www.samajalive.in
Friday, December 5, 2025
20.1 C
Bhubaneswar

ବଳଙ୍ଗା ବର୍ବରତା, ଘଟଣାକୁ ତିନି ଦିନ ବିତିଲା; ଅପରାଧୀଙ୍କ ସୁରାକ ମିଳୁନି

ପୁରୀ/ବଳଙ୍ଗା: ବଳଙ୍ଗାରେ ନାବାଳିକାଙ୍କୁ ବଳପୂର୍ବକ ଟେକିନେଇ କିରୋସିନି ପକାଇ ପୋଡ଼ି ହତ୍ୟା ଉଦ୍ୟମ ଘଟଣାର ସୁରାକ ପାଉନି ପୁଲିସ। ଘଟଣାର ତିନିଦିନ ପରେ ମଧ୍ୟ ଜଣେ ହେଲେ ଅପରାଧୀଙ୍କୁ ଗିରଫ କରାଯାଇ ପାରିନାହିଁ। ତିନି ଅଭିଯୁକ୍ତଙ୍କ ସମ୍ପର୍କରେ ସିସିଟିଭି ଫୁଟେଜରୁ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ୧୦ ଯୁବକଙ୍କ ସମେତ ନାବାଳିକାଙ୍କ ସହପାଠୀ ଓ କିଛି ସମ୍ପର୍କୀୟଙ୍କୁ ବଳଙ୍ଗା ଥାନା ପୁଲିସ ଜେରା କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ସୋମବାର କ୍ରାଇମ ବ୍ରାଞ୍ଚର ୫ ଏବଂ ସ୍ପେଶାଲ ବ୍ରାଞ୍ଚର ୧୦ ଜଣିଆ ଦଳ ବଳଙ୍ଗାରେ ପହଞ୍ଚି ତନାଘନା ଚଳାଇଛନ୍ତି। ସ୍ବତନ୍ତ୍ର ଅପରାଧ ଶାଖା ଅତିରିକ୍ତ ଆରକ୍ଷୀ ମହାନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମ ସେନାପତିଙ୍କ ଠାରୁ ସେ ତଥ୍ୟ ସଂଗ୍ରହ କରିଛନ୍ତି। ଥାନାକୁ ଯାଇ ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ୍‌ ପୀଡ଼ିତାଙ୍କ ଘରକୁ ଯାଇ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ପୁନର୍ବାର ପଚରାଉଚରା ଚଳାଇଛି। ଅନ୍ୟପଟେ ଘଟଣାସ୍ଥଳରୁ ଜବତ ମୁଦି ଓ ଚୁଡ଼ି ପୀଡ଼ିତାଙ୍କର ନୁହେଁ ବୋଲି ତାଙ୍କ ସମ୍ପର୍କୀୟ ଖୁଡ଼ୀ କହିଛନ୍ତି। ଦରପୋଡ଼ା ପୋଷାକ ତାଙ୍କ ଝିଆରୀର ବୋଲି ସେ କହିଛନ୍ତି। ପୁଲିସ ଟିମ୍‌ ଘଟଣାସ୍ଥଳରୁ ମିଳିଥିବା ରୁପାମୁଦି ଉପରେ ଗୁରୁତ୍ବ ଦେଇ ବଳଙ୍ଗା ବଜାରରେ ଥିବା ବିଭିନ୍ନ ଦୋକାନକୁ ଯାଇ ତଦନ୍ତ କରିଛି।

ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନର ସତ୍ୟତା ନେଇ ପୁଲିସ ତଦନ୍ତ କରୁଛି। କିଛି ସମ୍ପର୍କୀୟଙ୍କ ବୟାନ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ବାରମ୍ବାର ପଚରାଉଚରା କରାଯାଉଛି। ନାବାଳିକାଙ୍କୁ ନଦୀ ବନ୍ଧକୁ ଟେକିନେଇ ପେଟ୍ରୋଲ ଏବଂ କିରାସିନି ପକାଇ ନିଆଁ ଲଗାଇଥିବା ଯୁବକମାନେ କିଏ, ସେଥିନେଇ ପୁଲିସ ଏବେ ମଧ୍ୟ ଅନ୍ଧକାରରେ ରହିଛି। ତଦନ୍ତ ଦାୟିତ୍ୱ ପୁଲିସଠାରୁ କାଢ଼ି ନେଇ କ୍ରାଇମ୍ ବ୍ରାଞ୍ଚକୁ ଦିଆଯିବା ସମ୍ଭାବନା ରହିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବ ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ପୁଲିସ ମହାନିର୍ଦେଶକ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି, ସ୍ପେଶାଲ ବ୍ରାଞ୍ଚ ଆଇଜି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ତଦନ୍ତର ଅନୁଧ୍ୟାନ କରିଛନ୍ତି। ଏହାସତ୍ତ୍ୱେ ନାବାଳିକାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯିବା ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ଏହି ବୀଭତ୍ସ ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନଥିବା ବଳଙ୍ଗା ଥାନା ଇନ୍ସପେକ୍ଟର ଦିବ୍ୟରଞ୍ଜନ ପଣ୍ଡା କହିଛନ୍ତି।
ଘଟଣା ବିଷୟରେ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ଅଞ୍ଚଳରେ କିଛି ସାଧା ପୋଷାକଧାରୀ ପୁଲିସ ଏବଂ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଘଟଣାସ୍ଥଳରୁ ପୁଲିସ, ସାଇଣ୍ଟିଫିକ ଦଳ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ ) ବିଶେଷଜ୍ଞ ଓ ସନ୍ଧାନୀ କୁକୁର ସଂଗ୍ରହ କରିଥିବା ଜିନିଷଗୁଡ଼ିକୁ ପରୀକ୍ଷା ପାଇଁ ବିଜ୍ଞାନାଗାର ପଠାଯାଇଛି। ପୀଡ଼ିତା ନାବାଳିକା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେଠାରେ ପୀଡ଼ିତାଙ୍କ ପରିବାର ସଦସ୍ୟ ରହୁଛନ୍ତି। ସେମାନେ ଦିଲ୍ଲୀରୁ ଫେରିବା ପରେ ଘଟଣା ବିଷୟରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରିବା ସମ୍ଭାବନା ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories