ବାସୁଦେବପୁର : ଘରୋଇ ଆବାସିକ ବିଦ୍ୟାଳୟର ହଷ୍ଟେଲରୁ ଲୁଚି ପଳାଇଲେ ଷଷ୍ଟ ଶ୍ରେଣୀରେ ପଢୁଥିବା ଛାତ୍ର । ତେଣେ ପୁଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର । ଏମିତି ଘଟଣା ବାସୁଦେବପୁର ସହରରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟର ବୋଲି ଅଭିଯୋଗରୁ ଜାଣିବାକୁ ମିଳିଛି । ଅଭିଯୋଗ ମୁତାବକ, ଶଶିକାଦେଇପୁର ଅଞ୍ଚଳର ପୁରେନ୍ଦ୍ର ବାରିକଙ୍କ ଏଗାର ବର୍ଷର ପୁଅ ପବିତ୍ର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ଘରୋଇ ଆବାସିକ ବିଦ୍ୟାଳୟର ପରୀକ୍ଷା ବାତିଲ ହେବା ପରେ ହଷ୍ଟେଲରୁ ନିଜ ସହପାଠୀଙ୍କ ସାଥିରେ ରହିଥିବା ବେଳେ ଅନ୍ୟ ଜଣେ ସହପାଠୀଙ୍କ ସହିତ ଲୁଚିଲୁଚି ପଳାଇ ଯାଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖୋଜାଖୋଜି କରିବା ପରେ ସହପାଠୀ ଜଣକ ନିଜ ଘରେ ପହଞ୍ଚିଥିବା ବେଳେ ପବିତ୍ର ଘରକୁ ଫୋନ କରିବାରୁ ପିଲା ନିଖୋଜ ଥିବା ଜାଣି ବାପା ପୁରେନ୍ଦ୍ର ଓ ମାଆ ସୁମିତ୍ରା ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲେ । ପରେ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କୁହନ୍ତି, ପାଠ ଭୟରେ ଦୁଇଜଣ ପିଲା ଲୁଚି ପଳାଇ ଯାଇଥିଲେ । ଜଣେ ଘରେ ପହଞ୍ଚିଥିବା ଖବର ମିଳିଲାଣି । ପବିତ୍ରକୁ ଖୋଜାଖୋଜି ଚାଲିଛି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରିଣୀ ଜଣାଇଛନ୍ତି ।
Popular Categories



