ସମାଜ ଡିଜିଟାଲ ଡେସ୍କ: ବିହାରର ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାରୀଙ୍କ ମଧ୍ୟରୁ ଜଣକୁ ପୁଲିସ ଏନକାଉଣ୍ଟର କରିଛି। ସୋମବାର ରାତିରେ ପୁଲିସ ଗୁଳିରେ ହତ୍ୟାକାରୀ ବିକାଶ ଓରଫ ରାଜା ନିହତ ହୋଇଛି। ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଏବଂ ବିକ୍ରିରେ ସମ୍ପୃକ୍ତ ଥିଲା।
ପୁଲିସ ସୂଚନା ଅନୁସାରେ, ଗୋପାଳଙ୍କୁ ଉମେଶ ନାମକ ଶୁଟର ଗୁଳି କରିଥିଲା। ଘଟଣା ସମୟରେ ଉମେଶକୁ ସହଯୋଗ କରିଥିଲା ବିକାଶ। ଘଟଣାସ୍ଥଳରୁ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା।
ଏନକାଉଣ୍ଟର ପରେ ବିକାଶର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଟନା ସରକାରୀ ଡାକ୍ତରଖାନାକୁ ପଠାଯାଇଛି।
ଗୋପାଳଙ୍କ ହତ୍ୟାକାଣ୍ଡରେ ବିକାଶର ସମ୍ପୃକ୍ତି ଜଣାପଡ଼ିବା ପରେ ତା’କୁ ଧରିବା ଲାଗି ପୁଲିସ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ରାତି ପ୍ରାୟ ୨ଟା ୪୫ରେ ପିର ଦାମରିଆ ଘାଟ ନିକଟରେ ପୁଲିସ ବିକାଶକୁ ଠାବ କରିଥିଲା। ହେଲେ ଏହି ସମୟରେ ବିକାଶ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ଶେଷରେ ପୁଲିସ ଗୁଳିରେ ତା’ର ମୃତ୍ୟୁ ଘଟିଥିଲା।



