ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍ରେ ଏକାଧିକ ନୂତନ ନିୟମ ପ୍ରଣୟନ କରିଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)। ପ୍ରଥମ ନିୟମ ହେଉଛି ‘ଷ୍ଟପ୍ କ୍ଲକ୍’। ଟେଷ୍ଟ କ୍ରିକେଟ୍ରେ ଧିମା ଓଭର ହାର ରୋକିବା ପାଇଁ ଆଇସିସି ଏହି ନିୟମ ଲାଗୁ କରିଛି। ଏହା ଅନୁସାରେ, ଏକ ଓଭର ସରିବା ୧ ମିନିଟ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ ହେବ। ଅର୍ଥାତ୍ ଏକ ଓଭର ସରିବା ପରେ ଘଣ୍ଟାରେ ୬୦ ସେକେଣ୍ଡର କାଉଣ୍ଟ ଡାଉନ୍ ଆରମ୍ଭ ହେବ। ୬୦ ସେକେଣ୍ଡ ସରିବା ପୂର୍ବରୁ ପରବର୍ତ୍ତୀ ଓଭର ଆରମ୍ଭ ହେବ। ଫିଲ୍ଡିଂ ଦଳ ଏହି ନିୟମ ଉଲ୍ଲଙ୍ଘନ କଲେ ପଡ଼ିଆ ଅମ୍ପାୟାର ୨ୟ ଥର ଚେତାବନୀ ଦେବେ। ୩ୟ ଥର ଏହି ନିୟମ ଉଲ୍ଲଙ୍ଘନ ହେଲେ ବ୍ୟାଟିଂ ଦଳକୁ ୫ ରନ୍ ବୋନସ ମିଳିବ। ପ୍ରତିଥର ନିୟମ ଉଲ୍ଲଙ୍ଘନ କଲେ ଏହି ୫ ରନ୍ ବୋନସ୍ ଜାରିରହିବ। ପ୍ରତି ୮୦ ଓଭରରେ ସାନି ‘ଷ୍ଟପ୍ କ୍ଲକ୍’ ନିୟମ ଲାଗୁ କରାଯିବ। ୨୦୨୪ ଜୁନ୍ ୧ରୁ ଦିନିକିଆ ଓ ଟ୍ବେଣ୍ଟି୨୦ରେ ଏହି ନିୟମ ଲାଗୁହୋଇଛି। ଚଳିତ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପଆନ୍ସିପ ସାଇକେଲ୍ରୁ ଟେଷ୍ଟ କ୍ରିକେଟ୍ରେ ଏହି ନିୟମ ଲାଗୁହେବ।
ବଲ୍ରେ ଛେପ ଲଗାଇବାକୁ ଆଇସିସି ବାସନ୍ଦ କରିଛି। େତବେ ବଲ୍ରେ ଛେପ ବା ପାଟି ଲାଳ ଲାଗିଥିବା ଅମ୍ପାୟାର ଦେଖନ୍ତି; ତେବେ ବଲ୍ ବଦଳାଇବା ଆବଶ୍ୟକ ନାହିଁ। କାରଣ ଫିଲ୍ଡିଂ ଦଳ ବଲ୍ ବଦଳାଇବା ଲକ୍ଷ୍ୟରେ ଜାଣିଶୁଣି ଛେପ ଲଗାଇ ପାରନ୍ତି ବୋଲି ଆଇସିସି ଆଶଙ୍କା କରୁଛି। ବଲ୍ର ଆକାର କିମ୍ବା ସ୍ଥିତି ବଦଳିଥିଲେ ଅମ୍ପାୟାର କେବଳ ବଲ୍ ବଦଳାଇ ପାରନ୍ତି। ଡିଆର୍ଏସ୍ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ପଡ଼ିଆ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ କଟ୍ ବିହାଇଣ୍ଡ ଆଉଟ୍ ଘୋଷଣା ପରେ ବ୍ୟାଟ୍ସମ୍ୟାନ ଡିଆରଏସ୍ ମାଗିଲେ ରିପ୍ଲେରୁ ଯଦି ଜଣାପଡ଼େ ଯେ ବଲ୍ ତାଙ୍କ ବ୍ୟାଟ୍ରେ ନ ବାଜି ପ୍ୟାଡ୍ରେ ବାଜିଛି। ଫଳରେ ବଲ୍ ଟ୍ରାକିଂ ଦେଖାଯାଏ। ଯଦି ବଲ୍ ଟ୍ରାକିଂରୁ ଅମ୍ପାୟାର୍ସ କଲ୍ ବୋଲି ଦେଖାଯାଏ; ତେବେ ବ୍ୟାଟ୍ସମ୍ୟାନ ଆଉଟ୍ ଘୋଷିତ ହେବେ। ଅମ୍ପାୟାର ଏଲ୍ବିଡବ୍ଲ୍ୟୁ ପାଇଁ ଆଉଟ୍ ଘୋଷିତ କରିନଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ ଆଉଟ୍ ଘୋଷିତ ହେବେ। ଫିଲ୍ଡର ସଠିକ୍ ଭାବେ କ୍ୟାଚ୍ ଧରିଛନ୍ତି କି ନାହିଁ; ପଡ଼ିଆ ଅମ୍ପାୟାର ଯାଞ୍ଚ କରୁଥିବା ବେଳେ ୩ୟ ଅମ୍ପାୟାର ଏହାକୁ ନୋ’ବଲ୍ ଘୋଷଣା କଲେ ମଧ୍ୟ କ୍ୟାଚ୍ ବୈଧ କି ନାହିଁ; ତା’ର ଯାଞ୍ଚ ଜାରିରହିବ। ଯଦି କ୍ୟାଚ୍ ବୈଧ ବୋଲି ଘୋଷିତ ହୁଏ; ତେବେ ବ୍ୟାଟିଂ ଦଳ ନୋ’ବଲ୍ରୁ ୧ ରନ୍ ପାଇବେ। ଯଦି କ୍ୟାଚ୍ ଅବୈଧ ଘୋଷିତ ହୁଏ; ନୋ’ବଲ୍ ପାଇଁ ୧ ରନ୍ ସହ ବ୍ୟାଟ୍ସମ୍ୟାନ ନେଇଥିବା ରନ୍ ମଧ୍ୟ ଗଣନା କରାଯିବ। ପୁଣି ଘରୋଇ କ୍ରିକେଟ୍ରେ ଜଣେ ଖେଳାଳି ମ୍ୟାଚ୍ ମଧ୍ୟରେ ଗୁରୁତର ଆହତ ହେଲେ; ଦଳ ତାଙ୍କ ପରି ସମାନ ଖେଳାଳିଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିପାରିବ। ଉକ୍ତ ଖେଳାଳି ମ୍ୟାଚ୍ ସମାପ୍ତି ପର୍ଯ୍ୟନ୍ତ ଦଳରେ ରହିବେ।



