ବିଧାୟକଙ୍କ ସପକ୍ଷରେ ମତ ଦେଲେ ସହିଦଙ୍କ ଦାଦା
କଟକ : ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କୁ ଦୁର୍ବ୍ୟବହାର କରି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ବିବାଦକୁ ଆସିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଦେବାଶିଷଙ୍କ ଗିରଫ ଦାବି କରିଥିବା ବେଳେ ବିଧାୟକଙ୍କ ସପକ୍ଷରେ ମତ ଦେଇଛନ୍ତି ସହିଦଙ୍କ ଦାଦା ଚୈତନ୍ୟ ବେହେରା। ଚୈତନ୍ୟ କହିଛନ୍ତି ଯେ, ବିଧାୟକ ତାଙ୍କୁ ଠେଲାପେଲା କରୁ ନ ଥିଲେ ବରଂ ବସି ଯିବାକୁ କହୁଥିଲେ। କାରଣ ତୋପ ସଲାମି ବେଳେ ଲୋକେ ଠେଲାପେଲା ହେଉଥିବାରୁ ତା ଭିତରକୁ ନ ଯିବାକୁ ବିଧାୟକ ତାଙ୍କୁ କହିଥିଲେ। ଦେବାଶିଷ ବାବୁ ଜଣେ ବହୁତ ଭଲ ଲୋକ। ସେଦିନ ମନୋଜଙ୍କ ମୃତଦେହ ଘରେ ପହଞ୍ଚିବା ପୂର୍ବରୁ ସେ ଆମ ଘରକୁ ଆସି ବୁଝାସୁଝା କରିଥିଲେ। ମୃତଦେହ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ବିଧାୟକ ମୋତେ କୌଣସି ପ୍ରକାରର ଅସମ୍ମାନ କରି ନାହାନ୍ତି। ଏହାକୁ ନେଇ ରାଜନୀତି ନ କରିବାକୁ ଚୈତନ୍ୟ ଭିଡିଓ ମାଧ୍ୟମରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସହିଦ ମନୋଜ ବେହେରାଙ୍କ ଶବ ସତ୍କାର ଦିନ ଘଟଣାସ୍ଥଳକୁ ବିଧାୟକ ସାମନ୍ତରାୟ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଦୁର୍ବ୍ୟବହାର କରାଯାଉଥିବା ବ୍ୟକ୍ତି ଜଣକ ଶହୀଦଙ୍କ ଦାଦା ବୋଲି ଜଣାପଡିଥିଲା। ଏହାକୁ ନେଇ ବିରୋଧିଙ୍କ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।