ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ କୌଣସି ମାମଲାର ତଦନ୍ତ ଚାଲିଥିବାବେଳେ ଅଯଥାରେ ଓକିଲଙ୍କୁ ସମନ ଜାରି କରାଯାଉଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଡି ଅଧିକାରୀମାନେ ଏହି ପ୍ରସଙ୍ଗରେ ନିଜର ସୀମା ଲଂଘନ କରୁଛନ୍ତିିି ବୋଲି ପ୍ରଧାନ ବିଚାରପତି ବି.ଆର.ଗବଇ କହିଛନ୍ତି। ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବାବେଳେ ଇଡି ପକ୍ଷରୁ ବରିଷ୍ଠ ଓକିଲଙ୍କୁ ସମନ ଜାରି କରାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ବାର୍ ଆସୋସିଏସନ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ପଠାଯାଇଥିଲା। ଇଡିଙ୍କ ଏଭଳି କାର୍ଯ୍ୟ ଦ୍ବାରା ଓକିଲାତି ପେସାର ସ୍ବାଧୀନତା କ୍ଷୁଣ୍ଣ ହେଉଥିବାବେଳେ ଏହା ନ୍ୟାୟିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଅଭିଯୋଗ ମଧ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ ନିକଟରେ ସୁପ୍ରିମକୋର୍ଟର ଦୁଇ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତାର ଓ ପ୍ରତାପ ବେଣୁଗୋପାଳଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଇଡି ଏହି ସମନକୁ ପ୍ରତ୍ୟାହାର କରିଥିବାବେଳେ ଭବିଷ୍ୟତରେ ଇଡି ମହାନିର୍ଦେଶକଙ୍କ ବିନା ଅନୁମତିରେ ଓକିଲଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଏହି ମର୍ମରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଯଦି ଜଣେ ଓକିଲ ତାଙ୍କ ମହକିଲଙ୍କୁ ଆଇନଗତ ପରାମର୍ଶ ଦେଉଥାନ୍ତି, ତେବେ ସେ କ୍ଷେତ୍ରରେ ସଂପୃକ୍ତ ଓକିଲଙ୍କୁ ଇଡି ସମନ ଜାରି କରିପାରିବେ ନାହିଁ। ସୋମବାର ଅନ୍ୟ ଏକ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଇଡିଙ୍କୁ ଭର୍ତ୍ସନା କରିଛନ୍ତି। ମୁଦା (ମହୀଶୂର ଅର୍ବାନ ଡେଭେଲପ୍ମେଣ୍ଟ ଅଥରିଟି) ମାମଲାରେ ଇଡି ପକ୍ଷରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀଙ୍କୁ ସମନ ଜାରି କରାଯାଇଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ରାଜନୈତିକ ବିବାଦକୁ ଅଯଥାରେ ସୁପ୍ରିମକୋର୍ଟକୁ ଟାଣୁଥିବାରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁଙ୍କୁ ମଧ୍ୟ ଦୁଇପଦ ଶୁଣିବାକୁ ପଡିଛି।



