ା ଏହାର ଅଭିବୃଦ୍ଧି ହାର ବିକାଶଶୀଳ ଦେଶଙ୍କ ମଧ୍ୟରେ ସବୁଠୁ ଦ୍ରୁତ। ଏଭଳି ଏକ ଶକ୍ତି ସହିତ ଟ୍ରମ୍ପ ଶତ୍ରୁତା କରି ନିଜର ପାଗଳାମି କେବଳ ଦେଖାଉନାହାନ୍ତି, ଅପରିଣାମଦର୍ଶୀଙ୍କ ପରି ମଧ୍ୟ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଦେଶର ଅର୍ଥନୀତିକ ବିକାଶରେ ଭାରତ ଓ ଭାରତୀୟଙ୍କ ଅବଦାନ ଭୁଲିଯିବା ଆମେରିକାର ଦୁର୍ବଳ ବିଦେଶନୀତିକୁ ପଦାରେ ପକାଉଛି।
ସମ୍ପାଦକୀୟ: ଟ୍ରମ୍ପଙ୍କ ବାଚାଳାମି
Popular Categories



