www.samajalive.in
Saturday, December 6, 2025
17.1 C
Bhubaneswar

୧୦ ଦିନ ବାକି, ଗଚ୍ଛିତ ରହିଛି ୩୦ ହଜାର କୁଇଣ୍ଟାଲ ବିହନ

ଭୁବନେଶ୍ବର: ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟ ସରକାର ଅଢ଼େଇ ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ବିହନ ଚାଷୀଙ୍କୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଯାବତ୍‌ ୧ ଲକ୍ଷ ୭୦ ହଜାର କୁଇଣ୍ଟାଲ ବିହନ ବିକ୍ରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଗମ ପାଖରେ ୩୦ ହଜାର କୁଇଣ୍ଟାଲ ବିହନ ଗଚ୍ଛିତ ରହିଛି। ବିହନ ବିକ୍ରି ପାଇଁ ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବାବେଳେ ଏହାରି ଭିତରେ ଧାର୍ଯ୍ୟଲକ୍ଷ୍ୟ ଛୁଇଁବା ସମ୍ଭାବନା କମ। କାରଣ ଆଉ କିଛି ଦିନପରେ ଜୁଲାଇ ସରିବ। କେବଳ ଚଳିତ ବର୍ଷ ପ୍ରାମାଣିକ ବିହନ ବିକ୍ରି କମିଛି ତାହା ନୁହେଁ ବରଂ ବିଗତ ବର୍ଷଗୁଡ଼ିକରେ ମଧ୍ୟ ବିହନ ବିକ୍ରି ହ୍ରାସ ପାଇଥିଲା।

ରାଜ୍ୟ ବିହନ ନିଗମରୁ ମିଳିଥିବା ତଥ୍ୟାନୁଯାୟୀ, ଚଳିତ ବର୍ଷ ଖରିଫ ଋତୁରେ ଚାଷୀଙ୍କୁ ପ୍ରାମାଣିକ ବିହନ ବିକ୍ରି ପାଇଁ ୨ଲକ୍ଷ କୁଇଣ୍ଟାଲ କିଣାଯାଇଥିଲା। ଏଥିରୁ ୧ ଲକ୍ଷ ୭୦ ହଜାର କୁଇଣ୍ଟାଲ ବିକ୍ରି କରାଯାଇ ଥିବାବେଳେ ୩୦ହଜାର କୁଇଣ୍ଟାଲ ପ୍ରାମାଣିକ ବିହନ ନିଗମ ପାଖରେ ଅଛି। ସରକାର ବିହନ ନିଗମକୁ ୩ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ବିହନ ସଂଗ୍ରହ କରିବାକୁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ନିଗମ ଚାଷୀଙ୍କ ଦ୍ବାରା ପ୍ରାୟ ୩ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ବିହନ ଉତ୍ପାଦନ କରିଥିଲା। ହେଲେ ଶେଷ ମୁହୂର୍ତ୍ତରେ ସରକାର ଚାଷୀଙ୍କ ପାଖରୁ ପ୍ରାମାଣିକ ବିହନ ନକିଣିବା ଦ୍ବାରା ଚାଷୀ ବାଧ୍ୟ ହୋଇ ମଣ୍ଡିରେ ବିହନକୁ ବିକ୍ରି କରିଥିଲେ। ପ୍ରାମାଣିକ ବିହନ ବିକ୍ରି ହ୍ରାସ ପାଇବାର କାରଣ ଓଟିପି, ଚଳିତ ବର୍ଷ ରିଆତି ହ୍ରାସ, ମୂଲ୍ୟ ବୃଦ୍ଧିକୁ ଦାୟୀ କରାଯାଉଛି। ସରକାର ଚାଷୀଙ୍କୁ ତିନି ପ୍ରକାର ବିହନ ବିକ୍ରି କରୁଛନ୍ତି। ବଡ଼, ମଧ୍ୟମ ଏବଂ ସଅଳ ଅମଳ କିସମ ପ୍ରାମାଣିକ ବିହନ ବିକ୍ରି କରାଯାଉଛି। ବର୍ତ୍ତମାନ ବଡ଼ ଓ ମଧ୍ୟମ କିସମ ବିହନ ବିକ୍ରି ପାଇଁ ସମୟ ଅତିବାହିତ ହୋଇଛି। ଚାଷୀ ତଳି ବୁଣାବୁଣି କରି ସାରିଲେଣି। ସଅଳ ଅମଳ କିସମ ଧାନ କିଣିପାରିବେ। ଏହାକୁ ଦେଖିଲେ ଚଳିତ ବର୍ଷ ନିଗମ ଅଢ଼େଇ ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ବିହନ ବିକ୍ରି କରିବା ସମ୍ଭାବନା କମ।

- Advertisement -

ଚାଷୀ ପ୍ରାମାଣିକ ବିହନ କିଣିବା ନିମନ୍ତେ ଡିଲର, ପାକ୍ସ ଏବଂ ଏସଏଚଜିଙ୍କ ପାଖରେ ପଞ୍ଜୀକରଣ କରିଥାନ୍ତି। ନିଗମ ପ୍ରାମାଣିକ ବିହନ ସଂଗ୍ରହ କରି ଡିଲର, ପାକ୍ସ ଏବଂ ଏସଏଚଜିଙ୍କୁ ପ୍ରେରଣ କରିଥାଏ। ପଞ୍ଜିକୃତ ଚାଷୀ ସେମାନଙ୍କ ପାଖରୁ ଟଙ୍କା ଦେଇ ବିହନ କିଣୁଛନ୍ତି। ପୂର୍ବବର୍ଷ ଗୁଡ଼ିକରେ ନିଗମ ୫ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ବିକ୍ରି କରୁଥିବା ବେଳେ ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ଅଢ଼େଇ ଲକ୍ଷ କୁଇଣ୍ଟାଲ ରଖାଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ପ୍ରତିବର୍ଷ ପ୍ରାମାଣିକ ବିହନ ବିକ୍ରି କମିବାରେ ଲାଗିଛି। ଅନ୍ୟପଟେ ଚଳିତ ବର୍ଷ ପ୍ରାମାଣିକ ବିହନ ଦର କୁଇଣ୍ଟାଲ ପିଛା ଗତବର୍ଷ ଅପେକ୍ଷା ପ୍ରାୟ ଏକ ହଜାର ଟଙ୍କା ବଢ଼ିଛି। ସରକାର ଚାଷୀଙ୍କୁ ଦେଉଥିବା ରିଆତି ମୂଲ୍ୟ ଅଧାକୁ ହ୍ରାସ କରିଛନ୍ତି। ଚାଷୀ ଅଧିକ ଟଙ୍କାରେ ପ୍ରାମାଣିକ ବିହନ କିଣିବା ଦ୍ବାରା ଚାଷୀଙ୍କୁ ବାଧୁଛି। ଏତେ ଟଙ୍କା ଦେଇ ଚାଷୀ ପ୍ରାମାଣିକ ବିହନ କିଣିବା ସମ୍ଭବ ହୋଇ ପାରୁନାହିଁ। ୨୦୨୪ରେ ସରକାର ଏକ କୁଇଣ୍ଟାଲ ପିଛା ପ୍ରାମାଣିକ ବିହନ ମୂଲ୍ୟ ୩ ହଜାର ୯୩୭ଟଙ୍କା ରଖିଥିଲେ। ୧୦ବର୍ଷରୁ କମ ଅବଧି ପ୍ରାମାଣିକ ବିହନକୁ ଚାଷୀ ୨ ହଜାର ୩୫୦ଟଙ୍କା ଦେଇ କିଣୁଥିଲେ ଏବଂ ୧୫୮୭ ଟଙ୍କା ରିଆତି ପାଉଥିଲା। ୧୦ବର୍ଷରୁ ଊର୍ଦ୍ଧ୍ବ ଅବଧି ବିହନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କା ଦେଇ ଚାଷୀ କିଣୁଥିଲେ ଏବଂ ଏହା ଉପରେ ୧୪୩୭ ଟଙ୍କା ରିଆତି ପାଉଥିଲେ। ହେଲେ ଚଳିତ ବର୍ଷ ରାଜ୍ୟ ସରକାର ପ୍ରାମାଣିକ ବିହନ ମୂଲ୍ୟ କୁଇଣ୍ଟାଲ ପିଛା ୪ ହଜାର ୧୨୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଦର ଉପରେ ଚାଷୀ ୧୦ବର୍ଷରୁ କମ ଅବଧି ବିହନ ମୂଲ୍ୟ କୁଇଣ୍ଟାଲ ପିଛା ୩୩ଶହ ଟଙ୍କାରେ କିଣିବେ, ଯଦ୍ଦ୍ବାରା ଚାଷୀଙ୍କୁ ୮୨୫ଟଙ୍କା ରିଆତି ମିଳିବ। ଗତବର୍ଷ ୧୦ବର୍ଷରୁ କମ ଅବଧି ଉପରେ ୧୫୩୭ଟଙ୍କା ରିଆତି ମିଳୁଥିବା ବେଳେ ଚଳିତ ବର୍ଷ ରିଆତି ପରିମାଣ ଅଧା ଟଙ୍କା କାଟି ଦିଆଯାଇଛି। ଅନୁରୂପ ଭାବେ ଚାଷୀ ୧୦ବର୍ଷରୁ ଊର୍ଦ୍ଧ୍ବ ଅବଧି ବିହନ କୁଇଣ୍ଟାଲ ପିଛା ୩୪ଶହ ଟଙ୍କା ଦେଇ କିଣିବା ଦ୍ବାରା ୭୨୫ଟଙ୍କା ରିଆତି ପାଇବେ, ଯାହାକି ଗତବର୍ଷ ୧୪୩୭ଟଙ୍କା ରିଆତି ପାଉଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories