www.samajalive.in
Saturday, December 6, 2025
23.1 C
Bhubaneswar

ବିହାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା: ବାଦ ପଡ଼ିବେ ୪୧ ଲକ୍ଷ

ପାଟନା: ବିହାରରେ ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୪୧ ଲକ୍ଷ ଭୋଟର ଚୂଡାନ୍ତ ତାଲିକାରୁ ବାଦ ପଡିବେ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଜଣାପଡିଛି। ବୁଥ୍‌ ଲେଭଲ ଅଧିକାରୀମାନେ ଏପର୍ଯ୍ୟନ୍ତ ତିନି ରାଉଣ୍ଡ ଘରକୁ ଘର ବୁଲି ତାଲିକା ସଂଶୋଧନ କାର୍ଯ୍ୟ କରିସାରିଲେଣି। ତେବେ ୪୧ ଲକ୍ଷ ଭୋଟର ସେମାନଙ୍କର ପଞ୍ଜିକୃତ ବାସଭବନ ଠିକଣାରେ ଉପସ୍ଥିତ ନଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୧୪.୧ ଲକ୍ଷ ଭୋଟର ପ୍ରାଣ ହରାଇ ସାରିଥିବାବେଳେ ୧୯.୭ ଲକ୍ଷ ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଛନ୍ତି। ୭.୫ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ନିଜର ନାମ ପଞ୍ଜିକୃତ କରିଥିବା ସର୍ଭେ ସମୟରେ ଦୃଷ୍ଟିକୁ ଆସିଛି। ୧୧ ହଜାର ଭୋଟରଙ୍କ ପତ୍ତା ମିଳୁନଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଇସିଙ୍କ ନିକଟରେ ୭.୧୫ କୋଟି ଏନୁମେରେସନ ଫର୍ମ ପହଞ୍ଚି ସାରିଛି। ଏହାଫଳରେ ନିର୍ଦ୍ଧାରିତ ଲକ୍ଷ୍ୟର ୯୦.୬ ପ୍ରତିଶତ ହାସଲ ହୋଇପାରିଛି। ଏଥିମଧ୍ୟରୁ ୮୮.୨ ପ୍ରତିଶତ ର୍ଫମକୁ ଡିଜିଟାଲ ପ୍ରକ୍ରିୟାରେ ରୂପାନ୍ତରିତ କରାଯାଇଛି। ର୍ଫମ ଦାଖଲର ଶେଷ ତାରିଖ ଜୁଲାଇ ୨୫ ଧାର୍ଯ୍ୟ କରାଯାଇଥିବା ବେଳେ ଆହୁରି ୩୨ ଲକ୍ଷ ଫର୍ମ ଇସିଙ୍କ ନିକଟରେ ପହଞ୍ଚିବାକୁ ବାକି ରହିଛି। ଏହି ପରିପ୍ରେକ୍ଷୀରେ ପୁଣି ଗୋଟିଏ ରାଉଣ୍ଡ ଭୋଟରଙ୍କ ଘରକୁ ଯିବା କାର୍ଯ୍ୟ ଜାରି ରଖିବାକୁ ଇସି ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଚଳିତ ସପ୍ତାହର ପ୍ରାରମ୍ଭରେ ଇସି କହିଥିଲେ ଯେ ୩୫.୬ ଲକ୍ଷ ଭୋଟର ସେମାନଙ୍କ ପଞ୍ଜୀକୃତ ଠିକଣାରେ ଅନୁପସ୍ଥିତ ରହିଛନ୍ତି। ଆହୁରି ୩୨ ଲକ୍ଷ ଫର୍ମ ପହଞ୍ଚିବାକୁ ବାକି ରହିଛି। ଏ ସମ୍ପର୍କରେ ସବୁ ରାଜନୈତିକ ଦଳକୁ ଅବଗତ କରାଯାଇଛି। ଫଳରେ ଦଳଗୁଡିକ ଏହାର ସତ୍ୟତା ଯାଞ୍ଜ କରିପାରିବେ ବୋଲି କୁୁହାଯାଇଛି। ଇସିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ (ଏସଆଇଆର-ସ୍ପେସାଲ ଇନ୍‌ଟେନ୍‌ସିଭ୍‌ ରିଭିଜନ)କୁ ବିରୋଧୀ ଦଳଗୁଡିକ ନାସପନ୍ଦ କରିଛନ୍ତି। ତରବରିଆ ଭାବେ ଏହି କାର୍ଯ୍ୟ ସମ୍ପାଦନ କରାଯାଉଥିବାରୁ ରାଜ୍ୟରେ କ୍ଷମତାସୀନ ଜେଡିୟୁ-ବିଜେପି ମେଣ୍ଟ ସରକାରକୁ ଫାଇଦା ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଏହି ମର୍ମରେ ଦେଶର ୩୫ଟି ପ୍ରମୁଖ ରାଜନୈତିକ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି। ବିଜେପିର ନିର୍ଦେଶକ୍ରମେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ କରାଯାଉଥିବାରୁ ଏହାକୁ ବିରୋଧ କରିବାକୁ ସେ ନେତାଙ୍କୁ ନିବେଦନ କରିଛନ୍ତି। ଅଣ ଏନଡିଏ ଭୋଟରଙ୍କୁ ତାଲିକାରୁ ହଟାଇବାକୁ ଏହା ଏକ ଷଡଯନ୍ତ୍ର ବୋଲି ତେଜସ୍ବୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଏହି କାର୍ଯ୍ୟ ଚାଲିଥିବାବେଳେ ବିହାରର କେତେକ ପଞ୍ଜିକୃତ ଭୋଟର ବାଂଲାଦେଶ, ନେପାଳ ଓ ମ୍ୟାଁମାର ନାଗରିକ ବୋଲି ଚିହ୍ନଟ କରାଯାଇଛି। କାଗଜପତ୍ର ଯାଞ୍ଚ କରାଯିବାପରେ ସେମାନଙ୍କ ନାମକୁ ତାଲିକାରୁ ହଟାଇ ଦିଆଯିବ ବୋଲି ଇସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories