www.samajalive.in
Wednesday, December 10, 2025
18.1 C
Bhubaneswar

ଭାରତୀୟ ନର୍ସ ନିମିଷାଙ୍କ ଫାଶୀ ସ୍ଥଗିତ

ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଫାଶୀକୁ ସ୍ଥଗିତ ରଖାଯାଇଛି। ନିମିଷାଙ୍କୁ ଆଜି ଫାଶୀ ଦିଆଯିବାକୁ ଥିବାବେଳେ ଭାରତ ସରକାରଙ୍କ କୂଟନୈତିକ ଓ ଧାର୍ମିକ ସ୍ତରରେ ହସ୍ତକ୍ଷେପ ପରେ ଏହାକୁ ସ୍ଥଗିତ ରଖାଯାଇଥିବା ଘଟଣା ସହିତ ଜଡିତ କିଛି ବ୍ୟକ୍ତିବିଶେଷ କହିଛନ୍ତି। ଅନ୍ତିମ ମୁହୂର୍ତ୍ତରେ ଫାଶୀକୁ ସ୍ଥଗିତ ରଖାଯାଇଥିବାରୁ ନିମିଷାଙ୍କର ଜୀବନ ରକ୍ଷା ନେଇ ଆଶା ଉଜ୍ଜୀବିତ ହୋଇଛି। ସୋମବାର ଏହି ମାମଲା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ସରକାର କହିଥିଲେ ଯେ ନିମିଷାଙ୍କ ଜୀବନ ରକ୍ଷା କରିବା ଲାଗି ସୀମିତ ସୁଯୋଗ ରହିଛି। ମାତ୍ର କୂଟନୈତିକ ଓ ଧାର୍ମିକସ୍ତରରେ ହସ୍ତକ୍ଷେପ କରିବା ପରେ ସ୍ଥାନୀୟ ଅଧିକାରୀଙ୍କ ଦ୍ବାରା ଫାଶୀକୁ ଏବେ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ନେଇ ସାନ୍ନାର ହୁତି ସରକାର ଓ ହତ୍ୟାର ଶିକାର ତଲାଲ ଆବଦୋ ମେହେଦିଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ ଚାଲିଛି। ଏହି କଥାବାର୍ତ୍ତାରେ ୟେମେନ ହୋଦେଇଦାହ ପ୍ରାଦେଶିକ କୋର୍ଟର ମୁଖ୍ୟ ବିଚାରପତି, ପ୍ରଭାବଶାଳୀ ସୁରା କାଉନସିଲ୍‌ର ବରିଷ୍ଠ ମୌଲବୀ ଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ସାମିଲ ହୋଇଛନ୍ତି। ଏହି କଥାବାର୍ତ୍ତାରେ ‘ବ୍ଲଡ ମନି’ ବଦଳରେ ନିମିଷାଙ୍କୁ କ୍ଷମା ପ୍ରଦାନ କରିବା ଲାଗି ତଲାଲ ଆବଦୋଙ୍କ ପରିବାର ସଦସ୍ୟଙ୍କୁ ପ୍ରବର୍ତ୍ତାଯାଉଛି। କେରଳ ଗ୍ରାଣ୍ଡ ମୁଫତିର ଏପି ଅବୁବ୍ୟାକର ମୁସଲିୟାରଙ୍କ ଉଦ୍ୟମ କ୍ରମେ ଏହି କଥାବାର୍ତ୍ତା ଆଗକୁ ବଢିଛି। ଅବୁବ୍ୟାକର ତାଙ୍କର ବନ୍ଧୁ ଯିଏ କି ୟେମେନସ୍ଥିତ ସୁରା କାଉନସିଲର ସଦସ୍ୟଙ୍କୁ ଯୋଗାଯୋଗ କରି ମାମଲା ଉପରେ ଧାର୍ମିକ ହସ୍ତକ୍ଷେପ କରିଛନ୍ତି। ଏହା ସହିତ ତଲାଲଙ୍କ ପରିବାର ସଦସ୍ୟଙ୍କ ଜଣେ ନିକଟ ସମ୍ପର୍କୀୟ ୟେମେନର ହୋଦେଇଦାହ ଷ୍ଟେଟ୍ କୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ସେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି। ମୁଖ୍ୟ ବିଚାରପତି ଓ ସୁରା କାଉନସିଲର ସଦସ୍ୟ ଦ୍ବୟ ନିମିଷାଙ୍କୁ କ୍ଷମା ପ୍ରଦାନ ଲାଗି ତଲାଲଙ୍କ ପରିବାରକୁ ପ୍ରବର୍ତ୍ତାଇବାକୁ ଉଦ୍ୟମ ଚଳାଇଛନ୍ତି। ଏହି ମାମଲାରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକର ମଧ୍ୟ ହସ୍ତକ୍ଷେପ କରିଛନ୍ତି। ରାଜ୍ୟପାଳ ଆର୍ଲେକର ବୈଦେଶିକ ମନ୍ତ୍ରଣାଳୟକୁ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ସେହିପରି କେରଳର କୋଟିପତି ଏମ୍‌ ଏ ୟୁସୁଫ ଏହି ମାମଲାରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ନିମିଷାଙ୍କ ମା’ ପ୍ରେମା କୁମାରୀ ମଧ୍ୟ ବେଶ୍‌ ତତ୍ପରତା ଦେଖାଇଛନ୍ତି। ପ୍ରେମା କୁମାରୀ ଏବେ ସାନ୍ନାରେ ରହି ପୀଡିତଙ୍କ ପରିବାର ସହିତ ଯୋଗାଯୋଗ ଚଳାଇଛନ୍ତି। ୟେମେନ ସରକାରଙ୍କ ନିୟମ ଅନୁଯାୟୀ ‘ବ୍ଲଡ ମନି’ (କ୍ଷତିପୂରଣ ବାବଦ ଅର୍ଥ) ନେଇ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଦୋଷୀକୁ କ୍ଷମା ପ୍ରଦାନ କରିପାରିବେ। ତଲାଲଙ୍କ ହତ୍ୟା ବାବଦକୁ ନିମିଷାଙ୍କ ପରିବାର ସଦସ୍ୟ ପକ୍ଷରୁ ୧ ନିୟୁତ ଡଲାର (୮.୬ କୋଟି ଟଙ୍କା)ର ବ୍ଲଡ ମନି ଅଫର ଦିଆଯାଇଛି। ୩୭ବର୍ଷୀୟା ନିମିଷା ଏବେ ୟେମେନ ରାଜଧାନୀ ସାନ୍ନାର ଜେଲ୍‌ରେ ବନ୍ଦୀ ଅଛନ୍ତି। ୟେମେନର ନାଗରିକ ତଥା ନିଜର ବ୍ୟବସାୟୀଙ୍କ ପାର୍ଟନର ତଲାଲ ଆବଦୋ ମେହେଦିଙ୍କୁ ୨୦୧୭ରେ ହତ୍ୟା କରିଥିଲେ। ନିମିଷାଙ୍କର ପାସପୋର୍ଟକୁ ତଲାଲ ରଖିଥିବାବେଳେ ଏହାକୁ ଫେରାଉ ନଥିଲେ। ତେଣୁ ନିଜର ପାସପୋର୍ଟକୁ ହାସଲ କରିବା ଲାଗି ନିମିଷା ତାଙ୍କୁ ନିଶା ଇଞ୍ଜେକସନ୍ ଦେଇଥିଲେ। ନିଶା ଇଞ୍ଜେକସନ୍‌ର ମାତ୍ରା (ଡୋଜ୍‌) ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା। ତେଣୁ ନିମିଷା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଛନ୍ତି। ୨୦୨୪ରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ। ପରେ ୟେମେନ ରାଷ୍ଟ୍ରପତି ରସଦ ଅଲ୍‌ ଆଲିମି ଏହି ଦଣ୍ଡାଦେଶକୁ ଅନୁମୋଦନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories