ବାଲେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ସମସ୍ତଙ୍କ ବିବେକକୁ ଦୋହଲାଇ ଦେଇଛି। କଲେଜ ଅଧ୍ୟକ୍ଷ, ଅଭିଯୁକ୍ତ ଅଧ୍ୟାପକ ଓ ଆଇସିସି କମିଟି ସଦସ୍ୟା ଜଣେ ଅଳ୍ପ ବୟସର ଝିଅକୁ ନିଜ ଝିଅ ଭଳି ଦେଖି ତା’ ପ୍ରତି ଉଦାର, ସମ୍ବେଦନଶୀଳ ହୋଇଥିଲେ ଏଭଳି ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟି ନ ଥାନ୍ତା। ଅଧ୍ୟକ୍ଷ ଟିକେ ବିଚାରବନ୍ତ ହୋଇଥିଲେ ସମ୍ପୃକ୍ତ ଅଧ୍ୟାପକ ଓ ସୌମ୍ୟାଶ୍ରୀଙ୍କୁ ବସାଇ ୫ ମିନିଟ୍ରେ ଘଟଣାର ସମାଧାନ କରିପାରିଥାନ୍ତେ। କମିଟି, ତଦନ୍ତ, ପୁଲିସ ଆଦିର କୌଣସି ଆବଶ୍ୟକତା ନ ଥିଲା। ଅଧ୍ୟକ୍ଷମାନେ ଆଲୋଚନା ଦ୍ୱାରା ହିଁ ଅଭିଯୋଗ, ସମସ୍ୟାର ସହସା ସମାଧାନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ କେତେକ ସଂସ୍କାର ଆସିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ବିଦ୍ୟାର୍ଥୀ-ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀ-ଅଧ୍ୟାପକଙ୍କ ମଧ୍ୟରେ ସୁସମ୍ପର୍କ ତଥା ଅଧ୍ୟକ୍ଷଙ୍କ ନେତୃତ୍ବ ଏବଂ ବ୍ୟକ୍ତିତ୍ବ ଦ୍ୱାରା କଲେଜର ବାତାବରଣ ସର୍ବଦା ସୁସ୍ଥ, ଶୃଙ୍ଖଳିତ ଓ ସୌହାର୍ଦ୍ୟପୂର୍ଣ୍ଣ ରହିପାରିବ।
ଏବେ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଭାରପ୍ରାପ୍ତ ଅଧ୍ୟକ୍ଷ ରହୁଛନ୍ତି। ସେମାନଙ୍କ ପଦ ହେଉଛି ସହଯୋଗୀ ବା ସହକାରୀ ପ୍ରଫେସର। ସେମାନେ ପ୍ରଫେସର ହୋଇ ନ ଥିଲେ ହେଁ ସ୍ନାତକୋତ୍ତର ଶ୍ରେଣୀ ଥିବା ମହାବିଦ୍ୟାଳୟର ମୁଖିଆ ହେଉଛନ୍ତି। ପୂର୍ବରୁ ଅଧ୍ୟକ୍ଷ ପଦରେ ବରିଷ୍ଠ ରିଡରମାନେ ରହୁଥିଲେ। ତେଣୁ ପ୍ରଫେସରମାନେ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇବା ସହ ଅଭିଜ୍ଞ ପ୍ରଫେସର ବିଭାଗୀୟ ମୁଖ୍ୟ ହେବା ଆବଶ୍ୟକ। ମାତ୍ର ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ହାତଗଣତି କେତେଜଣ ପ୍ରଫେସର ଅଛନ୍ତି। ଅଧିକାଂଶ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ଏବଂ ସହଯୋଗୀ ପ୍ରଫେସର କାର୍ଯ୍ୟରତ ଥିବାବେଳେ ସେମାନଙ୍କୁ ପଦୋନ୍ନତି ଦେବାର ଆବଶ୍ୟକତା ରହିଛି। କେବଳ ବରିଷ୍ଠତା ନୁହେଁ, ନେତୃତ୍ବ ଗୁଣସମ୍ପନ୍ନ, ପରିଚାଳନାରେ ସୁଦକ୍ଷ ଓ ବିଚାରବନ୍ତ ପ୍ରଫେସରଙ୍କୁ ଉଭୟ ଅନୁଦାନପ୍ରାପ୍ତ ଏବଂ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କରାଯିବା ଆବଶ୍ୟକ। ପୂର୍ବରୁ ମହାବିଦ୍ୟାଳୟଗୁଡ଼ିକରେ ଟ୍ୟୁଟୋରିଆଲ ବ୍ୟବସ୍ଥା ରହିଥିଲା। ୨୫/୩୦ ଜଣ ପିଲାଙ୍କୁ ଗୋଟିଏ ଗ୍ରୁପ୍ରେ ରଖି ଜଣେ ଅଧ୍ୟାପକ ସପ୍ତାହରେ ଥରେ ସେମାନଙ୍କର ଗୋଟିଏ କ୍ଲାସ୍ ନେଉଥିଲେ। ଏଥିରେ କେବଳ ଶିକ୍ଷାଦାନ ନୁହେଁ, ଅଧ୍ୟାପକ ଜଣକ ପିଲାଙ୍କ ପାଠରେ ଅସୁବିଧା, ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସମାଧାନ କରୁଥିଲେ। ସେ ପିଲାଙ୍କ ସ୍ଥାନୀୟ ଅଭିଭାବକର ଭୂମିକାରେ ରହୁଥିବାବେଳେ ପରିବାରଠାରୁ ଦୂରରେ ରହୁଥିବା ପିଲାମାନେ ବି ସେମାନଙ୍କ କଥା କେହି ଜଣେ ବୁଝିବାକୁ ଅଛି ବୋଲି ନିଶ୍ଚିତ ହେଉଥିଲେ। ଏଭଳି ବ୍ୟବସ୍ଥା ପୁଣି ପ୍ରଚଳିତ ହେବା ଆବଶ୍ୟକ। କଲେଜଗୁଡ଼ିକରେ ଛାତ୍ରୀଙ୍କୁ ନିର୍ଯାତନାରୁ ସୁରକ୍ଷିତ ରଖିବାକୁ ସରକାର ଶକ୍ତିଶ୍ରୀ ସେଲ୍ର ବ୍ୟବସ୍ଥା କରାଇବେ। ଏଥିରେ କେବଳ ଛାତ୍ରୀ ଓ ଅଧ୍ୟାପିକା ରହିବେ। ଏହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ମାତ୍ର ଛାତ୍ରଙ୍କର ବି କିଛି ସମସ୍ୟା, ଅଭିଯୋଗ ଓ ଅସୁବିଧା ଆସିପାରେ। ସବୁ ପିଲାଙ୍କ ସୁବିଧା-ଅସୁବିଧା ବୁଝିବାକୁ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ରହିଛି ଟାଇଟଲ ଆଇଏକ୍ସ ସଂଯୋଜକଙ୍କ କାର୍ଯ୍ୟାଳୟ। ଏହି ସଂଯୋଜକ ଓ ତାଙ୍କ ସହଯୋଗୀମାନେ ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ସଦା ତତ୍ପର ରହିଥାନ୍ତି। ପ୍ରତି ମହାବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ଏହିପରି ସଂଯୋଜକ ରଖାଯାଇପାରିବ।
ଅନ୍ୟ ଏକ କଥା ହେଲା ଯେ ଏବେ ସେମିଷ୍ଟାର ବ୍ୟବସ୍ଥାରେ ଅଧ୍ୟାପକଙ୍କ ହାତରେ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ନମ୍ବର ରହୁଥିବାରୁ କେହି କେହି ନୀତି ଓ ନୈତିକତା ବିବର୍ଜିତ ଅଧ୍ୟାପକ ପାତରଅନ୍ତର କରିବା ସହ ପିଲାଙ୍କୁ ଶୋଷଣର ସୁଯୋଗ ପାଉଥିବା ଅଭିଯୋଗ ହେଉଛି। ଏହା ଉଠାଯିବା ପାଇଁ ମଧ୍ୟ କେତେକ ବୁଦ୍ଧିଜୀବୀ ମତ ଦେଉଛନ୍ତି। ସେହିପରି ସ୍ବୟଂଶାସିତ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିର୍ବିବାଦୀୟ ତଥା ଉଦ୍ଯୋଗୀ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତଙ୍କୁ ନେଇ ପରିଚାଳନା କମିଟି ରହିବାର ଆବଶ୍ୟକତା ରହିଛି। ତେବେ ସ୍ବୟଂଶାସିତ କଲେଜ କ୍ଷେତ୍ରରେ ଜିଲାପାଳ ସଭାପତି ରହିଲେ ସବୁ ଦୃଷ୍ଟିରୁ ଭଲ ହେବ। କମିଟି କେବଳ ରେକର୍ଡରେ ସୀମାବଦ୍ଧ ନ ରହି ଏହାର ସଭାପତି ଓ ସଦସ୍ୟ ନିୟମିତ କଲେଜର ସମସ୍ୟା ବୁଝିବା ସହ ବିକାଶମୂଳକ ପଦକ୍ଷେପ ନେଇ ସକ୍ରିୟ ରହିବା ଆବଶ୍ୟକ। ସ୍ବୟଂଶାସିତ ହେଲେ ବି କୌଣସି କଲେଜର କାର୍ଯ୍ୟ ସମ୍ପର୍କରେ ନିକଟବର୍ତ୍ତୀ ବିଶ୍ବବିଦ୍ୟାଳୟ ସମୀକ୍ଷା କରି କିଛି ନିର୍ଦେଶ ଦେବାର ବ୍ୟବସ୍ଥା ରହିବା ଉଚିତ ବୋଲି ବହୁ ଶିକ୍ଷାବିତ ମତ ରଖିଛନ୍ତି। ଏହାସହ ହତାରେ ଆବଶ୍ୟକସଂଖ୍ୟକ ସୁରକ୍ଷା କର୍ମୀ ମୁତୟନ ସାଙ୍ଗକୁ ନିଆଁ ଭଳି ହଠାତ କୌଣସି ଅଘଟଣ ଘଟିଲେ ସହସା ମୁକାବିଲା ପାଇଁ ସମୁଚିତ ବ୍ୟବସ୍ଥା ରହିବା ଆବଶ୍ୟକ।



