www.samajalive.in
Saturday, December 6, 2025
17.1 C
Bhubaneswar

ଅସହ୍ୟ ହେଉଛି ଅଧ୍ୟାପକଙ୍କ ନିର୍ଯାତନା, ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ

ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା ସବୁ ସୀମା ଟପିଛି। ନିର୍ଯାତନା ସମ୍ପର୍କରେ ସବୁଠି ଜଣାଇବା ପରେ ବି ନ୍ୟାୟ ନ ମିଳିବାରୁ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହି ଛାତ୍ରୀ ଏବେ ଭୁବନେଶ୍ବର ଏମ୍‌ସରେ ଜୀବନ-ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କେବଳ ବାଲେଶ୍ବର ଫକିର ମୋହନ ମହାବିଦ୍ୟାଳୟ ନୁହେଁ ପୂର୍ବରୁ ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଛାତ୍ରୀ ନିର୍ଯାତନା ନେଇ ଅଭିଯୋଗ ଆସିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ଟି ଆତ୍ମହତ୍ୟା ଜନିତ ଘଟଣା ଘଟିଲାଣି। ତଥାପି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଠିକ୍ ଭାବେ କାର୍ଯ୍ୟ କରୁନି। ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଉତ୍ତରଦାୟିତ୍ବର ଅଭାବ ରହୁଥିବା ଶିକ୍ଷାବିତ୍ ମତ ରଖିଛନ୍ତି।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖି କହିଥିଲେ ଯେ, ୨୦୨୦ରୁ ୨୦୨୫ ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମୋଟ ୭୨ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ମାମଲା ରିପୋର୍ଟ ହୋଇଛି। ଏହା ପଛରେ ମାନସିକ ଚାପ, ଅଭିଯୁକ୍ତଙ୍କ ଦ୍ବାରା ନିର୍ଯାତନା, ମାନସିକ ଅସନ୍ତୁଳନ, ବିଦ୍ୟାଳୟ ଛାତ୍ରାବାସରେ ଫୋନ୍ ବ୍ୟବହାର ମନା କରିବା, ଏକାଡେମିକ ଚାପ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା, ଘରୋଇ ବିବାଦ, ପ୍ରେମ ବ୍ୟାପାରଜନିତ ସମସ୍ୟା, ପରୀକ୍ଷା ଏବଂ ପ୍ରେମ ସମ୍ପର୍କିତ ଚାପ ଭଳି ବିଭିନ୍ନ କାରଣ ରହିଛି। ଅପରପକ୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟାପକ ଓ ପ୍ରଫେସରଙ୍କ ବିରୋଧରେ ବହୁ ସମୟରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କିଏ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଛି ତ ଆଉ କିଏ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି। ଏଭଳି ଘଟଣା ଗୁରୁ-ଶିଷ୍ୟ ପରମ୍ପରା ସହ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛବିକୁ ମଧ୍ୟ କଳଙ୍କିତ କରୁଛି। ପ୍ରଫେସର ଓ ଅଧ୍ୟାପକଙ୍କ ଏହି କାରନାମା ବିରୋଧରେ କିଛି ଛାତ୍ରୀ ସାମ୍ନାକୁ ଆସି ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଆଉକିଛି ଘଟଣା ଚାପି ହୋଇ ରହିଯାଉଥିବା ଜଣାପଡ଼ିଛି। ନିକଟରେ ବୁର୍ଲାସ୍ଥିତ ଭିସୁଟ୍‌ର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଜଣେ ପିଏଚ୍‌ଡି ଛାତ୍ରୀ ଏହି ଅଭିଯୋଗ ଆଣିଥିଲେ। ଏହାପୂର୍ବରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା। ଜଣେ ବରିଷ୍ଠ ଅଧ୍ୟାପକଙ୍କ ବିରୋଧରେ ଏହି ସଙ୍ଗିନ ଆରୋପ ଲାଗିଥିଲା। ସମ୍ପୃକ୍ତ ଅଧ୍ୟାପକଙ୍କୁ ବିଭାଗୀୟ ମୁଖ୍ୟ ପଦରୁ ବାହାର କରିବା ସହ ତାଙ୍କୁ ଦୀର୍ଘ ଛୁଟିରେ ପଠାଯାଇଥିଲା। ଏହାସହ ଅନୁଗୋଳ ଜିଲା ଆଠମଲ୍ଲିକ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକଙ୍କ ନାମରେ ଗୁରୁତର ଅଭିଯୋଗ ହୋଇଥିଲା। ସିସିଟିଭି କ୍ୟାମେରା ଉପରକୁ ମୋଡ଼ି ସେ ଅନୈତିକ କାର୍ଯ୍ୟ କରିଥିବା କୁହାଯାଇଥିଲା। ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟରୁ ବି ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା। ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସମ୍ପୃକ୍ତ ସହକାରୀ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସୁପାରିସ ଆଧାରରେ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଥିଲେ।

- Advertisement -

ଏହା ବ୍ୟତୀତ ବରଗଡ଼ ଜିଲା ପଦମପୁର ଅଞ୍ଚଳ ମହାବିଦ୍ୟାଳୟର ଜଣେ ପ୍ରାଧ୍ୟାପକ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ କରି ବିବାଦୀୟ ହୋଇଥିଲେ। ନିଜ ବିଭାଗର ଛାତ୍ରୀଙ୍କ ସହ ସମ୍ପୃକ୍ତ ପ୍ରାଧ୍ୟାପକଙ୍କ ଚାଟିଂର ସ୍କ୍ରିନସଟ୍‌ ପ୍ରଘଟ ହୋଇଥିଲା। ଏକାଧିକ ଛାତ୍ରୀଙ୍କ ସହ ସେ ଏଭଳି ଚାଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ବିରୋଧ‌େ‌ର ଛାତ୍ରୀମାନେ ଲିଖିତ ଅଭିଯୋଗ କରିଥିଲେ। ଏତିକି ନୁହେଁ ଛାତ୍ରୀଙ୍କୁ ନିର୍ଯାତନାର ତାଲିକା ଏମିତି ଆହୁରି ଲମ୍ବା। ଓୟୁଏଟି ଅଧୀନ ବେସିକ୍ ସାଇନ୍ସ କଲେଜର ଛାତ୍ରୀଙ୍କୁ ରାତିଅଧିଆ ମେସେଜ୍ ଦେଇ ଜଣେ ପ୍ରଫେସର ଅଡ଼ୁଆରେ ପଡ଼ିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ସମ୍ପୃକ୍ତ ସହକାରୀ ପ୍ରଫେସର କିଛି ଖରାପ ମେ‌େ‌ସଜ୍ ପଠାଇଥିଲେ। ଏହାର ତଦନ୍ତ ପରେ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ନହରକଣ୍ଟାସ୍ଥିତ ଜୟଦେବ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। କଲେଜର ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ମାସ ମାସ ଧରି ଅଧ୍ୟାପକଙ୍କ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଥିଲେ। କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପ‌େ‌ର ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ ୨୦୨୪ ମସିହା ସେପ୍ଟେମ୍ବର ୨୩ ତାରିଖରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ନିର୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ। କ୍ୟାମ୍ପସରେ ଛାତ୍ରୀ, ମହିଳା ଯେଭଳି ମହିଳା ଯୌନଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏହି କମିଟି ଗଠନ କରାଯିବ। ଏହି ନିର୍ଦେଶନାମାକୁ ୧୦ ମାସ ବିତିଥିବାବେଳେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି କୋମାରେ। ୟୁଜିସି ମାର୍ଗଦର୍ଶିକା ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ସେଲ୍ ଗଠନ କରିବା ନିୟମ ଅଛି। ଯୌନ ନିର୍ଯାତନା ଅଭିଯୋଗ ବାବଦରେ ବାର୍ଷିକ ରିପୋର୍ଟ ଦାଖଲ ବାଧ୍ୟତାମୂଳକ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛି। କିନ୍ତୁ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ନା ଆଇସିସି ଅଛି ନା ମହିଳା ସହାୟତା ସେଲ୍। ଯେଉଁଠି ଅଛି ସେଠାରେ କାର୍ଯ୍ୟକାରୀ ହେଉନାହିଁ। ଅଧିକାଂଶ ରିପୋର୍ଟ ୟୁଜିସି ପାଖରେ ଦାଖଲ ହେଉନଥିବାରୁ ୟୁଜିସି ବି ଅନ୍ଧାରରେ ରହୁଛି। କେବଳ ହାତଗଣତି କଲେଜ ଓ ବିଶ୍ବବିଦ୍ୟାଳୟ ୟୁଜିସି ମାର୍ଗଦର୍ଶିକା ମାନୁଛନ୍ତି। ଏହାକୁ ନେଇ ଶିକ୍ଷାବିତ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷାବିତ୍‌ଙ୍କ ମତରେ ଅଧ୍ୟାପକଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ରହିବା ଆବଶ୍ୟକ। ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତିନିଦିନ ଭିତରେ ସେମାନଙ୍କୁ ଦଣ୍ଡିତ ବ୍ୟବସ୍ଥା କରାଯିବା ଦରକାର। ଏହାଫଳରେ ସମସ୍ତେ ସାବଧାନ ରହିବେ। ସେହିପରି ଛାତ୍ରୀମାନେ ଏଭଳି ଘଟଣାରେ ଡରି ନଯାଇ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଆବଶ୍ୟକ। କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସବୁ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ପଦ ପୂରଣ ହେବା ଜରୁରୀ। ଅଧିକାଂଶ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଥିବାରୁ ଉତ୍ତରଦାୟିତ୍ବ ସେମାନଙ୍କର ରହୁନି। ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories