ସମାଜ ଡିଜିଟାଲ ଡେସ୍କ: ନବଦିନାତ୍ମକ ଯାତ୍ରାରେ ସମସ୍ତ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଚତୁର୍ଦ୍ଧାମୂର୍ତ୍ତି ନୀଳଦ୍ରି ବିଜେ କରିବେ। ପ୍ରଭୁ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀଜଗନ୍ନାଥ, ମା’ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ମଙ୍ଗଳବାର ନୀଳକନ୍ଦରକୁ ବାହୁଡ଼ିବେ।
ସୂଚନା ମୁତାବକ, ନୀଳାଦ୍ରି ବିଜେ ପାଇଁ ଅପରାହ୍ନ ୪ ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାସୁଦ୍ଧା ଶେଷ ହେବ। ପହଣ୍ଡି ପୂର୍ବରୁ ରଥଗୁଡ଼ିକରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଏବଂ ଚାରମାଳ ବନ୍ଧା ନୀତି ଅନୁଷ୍ଠିତ ହେବ।
ସମସ୍ତ ନୀତି ସମାପ୍ତ ହେବାପରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ପହଣ୍ଡିରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମଦନ ମୋହନ ଏବଂ ରାମକୃଷ୍ଣଙ୍କ ଚଳିନ୍ତି ପ୍ରତିମାଙ୍କୁ ପ୍ରଥମେ ନିଆଯିବ। ଏହାପରେ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ବିଜେ କରିବେ। ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରି ମାନଭଞ୍ଜନ କରିଥା’ନ୍ତି। ରୀତିନୀତି ଅନୁଯାୟୀ, ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା’ମହାଲକ୍ଷ୍ମୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥାନ୍ତି। ମହାପ୍ରଭୁ ତାଙ୍କୁ ସାଥିରେ ଗୁଣ୍ଡିଚା ମନ୍ଦିରକୁ ନ ନେଇଯିବାରୁ ତାଙ୍କ ଉପରେ ମା’ କ୍ରୋଧିତ ହୋଇଥାନ୍ତି। ମା’ଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ତାଙ୍କୁ ରସଗୋଲା ପ୍ରଦାନ କରନ୍ତି। ଏହି ରୀତିନୀତି ପରେ ପ୍ରଭୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି ଏବଂ ରତ୍ନବେଦୀରେ ବିରାଜମାନ କରନ୍ତି।



