ସ୍ଥିତପ୍ରଜ୍ଞ କର୍ମଯୋଗୀ ଉତ୍କଳମଣି ଗୋପବନ୍ଧୁ ଦାସ। ଜଣେ ଶୁଚିନିଷ୍ଠ ସତ୍ୟସନ୍ଧାନୀ କବି। ବିଶ୍ବପ୍ରୀତି, ସ୍ବଦେଶ ମୁକ୍ତି ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତି-ଏହି ତ୍ରିବେଣୀ ଧାରାରେ ପରିପୁଷ୍ଟ ଗୋପବନ୍ଧୁଙ୍କ ଶିଳ୍ପମାନସ। ଶୈଶବରୁ ମାତୃହରା ଗୋପବନ୍ଧୁ ପ୍ରକୃତିକୁ ମାତୃ ଜ୍ଞାନକରି ପାଇଥିଲେ ଜୀବନ ପ୍ରତି ଏକ ସନ୍ନ୍ୟାସୀ ସୁଲଭ ଦୃଷ୍ଟିଭଙ୍ଗୀ ଏବଂ ପରାର୍ଥେ ଜୀବନ ବଞ୍ଚିବାର ପ୍ରେରଣା। ତାଙ୍କ ଜୀବନକୁ ଶୁଦ୍ଧ, ବୁଦ୍ଧ, ଧୀର ଓ ପ୍ରଶାନ୍ତ କରି ଗଢ଼ି ତୋଳିଥିଲା ଭାଗବତ ତତ୍ତ୍ବ। ଜଗନ୍ନାଥ ଦାସଙ୍କ ଭାଗବତ ପଢି ସେ ବୁଝିଥିଲେ (ନମସ୍ତେ ପ୍ରଭୁ ଜଗନ୍ନାଥ, ଯା’ର ଶରୀରୁ ଏ ଜଗତ) ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବମୟ ଓ ସର୍ବମାନ୍ୟ। ସେହି ମହାପ୍ରଭୁଙ୍କୁ ଆଶ୍ରା କରି ସେ ଲଭିଛନ୍ତି ଆଧ୍ୟାତ୍ମିକ ଜୀବନ ଦର୍ଶନ ଓ ନିଷ୍କାମ କର୍ମଯୋଗର ପ୍ରେରଣା। ତାଙ୍କରି ପାଦପଦ୍ମରେ ଆତ୍ମସମର୍ପଣ କରି ଗାଇଛନ୍ତି -‘‘ପ୍ରଭୁ ଜଗନ୍ନାଥ ପତିତପାବନ, ଜୀବନ ମରଣେ ତୁମ୍ଭେ ମୋ ଶରଣ”।
ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଶ୍ରୀକ୍ଷେତ୍ରରେ ନୁହେଁ, ସେ ସର୍ବତ୍ର ବିଦ୍ୟମାନ ଏବଂ ତାଙ୍କ ସ୍ପର୍ଶରେ ଭାରତର ପ୍ରତିଟି ଶିଳା ଓ ଶାଳଗ୍ରାମ ପବିତ୍ର। ପ୍ରତିଟି ବୃକ୍ଷ କଳ୍ପବଟ। ଏହି ଉପଲବ୍ଧି ଯୋଗୁଁଁ ଭାରତର ଯେଉଁଠି ରହିଲେ ବି ସର୍ବତ୍ର ସେ ଅନୁଭବ କରିଛନ୍ତି ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ଶାନ୍ତି। ସବୁଠି ଜଗନ୍ନାଥ ଚେତନାରେ ତଲ୍ଲୀନ ହୋଇ ସେ କହିଛନ୍ତି ନୀଳାଚଳ ହିଁ ଭାରତ ଓ ଭାରତ ହିଁ ନୀଳାଚଳ। ଏହି ମର୍ମରେ ସେ ବନ୍ଦୀର ଆତ୍ମକଥାରେ ଲେଖିଛନ୍ତି-‘‘ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ, ପ୍ରତି ସ୍ଥାନେ ମୋର ପ୍ରିୟ ପୁରୀ ଧାମ। ଥିଲେ ଯହିଁ ତହିଁ ଭାରତ ଶୟଳେ, ମଣିବି ମୁଁ ଅଛି ନୀଳଚକ୍ର ତଳେ।”
କଟକର ସ୍ବରାଜ୍ୟ ଆଶ୍ରମ ଥିଲା ତାଙ୍କ ସ୍ବରାଜ୍ୟ ସାଧନାର ପ୍ରମୁଖ ପୀଠ। ବନ୍ଦୀହୋଇ ସୁଦୂର ହଜାରିବାଗ ଜେଲରେ ରହିଲା ପରେ ବନ୍ଦିଶାଳା ହେଲା ତାଙ୍କ ନୀରବ ମନ୍ତ୍ର ସାଧନାର ଋଷି ଆଶ୍ରମ। ଯେଉଁମାନେ ଧର୍ମ ପରାୟଣ ଓ ଆଧ୍ୟାତ୍ମିକ ଚେତନାରେ ଉଦ୍ବୋଧିତ, ବନ୍ଦିଶାଳାର ନିଭୃତ କୋଠରିରେ ଆହୁରି ପ୍ରଖର ହୋଇଉଠେ ସେମାନଙ୍କ ଭଗବତ୍ ପ୍ରୀତି। ଭାଗବତ ପୁରୁଷ ଗୋପବନ୍ଧୁଙ୍କ ବନ୍ଦୀ ଜୀବନ ହିଁ ତା’ର ସବୁଠାରୁ ବଡ ଉଦାହରଣ। ବନ୍ଦିଶାଳାରେ ନୀରବରେ ବସିଗଲେ ତାଙ୍କୁ ଦିଶିଥାଏ ଦୁଇ ଚକାଆଖିର ଅଭୟ ମୁଦ୍ରା। ପ୍ରାଣକୁ ଆହ୍ଲାଦିତ କରେ ସିନ୍ଧୁ ଉପକଣ୍ଠ ଶ୍ରୀକ୍ଷେତ୍ର ଧାମରେ ଆଧ୍ୟାତ୍ମିକ ଭାବ ବହନ କରି ବନ୍ଦିଶାଳାକୁ ଆସୁଥିବା ମଧୁର ମଳୟର ସ୍ପର୍ଶ। ଆଖି ଆଗରେ ନାଚିଯାଏ ଶ୍ରୀମନ୍ଦିର ବେଢାର ସନ୍ଧ୍ୟାକାଳୀନ ଦୃଶ୍ୟପଟ। ଲେଖନୀରୁ ସ୍ବତଃ ଝରିଆସେ-‘‘ବାଜିବଣି ନୀଳାଚଳେ କେତେ ଘଣ୍ଟଘଣ୍ଟା ଭେରିତୁରୀ, ଏ ସନ୍ଧ୍ୟା ଆଳତି ବେଳେ ବେଢ଼ା ଉଠୁଥିବ ପୂରି”। କାରାଗାରର ନିର୍ଜନତା ମଧ୍ୟରେ କବିଙ୍କ ମନ ଯେବେ ବିଷାଦଗ୍ରସ୍ତ ହୋଇଯାଏ, ସେତେବେଳେ ତାଙ୍କର ଏକମାତ୍ର ସାହା ଭରସା ଜଗତର ନାଥ ଜଗନ୍ନାଥ। ତାଙ୍କରି କୃପା କଣିକା ପାଇବା ପାଇଁ ସେ ଅସ୍ଥିର ହୋଇ ଗାଇ ଉଠନ୍ତି -‘‘ନିରବ ନିଶ୍ଚଳେ ବସି ବନ୍ଦୀଘରେ, ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀପୟରେ”।
ଉତ୍କଳମଣି ଗୋପବନ୍ଧୁ ହିଁ ରାଜ୍ୟରେ ସ୍ବରାଜ୍ୟ ମନ୍ତ୍ରର ପ୍ରଥମ ବାର୍ତ୍ତାବହ। ଅସହଯୋଗ ଆନ୍ଦୋଳନର ପୁରୋଧା। ତାଙ୍କର ଅଦ୍ଭୁତ ସାଂଗଠନିକ ଦକ୍ଷତା ଓ ଅନ୍ୟମାନଙ୍କ ମନରୁ ଦୁଃଖ ଲାଘବ କରିବାର ସାମର୍ଥ୍ୟ ଯୋଗୁଁଁ ଓଡ଼ିଶାର ଗ୍ରାମେ ଗ୍ରାମେ ପ୍ରବାହିତ ହୋଇଥିଲା ଅସହଯୋଗର ଜାହ୍ନବୀ। ଦିନେ ଯେଉଁ ଜାତୀୟ ଚେତନା ଥିଲା ବଚନ ସର୍ବସ୍ବ ଓ ତତ୍ତ୍ବାଶ୍ରୟୀ ଆଲୋଚନାରେ ସୀମିତ, ତାହା ବାସ୍ତବାୟିତ ହୋଇଥିଲା ଉତ୍କଳମଣି ଗୋପବନ୍ଧୁଙ୍କ କର୍ମ ସାଧନାରେ। ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ନେତୃତ୍ବର ପରିଚୟ ଦେବାକୁ ଯାଇ ପଣ୍ଡିତ ଗୋଦାବରୀଶ ମିଶ୍ର ଲେଖିଛନ୍ତି, “ଗୋପବନ୍ଧୁଙ୍କ ମୁହଁର ଲାବଣ୍ୟ, କଥାର ମାଧୁରୀ, ହସର ସାଫଲ୍ୟ, ଆଖିର ଜ୍ୟୋତି, କପାଳର ତେଜ ଓ ଯୁକ୍ତିର ଗରିମା ସରଳ ତେଜୀୟାନ ତରୁଣ ପ୍ରାଣକୁ ଚୁମ୍ବକ ପରି ଟାଣିନିଏ ଏବଂ ତାଙ୍କ ଭାଷଣ ଶୁଣିବାକୁ ଲୋକେ ମାଡି ଆସନ୍ତି ସୁଅ ପ୍ରମାଣେ।”ଜଗନ୍ନାଥ ପ୍ରାଣତାର ସରଳ ଉପପାଦ୍ୟଟି ହେଉଛି ନିରାଡମ୍ବର ସରଳତା ଓ ମୁନିଜନସୁଲଭ ବିନମ୍ରତା। ତେଣୁ ତାଙ୍କ କବିତାରେ ହେଉ କି କର୍ମ ପ୍ରବାହରେ ହେଉ, କେଉଁଠି ହେଲେ ଲବ ମାତ୍ର ପ୍ରକାଶ ପାଇନି ଅହଂନିବଦ୍ଧ ଆତ୍ମକୈନ୍ଦ୍ରିକତା। ସେ ନିଜକୁ ସାଧାରଣ ସେବକଟିଏ ଭାବି ଲେଖିଛନ୍ତି -‘‘କର୍ମ ଭୂମେ କିଏ ନେତା ଅବା ନୀତ, ସରବେ ନିମିତ୍ତ ବିଧି ନିୟୋଜିତ”।
ନୀରବ ନିଭୃତ ସାଧନା ହିଁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୀବନର ଆଦର୍ଶ। ହଜାରିବାଗ ଜେଲର ନିର୍ଜନ କୋଠରି ଭିତରେ ଥାଇ ସେ କେବେ ବିଷାଦଗ୍ରସ୍ତ ହୋଇ ନାହାନ୍ତି, ବରଂ ପ୍ରତି ମୁହୂର୍ତ୍ତରେ ତାଙ୍କ ଚେତନାକୁ ଆଲୋଡିତ କରିଛି ଉତ୍କଳରେ ସ୍ବରାଜ୍ୟ ଆନ୍ଦୋଳନ ଚିନ୍ତା। ଓଡ଼ିଶାର ପୁରପଲ୍ଲୀରେ ପ୍ରବାହିତ ସ୍ବରାଜ୍ୟ ସଂଗ୍ରାମର ଜାହ୍ନବୀ ସ୍ରୋତ ତାଙ୍କ ଅନୁପସ୍ଥିତିରେ କାଳେ କେଉଁଠି ଅଟକି ଯିବ- ଏହି ଆଶଙ୍କାରେ ଦେଶବାସୀଙ୍କୁ କିଛି କହିବା ପାଇଁ ବ୍ୟାକୁଳ ହୋଇ ଉଠିଛି ପ୍ରାଣ। ଏହି ମର୍ମରେ ଦେଶବାସୀଙ୍କୁ ଆଶ୍ବାସନା ଦେଇ ସେ କହିଛନ୍ତି, ଯେଉଁ ଜାତିର ରାଜା ରାଜପଣର ଗର୍ବ ଅପେକ୍ଷା ଦେବତାର ସେବକ ହେବାରେ ଗୌରବ ଅନୁଭବ କରନ୍ତି, ଯେଉଁ ଜାତିର ଦେବତା ଭକ୍ତର ମାନ ରକ୍ଷା ପାଇଁ ନିଜେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହୁଅନ୍ତି, ସେ ଜାତିର ନେତା ଅନ୍ୟ କେହି ନୁହନ୍ତି, ନିଜେ ନାରାୟଣ। ସର୍ଜନଶୀଳ ଆତ୍ମାର ଆହ୍ବାନ କ୍ରମେ ସେ ଗାଇଛନ୍ତି -‘‘ନ ଅଟକେ କର୍ମ ନେତାର ଅଭାବେ, ଧର୍ମ ନାବ ଚଳେ ଧର୍ମର ପ୍ରଭାବେ, ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ”।
ଓଡ଼ିଆ ଘରର ନାରୀ ନିଜ ସନ୍ତାନର ମଙ୍ଗଳ କାମନା କରି ସର୍ବଦା ଜଗନ୍ନାଥଙ୍କ ଉପରେ ଭରସା ରଖେ, ଯାହା ନିଛକ ଭାବରେ ପ୍ରତିଫଳିତ ହୋଇଛି ‘ଧର୍ମପଦ’ କାବ୍ୟରେ। ଧର୍ମପଦର ଏକା ଜିଦ୍ ସେ ପିତାଙ୍କୁ ସାକ୍ଷାତ ପାଇଁ ଚନ୍ଦ୍ରଭାଗା ଯିବ ଏବଂ ସେଠାରେ ପ୍ରତ୍ୟକ୍ଷ ଭାବରେ ଦେଖିବ ଶତଶତ ଶିଳ୍ପୀଙ୍କ ଦେଉଳ ନିର୍ମାଣ କୋୖଶଳ। ପୁଅର ବୁଦ୍ଧି, ଜ୍ଞାନ, ସାହସ, ଉତ୍ସାହ ଓ ଜିଦ୍ ଆଗରେ ହାର୍ ମାନିଛି ମା’ର ଆଶଙ୍କା ଓ ଆକଟ। ପୁଅକୁ ଯିବାପାଇଁ ଅନୁମତି ଦେବାବେଳେ ସେ ଜଗନ୍ନାଥଙ୍କ କୃପା ଭିକ୍ଷା କରି କହିଛନ୍ତି -‘‘ମରିଯାଏ ଆହା ମୋ ଧନମାଳିରେ କେଡେ ବୁଦ୍ଧି କି ସାହସ? ଜଗନ୍ନାଥେ କୃପା କଲେ ତୁ ରଖିବୁ କୁଳ ଗଉରବ ଯଶ”। ରାଜାଙ୍କ କଣ୍ଟ ଅନୁସାରେ କୋଣାର୍କ ମନ୍ଦିରର ଅଗ୍ରଭାଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଆଶଙ୍କାରେ ବାରଶହ ବଢେଇଙ୍କ ଭିତରେ ଭାଳେଣି ପଡ଼ିଥିବା ବେଳେ ସଂଯୋଗ ବଶତଃ ସେଠାରେ ପହଞ୍ଚିଥିଲେ ବିଶୁ ମହାରଣାର ବାରବର୍ଷର ପୁତ୍ର ଧର୍ମପଦ। ମୃତ୍ୟୁ ଭୟରେ ପ୍ରମାଦ ଗଣୁଥିବା ଶିଳ୍ପୀମାନଙ୍କୁ ଆଶ୍ବାସନା ଦେବାକୁ ଯାଇ ଧର୍ମପଦ ମୁହଁରେ କବି କହିଛନ୍ତି-‘‘ଯୋଡି କରବେନି ସବିନୟ ବାଣୀ କହେ ଶେଷେ ଧର୍ମପଦ, ନୀଳାଚଳେ ଯେବେ ସତ୍ୟ ଜଗନ୍ନାଥ ନହେବ କିଛି ଆପଦ”।
ଏକର ବିନାଶେ ଅନେକର ପ୍ରକାଶ – ଏହା ହିଁ ଜଗନ୍ନାଥ ସଂସ୍କୃତିର ଜଗତକୁ ବାର୍ତ୍ତା। ଏଥିରେ ରହିଛି ଧର୍ମୀୟ ଉଦାରତା, ଭ୍ରାତୃଭାବ, ଆତ୍ମତ୍ୟାଗ ଓ ମାନବିକତାର ଗଭୀର ସ୍ପନ୍ଦନ। ଜଗନ୍ନାଥ ଚେତନା ପ୍ରାଣକୁ ଯେତେ ଉଦ୍ଦୀପ୍ତ କରେ, ସେତେ ମାର୍ମିକ ହୁଏ ଆତ୍ମତ୍ୟାଗର ମନ୍ତ୍ରଧ୍ବନି। ଆତ୍ମୋତ୍ସର୍ଗର ବିଶୁଦ୍ଧ ମନ୍ତ୍ର ପ୍ରାଣକୁ ବିହ୍ବଳ ନ କଲେ କେହି କ’ଣ କହିପାରେ- ‘‘ମୋ ହୃଦୟ ସ୍ବାମୀ ପ୍ରଭୁ ଅନ୍ତର୍ଯ୍ୟାମୀ ଦେଖାଇଛ ଯାହା ଥରେ, ସେ ଅମୃତ ଗତି ଦିଅ ପ୍ରାଣପତି ଜୟ ଜଗଦୀଶ ହରେ।”



